Unknown

 

 

 

 

 

 

 

 

 

 

ନିଜ ପ୍ରତିନିଧିଙ୍କଠାରୁ

(ନାଟକ)

ଶ୍ରୀ ବିଶ୍ଵଜିତ୍‌ ଦାସ

 

 

 

 

 

 

 

 

 

 

 

ସମ୍ବାଦପତ୍ର ଓ ସାମ୍ବାଦିକତା ପ୍ରତି ମୋର ଗଭୀର ଶ୍ରଦ୍ଧା ଓ ଅନୁରକ୍ତିର ଉତ୍ସ ଶ୍ରୀ ଶଶିଭୂଷଣ ମିଶ୍ରଙ୍କ କରକମଳରେ............

 

ସେମାନଙ୍କ ଦୃଷ୍ଟିରେ

 

‘ନିଜ ପ୍ରତିନିଧିଙ୍କଠାରୁ’ ନାମକ ନାଟକଟି ମଞ୍ଚସ୍ଥ କରି ‘ରୂପକାର’ ସମ୍ପ୍ରଦାୟ ଓଡ଼ିଆ ନାଟ୍ୟଜଗତରେ ଏକ ନୂତନ ଦିଗ୍‌ଦର୍ଶନର ସୂଚନା ଦେଇଛନ୍ତି । ବର୍ତ୍ତମାନ କାଳରେ ଭୁବନେଶ୍ଵରରେ ଅନ୍ୟକୌଣସି ନାଟକ ଏଭଳି ଜନପ୍ରିୟତା ଅର୍ଜନ କରିପାରି ନାହିଁ ।

 

-ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼-

 

‘ରୂପକାର’ ସଂସ୍ଥା ପକ୍ଷରୁ ପ୍ରଯୋଜିତ ‘ନିଜ ପ୍ରତିନିଧିଙ୍କଠାରୁ’ ନାମକ ଏକ ଅଭିନବ ନାଟକ ଦର୍ଶକ ମହଲରେବିଶେଷ ଆଦୃତ ହୋଇଛି ଏବଂ ସାମ୍ବାଦିକ ଜୀବନକୁ ଚିତ୍ରଣ କରିବାରେ ନାଟକଟି ସଫଳ ହୋଇପାରିଛି ବୋଲି ମତ ପ୍ରକାଶ ପାଇଛି ।

 

-ଜନଶକ୍ତି-

 

ଓଡ଼ିଶା ରଙ୍ଗମଞ୍ଚରେ ପରୀକ୍ଷାମୂଳକ ନାଟକ ମଞ୍ଚସ୍ଥ କରିବାରେ ‘ରୂପକାର’ର ଏ ଉଦ୍ୟମ ବାସ୍ତବିକ ଅତି ପ୍ରଶଂସନୀୟ । ନାଟକରେ ସଂଳାପ ତଥା ନାଟକୀୟ ଉତ୍‌କଣ୍ଠା ଯଥାଯଥ ରହିଛି । ଫଳରେ ଶେଷପର୍ଯ୍ୟନ୍ତ ନାଟକଟିକୁ ଦେଖିବାରେ ଆଗ୍ରହ ଦର୍ଶକ ମନରେ ସୃଷ୍ଟି ହେଉଛି ।

 

-ମାତୃଭୂମି-

 

ଜଣେ ସାମ୍ବାଦିକଙ୍କ ଜୀବନକୁ କେନ୍ଦ୍ରକରି ରଚିତ ‘ନିଜ ପ୍ରତିନିଧିଙ୍କଠାରୁ’ ନାଟକବିଶେଷ ଚିତ୍ତାକର୍ଷକ ହୋଇଥିଲା ।

 

-ସ୍ଵରାଜ୍ୟ-

 

ବିଶ୍ଵଜିତ ଦାସଙ୍କ ନିର୍ଦ୍ଦେଶନା ‘ନିଜ ପ୍ରତିନିଧିଙ୍କଠାରୁ’ ନାଟକକୁ ଏକ ସଫଳ ନାଟକଭାବରେ ପ୍ରତିଷ୍ଠିତ କରାଇପାରିଛି ।

 

-ପ୍ରଜାତନ୍ତ୍ର-

 

ଓଡ଼ିଆ ନାଟକ ଇତିହାସରେ ପ୍ରଥମଥରପାଇଁ ଜଣେ ସାମ୍ବାଦିକଙ୍କ ଜୀବନକୁ ଭିତ୍ତିକରି ଏକ ନାଟକ ପରିବେଷଣ କରିବାକୁଯାଇ ନାଟ୍ୟକାର ତଥା ‘ରୂପକାର’ର ଶିଳ୍ପୀମାନେ ଯେଉଁ ଦୁଃସାହସର ପରିଚୟ ଦେଇଛନ୍ତି, ସେଥିପାଇଁ ସେମାନେ ଅଭିନନ୍ଦନୀୟ ।

 

-କଳିଙ୍ଗ-

***

 

ନିବେଦନ

 

‘ନିଜ ପ୍ରତିନିଧିଙ୍କଠାରୁ’ ନାଟକ ବିପକ୍ଷରେ ପ୍ରଧାନ ଅଭିଯୋଗ ହେଲା, ଏଥିରେ ‘ନିଜ ପ୍ରତିନିଧି’ ଅର୍ଥାତ୍‌ ସମ୍ବାଦପତ୍ର ପ୍ରତିନିଧିଙ୍କ ପେଶାଗତ ଜୀବନ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ଚିତ୍ର ଦିଆଯାଇନାହିଁ ।

 

ବିନୀତ ଭାବରେ ଏ ଅଭିଯୋଗର ଯଥାର୍ଥତା ମୁଁ ସ୍ୱୀକାର କରୁଛି । କିନ୍ତୁ ସେହି ସଙ୍ଗେ ସଙ୍ଗେ ମୋ’ର ମଧ୍ୟ ଏ ଅଭିଯୋଗ ସଂପର୍କରେ କିଞ୍ଚିତ୍‌ ବକ୍ତବ୍ୟ ଅଛି । ଜଣେ ଡାକ୍ତର ବା ଜଣେ ଓକିଲ କିମ୍ବା ଜଣେ ଇଞ୍ଜିନିୟର୍-ଏମାନଙ୍କ ପେଶା କ୍ଷେତ୍ରରେ ବହୁପ୍ରକାର ବୈଶିଷ୍ଟ୍ୟ ତଥା ବୈଚିତ୍ର୍ୟ ଥିବା ସ୍ଵାଭାବିକ । କିନ୍ତୁ ଏହି ସବୁ ବୈଶିଷ୍ଟ୍ୟ ଓ ବୈଚିତ୍ର୍ୟ ବାହାରେ ସେମାନଙ୍କ ସମସ୍ତଙ୍କର ଆଉ ଗୋଟିଏ ମହତ୍‌ରୂପ ମଧ୍ୟ ରହିଛି । ତାହା ହେଉଛି ସେମାନଙ୍କର ସାମାଜିକ ଜୀବନଯାତ୍ରାର ସ୍ଵରୂପ-। ସମାଜର ଆଉ ଦଶଜଣଙ୍କ ଭଳି ସେମାନଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ନାନାପ୍ରକାର ଦ୍ଵନ୍ଦ୍ୱ ଓ ସଂଶୟଜନିତ ଘାତ ପ୍ରତିଘାତର ଅନୁଭୂତି ରହିଆସିଛି । ‘ନିଜ ପ୍ରତିନିଧିଙ୍କଠାରୁ’ ନାଟକରେ ସମ୍ବାଦପତ୍ର ପ୍ରତିନିଧିଙ୍କ କେବଳ ସେହି ସାମାଜିକ ରୂପ ଟିକକ ମୁଁ ଗ୍ରହଣ କରିଛି ।

 

‘ରୂପକାର’ ନାଟ୍ୟସଂସ୍ଥାର କୁଶଳୀ ଶିଳ୍ପୀମାନଙ୍କର ଅକ୍ଳାନ୍ତ ଉଦ୍ୟମ ଏବଂ ଭୁବନେଶ୍ଵର ଓ କଟକର ବହୁବିଶିଷ୍ଟ ସାମ୍ବାଦିକମାନଙ୍କ ଅକୁଣ୍ଠିତ ପରାମର୍ଶ ତଥା ସହଯୋଗ ‘ନିଜ ପ୍ରତିନିଧିଙ୍କଠାରୁ’ ନାଟକଟିକୁ ଏକ ମଞ୍ଚସଫଳ ନାଟକରୂପେ ପ୍ରତିଷ୍ଠିତ କରାଇପାରିଛି । ଏମାନଙ୍କ ସମସ୍ତଙ୍କଠାରେ ମୁଁ ଚିରକୃତଜ୍ଞ ରହିଲି । କଟକର ସାଥୀ ପ୍ରକାଶନର ସ୍ଵତାଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରା ଏହି ନାଟକଟିର ପ୍ରକାଶନର ଦାୟିତ୍ଵ ଗ୍ରହଣକରି ମୋତେ ଉତ୍ସାହିତ କରିଥିବାରୁ ଏହି ଅବସରରେ ତାଙ୍କ ପ୍ରତି ମୁଁ ଆନ୍ତରିକ କୃତଜ୍ଞତା ଜଣାଉଛି ।

 

ବିଶ୍ଵଜିତ୍‌ ଦାସ

***

 

ବିଶ୍ଵଜିତ୍‌ ଦାସଙ୍କ ଅନ୍ୟ କେତୋଟି ଜନପ୍ରିୟ ନାଟକ

 

୧.

ବହ୍ନି

୨.

ପ୍ରତାପଗଡ଼ରେ ଦି’ଦିନ

୩.

ନିଜ ପ୍ରତିନିଧିଙ୍କଠାରୁ

୪.

ନାଲିପାନ ରାଣୀ କଳାପାନ ଟିକା

 

ଯେକୌଣସି ପ୍ରଗତିଶୀଳ ଚିନ୍ତାଧର୍ମୀ ନାଟ୍ୟସଂସ୍ଥା ପକ୍ଷରୁ ଅଭିନୀତ ହେବା ନିମନ୍ତେ ଏହି ନାଟକ କେତୋଟିବିଶେଷ ଉପଯୋଗୀ ।

***

 

‘ନିଜ ପ୍ରତିନିଧିଙ୍କଠାରୁ’ ଅଭିନୟରେ ‘ରୂପକାର’ ନାଟ୍ୟସଂସ୍ଥାର ଶିଳ୍ପୀ

 

ଇନ୍ଦୁମତୀ

ସନ୍ଧ୍ୟା ମହାପାତ୍ର

ଅଜୟ

ପ୍ରମୋଦ ମହାପାତ୍ର

ସରୋଜ

ଅଜିତ୍‌ କର

ଉପେନ୍ଦ୍ର

ଶ୍ରୀ ନିରାକାର

ଯଦୁନାଥ

ଅସୀମ ବସୁ

ରାଜୁ

ସୁଶାନ୍ତ ପ୍ରଧାନ

ମହାଦେବ

ଲୋକନାଥ ମହାନ୍ତି

ଆବହ ସଙ୍ଗୀତ

ମୁନ୍ନା ଓ ରାହାସ

ତତ୍ତ୍ଵାବଧାନ

ଜଗନ୍ନାଥ ମହାପାତ୍ର

ବରେନ୍ଦ୍ର

କୃଷ୍ଣ ଧଳ

 

ନିର୍ଦ୍ଦେଶନା ବିଶ୍ଵଜିତ୍‌ ଦାସ

***

 

Unknown

ପ୍ରଥମ ଅଙ୍କ

 

 

 

[ସ୍ଥାନ : ଓଡ଼ିଶାର ରାଜଧାନୀ । ଭୁବନେଶ୍ଵର । କାଳ ଅନିର୍ଦ୍ଦିଷ୍ଟ । ‘ଦୈନିକ ଜନତା’ର ନିଜସ୍ଵ ପ୍ରତିନିଧିବିଜୟ ମହାପାତ୍ରଙ୍କ ବାସଗୃହର ବୈଠକଖାନା । ବୈଠକଖାନାର ଆସବାବପତ୍ର ସାଧାରଣ ହେଲେବି ପରିମାର୍ଜିତ । ଡାହାଣ କୋଣରେ ଲେଖାପଢ଼ାପାଇଁ ଗୋଟିଏ ଟେବୁଲ୍- ଟେବୁଲ ଉପରେ ଗୋଟିଏ ଛୋଟ ଘଡ଼ି, କେତୋଟି ଖବରକାଗଜ, ପତ୍ରପତ୍ରିକା, କିଛି ବହିପତ୍ର ଓ ଗୋଟିଏ ଟେଲିଫୋନ୍‌ ଟେବୁଲ୍‍କୁ ଲାଗି ତିନୋଟି କାଠ ଚଉକି ଘରର ମଧ୍ୟଭାଗରେ ବେତର ଗୋଟିଏ ସୋଫାସେଟ୍‌ । ସୋଫାସେଟ୍‌ର ବା’ପଟକୁ ଲାଗି ଗୋଟିଏ ସୁଦୃଶ୍ୟ ରେଡ଼ିଓ । ଘରର ପଛ କାନ୍ଥର ମଧ୍ୟଭାଗରେ ଗୋଟିଏ ରାକ୍‌, ଖବରକାଗଜରେ ଭର୍ତ୍ତି । ତା’ର କିଛି ଉପରକୁ କାନ୍ଥରେ ଜନୈକ ବିଶିଷ୍ଟ ବ୍ୟକ୍ତିଙ୍କର ଗୋଟିଏ ଚିତ୍ରପଟ । ଘରର ପଛପଟ ଦୁଇ କୋଣରେ ଦୁଇଟି ଦୁଆର । ବାମ ଦୁଆରଟି ବାହାର ବାରଣ୍ଡାକୁ ଏବଂ ଡାହାଣ ଦୁଆରଟି ଘର ଭିତରକୁ ଉଦ୍ଦିଷ୍ଟ-

 

 

ପର୍ଦ୍ଦା ଉଠିବାରୁ ଦେଖାଗଲା, ଘରଭିତରେ କେହିନାହାନ୍ତି । ଦୁଇ ତିନି ମୁହୂର୍ତ୍ତ ପରେ ପାଦ ଚିପି ଚିପି ଘର ଭିତରକୁ ସନ୍ତର୍ପଣରେ ପ୍ରବେଶ କଲା ରାଜୁ ଓରଫ୍‌ ରାଜେନ୍ଦ୍ର-। ଅତ୍ୟାଧୁନିକ ପାଶ୍ଚାତ୍ୟ ଢାଞ୍ଚାର ବେଶ ପୋଷାକରେ ରାଜୁ ସତେଯେପରି ଝଲମଲ ହୋଇଉଠୁଛି । ଘରର ମଧ୍ୟଭାଗକୁ ଆସି ରାଜୁ ପ୍ରଥମେ ହାଲ୍‍କା ଭାବରେ ଗୋଟାଏ ହୁଇସିଲ୍ ବଜାଇଲା । ତା’ପରେ ଭିତର ଦୁଆରଆଡ଼କୁ ଚାହିଁ ଅନୁଚ୍ଚ ସ୍ଵରରେ ଡାକିଲା, ‘ନୂଆବୋଉ’ ! ଭିତର ଦୁଆର ବାଟଦେଇ ପ୍ରବେଶ କଲା ଇନ୍ଦୁ-ଇନ୍ଦୁମତୀ । କୌଣସି ଅଜଣା ଆଶଙ୍କାରେ ଇନ୍ଦୁର ମୁହଁ ସତେଯେପରି ଝାଉଁଳିପଡ଼ିଛି । କିନ୍ତୁ ପର ମୁହୂର୍ତ୍ତରେ ରାଜୁର ଆନନ୍ଦ ଉତ୍‌ଫୁଲ୍ଲ ମୁହଁ ଦେଖି ସ୍ଵସ୍ତିର ଗୋଟାଏ ଗଭୀର ନିଶ୍ଵାସ ନେଲା ଇନ୍ଦୁ ।]

ଇନ୍ଦୁ

-

ଓ, ତମେ ? ଯେମିତି ଡାକୁଥିଲ ନା, ମୁଁ ତ ଏକ୍‍ଦମ୍ ଡରିଗଲି !

ରାଜୁ

-

ଆଖିବୁଜି ମୁରବିଆନା ସ୍ଵରରେ) ହଁ, ମୁଁ ଜାଣିଥିଲି, ତମେ ଡରିବ । ଯେତେଥର ଏଇମିତି ଡାକିଚି, ତମେ ଡରିଚ

ଇନ୍ଦୁ

-

(କୃତିମ ରାଗରେ) ବାଃ, ତା’ବୋଲି ତମେ ଜାଣିଶୁଣି ଡରେଇବ ?

ରାଜୁ

-

(ତାଚ୍ଛଲ୍ୟ ସ୍ୱରରେ) ଡ୍ୟାମିଟ୍‌, ନୂଆବୋଉ ! ତମେ ଆଉ ଟିକିଏ ସାହସୀ ହୁଅ । ତା’ ନହେଲେ ତମେ ଡରିବ ବୋଲି ଶେଷରେ ମୁଁ ମନଖୋଲା ଗୋଟାଏ ନିଶ୍ଵାସବି ନେଇପାରିବି ନାହିଁ ।

 

 

(ଇନ୍ଦୁ ବିମର୍ଷ ଭାବରେ ଟିକିଏ ହସିଲା ରାଜୁ ମୁହଁକୁ ଚାହିଁ)

ରାଜୁ

-

(ଇନ୍ଦୁ ମୁହଁକୁ ଏକ ଦୃଷ୍ଟିରେ ଚାହିଁ) ଚିଅର୍‌ଅପ୍‌, ନୂଆବୋଉ, ଚିଅର୍ ଅପ୍‌ ! ହେଇ ଦେଖ, ତମପାଇଁ ମୁଁ କ’ଣ ଆଣିଚି ! (କହି ହାତରେ ଧରିଥିବା ରେକର୍ଡ଼ ଫେୟାରକୁ ଟି’ପୟ ଉପରେ ରଖି ଗୋଟିଏ ଅତ୍ୟାଧୁନିକ, ଇଂରାଜୀ ଯନ୍ତ୍ରସଙ୍ଗୀତ ବଜାଇବାକୁ ଲାଗିଲା)

 

 

ଏଇସମୟରେ ବ୍ୟସ୍ତ ଭାବରେ ହାତରେ ଗୋଟିଏ ମଧ୍ୟମ ଆକାରର ବ୍ୟାଗ୍‍ ଧରି ଭିତରକୁ ପଶିଆସିଲା ଅଜୟ ।

ଅଜୟ

-

ଏସବୁ କ’ଣ ଚାଲିଚି ଏଠି ?

ରାଜୁ

-

(ରେକର୍ଡ଼ ବଜାଇବା ବନ୍ଦକରି) କ’ଣ ଚାଲିଚି, ମାନେ ଓ୍ୱାର୍ଲଡ଼୍ ଫେମସ୍‌ ମ୍ୟୁଜିସିଆନ୍‌, ଅଥଚ ତମେ କହୁଚ କ’ଣ ଚାଲିଚି ?

ଅଜୟ

-

(ଟେବୁଲଆଡ଼କୁ ଯାଉ ଯାଉ) ଦୁର୍ଭାଗ୍ୟ !

 

 

(ରାଜୁ ଓ ଇନ୍ଦୁ ପରସ୍ପରଆଡ଼କୁ ଚାହିଁଲେ । ସେମାନଙ୍କ ଭାବାନ୍ତର ଲକ୍ଷ୍ୟକରି ଅଜୟ ପୁଣି କହିଲା ।

ଅଜୟ

-

ଆରେ, ନା, ନା, ଦୁର୍ଭାଗ୍ୟଟା ମୋର । ଖବରକାଗଜ ପ୍ରତିନିଧି ହୋଇଛି, ଅଥଚ ଏତେବଡ଼ ଓ୍ୱାର୍ଲଡ଼୍ ଫେମସ୍‌ ମ୍ୟୁଜିସିଆନଙ୍କ ନା ଜାଣିନାହିଁ !

ରାଜୁ

-

(ଇନ୍ଦୁକୁ ଲକ୍ଷ୍ୟକରି ହସି) ଭାଇଙ୍କପାଇଁ କପେ ଚା, ଆଉ ମୋପାଇଁ ପାଞ୍ଚଟା ଟଙ୍କା-। ପ୍ଳିଜ୍‌, ନୂଆବୋଉ, କୁଇକ୍ !

 

 

(ଇନ୍ଦୁ ଘର ଭିତରକୁ ଗଲା । ରାଜୁ ଅଜୟଆଡ଼କୁ ଆଗେଇଲା । )

ଅଜୟ

-

(ଟେବୁଲ ପାଖରେ କାଗଜପତ୍ର ସଜାଡ଼ୁ ସଜାଡ଼ୁ, କୃତ୍ରିମ ଗାମ୍ଭୀର୍ଯ୍ୟ ସହ) ସିନେମା ପ୍ରୋଗ୍ରାମ ଅଛି ବୋଧହୁଏ ?

ରାଜୁ

-

(ହସି) କେମିତି ଜାଣିଲ ?

ଅଜୟ

-

ତା’ ନହେଲେ ପାଞ୍ଚଟା ଟଙ୍କାର ଦରକାର କ’ଣ ?

ରାଜୁ

-

ମୁଁ ଏକୁଟିଆ ଯାଉନାହିଁ, ନୂଆବୋଉ’ବି ଯିବେ । ‘‘ଲଭ୍‌ଇନ୍‌ ଟୋକିଓ’’ ଫାଷ୍ଟ ସୋ-

ଅଜୟ

-

(ଅନ୍ୟମନସ୍କ ଭାବରେ) ସିଧା ଟୋକିଓ ? ଭଲ ଭଲ । ମୁଁ’ବି ତେବେ ଶାନ୍ତିରେ ବସି ନିଉଜ୍‌ତକ ଲେଖିପାରିବି । ଓଃ, ଦିନଟାସାରା ଟିକିଏ’ବି ଫୁରସତ୍ ନାହିଁ । ଇଆଡ଼େ ଆସେମ୍ବ୍ଲି, ସିଆଡ଼େ ସ୍ଵାମୀଜୀଙ୍କ ସାମ୍ବାଦିକ ସମ୍ମିଳନୀ । କାଲି ସନ୍ଧ୍ୟାରେ ଫେର୍ ସ୍ଵାମୀଜୀଙ୍କ ମିଟିଙ୍ଗ୍‌ କ’ଣ ଯେ କରିବି !

ରାଜୁ

-

କିଛି ବ୍ୟସ୍ତ ହେବାର ନାହିଁ । ତମେ ଶାନ୍ତିରେ ବସି ନିଉଜ୍‌ ଲେଖ । ମୁଁ’ତ ସବୁ ବ୍ୟବସ୍ଥା କରିଦେଇଚି ।

ଅଜୟ

-

ନା, ନା, ମୁଁ ସେକଥା କହୁନାହିଁ । ମୁଁ କହୁଚି କ’ଣ କି (କ’ଣ କହିବାକୁ ଯାଉଥିଲା, ଅଟକିଯାଇ ରାଜୁଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁ) ସେ ପିଲାଟା ଆସିଚି ?

ରାଜୁ

-

କିଏ, ବା ? ସିଏ ଆଉ କୁଆଡ଼େ ଯିବ ? ଯଦୁବାବୁ ଅଫିସ୍ ଯିବା ଆଗରୁ ନୂଆବୋଉ ଯାଇ ନେଇଆସିଚନ୍ତି ତାକୁ । ଶୋଇଚି ବୋଧହୁଏ ।

ଅଜୟ

-

(ଚିନ୍ତିତ ଭାବରେ) ଇଏ ପୁଣି ଗୋଟାଏ ଝମେଲା ।

ରାଜୁ

-

ମୋଟେ ନୁହେଁ । ଯଦୁବାବୁ ଅଫିସ୍‍ରୁ ଫେରିବାବେଳ ହୋଇଗଲାଣି । ବାବ୍‌ଲୁକୁ ନେଇଯିବେ ନାହିଁ ?

ଅଜୟ

-

(ସାମାନ୍ୟ ବିରକ୍ତ ହୋଇ) ଓହୋ, ନେଇଯାଆନ୍ତେ ନାହିଁ, ଆଉ କ’ଣ ମୋ ବେକରେ ଝୁଲେଇ ଦେଇଯାନ୍ତେ ? ନାଃ, ସେ ଯଦୁବାବୁ ଲୋକଟାର ଟିକିଏ ହେଲେ ସେନ୍‌ସ ଅଫ୍‌ ପ୍ରପୋର୍‌ସନ ନାହିଁ । ଦିନେଅଧେ ଛୁଆଟାକୁ ଛାଡ଼ିଦେଇ ଗଲ, ଆପତ୍ତି ନାହିଁ । ସାଇପଡ଼ିଶା ହିସାବରେ ଯାହା କରିବାର କଥା, କରାଗଲା-। ତା’ବୋଲି ଏଇ ମାସେ ଦେଢ଼ମାସ ଯାଏଁ ଛୁଆଟାକୁ ଏମିତି ଜବରଦସ୍ତ ଏଠି ଲଦିଦେଲେ...

ରାଜୁ

-

କିଏ ଜବରଦସ୍ତି ଲଦିଦେଲା ? ନୂଆବୋଉତ ନିଜେ...

ଅଜୟ

-

(କଥା ବଦଳେଇବାର ଚେଷ୍ଟାକରି) ହଉ, ହଉ, ହେଲା । ନୂଆବୋଉ ହଉକି ଯିଏ ହଉ, କାହାରି ଦୁଃସମୟରେ ସମବେଦନା ଦେଖାଇବାର ଫଳ କ’ଣ ଏଇୟା ? ଏଇ ଦେଢ଼ମାସ ହେଲା ଟିକିଏ ନିଶ୍ଚିନ୍ତ ହୋଇ ନିରୋଳାରେ ବସି କାମ କରିବାର ଉପାୟ ନାହିଁ । କାନ୍ଦିବାକୁ ଆରମ୍ଭ କଲା ତ କାନ୍ଦିଲା ଦି’ଘଣ୍ଟା । ସମ୍ଭାଳ ତାକୁ । ଆଜି ଗ୍ଳାକ୍‌ସୋ ଆଣ, କାଲି କମଳାଲେମ୍ବୁ ଆଣ, ତା’ପରଦିନ ଖେଳଣା ଆଣ । ଉଃ, ମୁଁ’ତ ଏକଦମ୍ ଅତିଷ୍ଠ ହୋଇଉଠିଚି । ମୋର କହିବାର କଥା...(କ’ଣ କହିବାକୁ ଯାଉଥିଲା, ଅଟକିଯାଇ ହାତଘଡ଼ି ଦେଖି ବ୍ୟସ୍ତହୋଇ ଉଠି) ଇଆଡ଼େ ପୁଣି ନିଉଜ୍‌ଟା ଦେଇନାହିଁ, ସାଢ଼େ ଚାରିଟା ବାଜିଗଲାଣି । (କହି ଫୋନ୍‌ ଉଠାଇଲା)

ରାଜୁ

-

(ବ୍ୟସ୍ତ ହୋଇପଡ଼ି) ସାଢ଼େ ଚାରିଟା ବାଜିଗଲାଣି ? ଗଲା, ଟିକେଟ ବୋଧହୁଏ ଆଉ ମିଳିବ ନାହିଁ । (ଭିତର କବାଟ ପାଖକୁ ଆଗେଇଯାଇ ପାଟିକରି ଡାକିଲା) କୁଆଡ଼େ ଗଲ ନୂଆବୋଉ, ଇଆଡ଼େ ଯେ ପ୍ରୋଗ୍ରାମ ମାଟି ହୋଇଗଲା । ସାଢ଼େ ଚାରିଟା ବାଜିଗଲାଣି ।

ଅଜୟ

-

(ଫୋନ୍‌ଧରି ଟ୍ରଙ୍କ୍‌ସ୍‌ ବୁକିଙ୍ଗ୍‌ । (ତା’ପରେ ରାଜୁ ଉଦ୍ଦେଶ୍ୟରେ) ନୂଆ ବୋଉକୁ ତରବର କଲେ କ’ଣ ହେବ ? ଯଦୁବାବୁ ନଆସିଲେ ସେ ବାହାରିବ କେମିତି ? ସେଇ କୀର୍ତ୍ତି ଚନ୍ଦ୍ରମାଟି ଯିବେ କୁଆଡ଼େ ? (ତା’ପରେ ଫୋନ୍‌ରେ) ଫାଇଭ୍‌ଡବ୍ଳସିକ୍‌ସ । ଗୋଟାଏ ଅର୍ଜେଣ୍ଟ କଲ୍ ବୁକ୍ କରନ୍ତୁ ‘ଦୈନିକ ଜନତା’ର ଏଡ଼ିଟୋରିଆଲ ସେକ୍‌ସନକୁ । କ’ଣ କହିଲେ ? ହଁ, କଟକ ସିକ୍‌ସ ସେଭେନ୍‌ଟୁ, ପ୍ରେସ୍‌କଲ୍‌ ଟିକିଏ ଚଞ୍ଚଳ ମିଳିବା ଦରକାର । (ଫୋନ୍ ରଖିଦେଇ) କ’ଣ ଯେ କରିବି ! ଇଆଡ଼େ ଏତେଗୁଡ଼ାଏ ଆସେମ୍ବ୍ଲି ପ୍ରୋସିଡ଼ିଙ୍ଗ୍‌ସ୍‌, ସିଆଡ଼େ ସ୍ଵାମୀଜୀଙ୍କ ପ୍ରେସ୍ କନ୍‌ଫରେନ୍‌ସ ।

ରାଜୁ

-

(ଇତସ୍ତତଃ ହୋଇ) ଗୋଟାଏ କଥା କହିବି ? ଆଜି ତମର ଆସେମ୍ବ୍ଲି ପ୍ରୋସିଡିଙ୍ଗ୍‌ସ୍‌ଟା ଦେଇଦିଅ । କାଲି ସକାଳୁ ବରଂ ସ୍ଵାମୀଙ୍କ ଇଏଟା...

ଅଜୟ

-

ପାଗଳ ? (ହସିବାକୁ ଚେଷ୍ଟାକରି, ହସିନପାରି) ଇଏ ତମର ସିନେମା ଥିଏଟର, ଗୀତ ନାଚ କଥା ନୁହେଁ, ବୁଝିଲୁ ? ଖବରକାଗଜ କଥା ।

ରାଜୁ

-

(ଅଜୟର କଥାରେ ଗୁରୁତ୍ଵ ନଦେଇ ହଁ, ହଁ, ବୁଝିଚି ।

ଅଜୟ

-

(ରାଜୁଆଡ଼କୁ ସନ୍ଦିଗ୍‌ଧ ଦୃଷ୍ଟିରେ ଅନାଇ) କ’ଣ ବୁଝିଚୁ ?

ରାଜୁ

-

ଅସଲ କଥା ହଉଚି, ସ୍ଵାମୀଜୀଙ୍କ ପ୍ରତି ତମର ଭକ୍ତିଟା ଏତେ ବେଶି ଯେ ପ୍ରତିଦିନ କିଛି କିଛି ସ୍ଵାମୀଜୀଙ୍କ ବାଣୀ ତମର ‘ଦୈନିକ ଜନତା’ରେ ନବାହାରିଲେ ରାତିରେ ତମକୁ ନିଦ ହେବ ନାହିଁ । (ଅଜୟ କୌଣସି ଉତ୍ତର ଦେଇନପାରି ଚୁପ୍‍ହୋଇ ରହିବାର ଦେଖି)କ’ଣ, ଠିକ୍‌ କହିଚିନା ?

ଅଜୟ

-

ଚୌକିରେ କ୍ଳାନ୍ତଭାବରେ ଆଉଜିପଡ଼ି ଦୀର୍ଘ ନିଶ୍ଵାସ ନେଇ) ତୁ ପିଲାଲୋକ ରାଜୁ, ସ୍ଵାମୀଜୀଙ୍କୁ ବୁଝିବାର ବୟସ ତୋର ହୋଇନାହିଁ । ସାମ୍ବାଦିକ ହିସାବରେ ସାରା ଓଡ଼ିଶାରେ ଆଜି ମୋର ଯେଉଁ ପ୍ରତିଷ୍ଠା, ତା’ମୂଳରେ କେବଳ ସ୍ଵାମୀଜୀ । (ଅତୀତରବିସ୍ମୃତ ପ୍ରାୟ ଇତିହାସକୁ ସ୍ମରଣ କରିବାର ଚେଷ୍ଟାକରି) ପନ୍ଦରବର୍ଷ ତଳେ ଖଣ୍ଡିଏ ଚାକିରିପାଇଁ କଟକର ଗଳିକନ୍ଦିରେ ବୁଲି ବୁଲି ଯେତେବେଳେ ସବୁ ଆଶାଭରସା ହରେଇ ବସିଥିଲି, ସେତେବେଳେ ସ୍ଵାମୀଜୀଙ୍କ ସାଙ୍ଗରେ ଦେଖାହୋଇନଥିଲେ ଆଜି ମୁଁ ଥା’ନ୍ତି କୋଉଠି ? ତାଙ୍କର ଆଶୀର୍ବାଦରେ ଆଜି ଖୋଦ୍ ରାଜଧାନୀରେ ‘ଦୈନିକ ଜନତା’ର ମୁଁ ନିଜସ୍ଵ ପ୍ରତିନିଧି । ଅଥଚ ମୋ’ଠୁ ଯଥେଷ୍ଟ ଶିକ୍ଷିତ ଲୋକ ବେକାର ହୋଇ ଆଜି ରାସ୍ତାରେ ଘୂରି ବୁଲୁଚନ୍ତି । ଖୁବ୍‌ ବେଶିହେଲେ ଖଣ୍ଡିଏ କିରାନୀ ଚାକିରି, ଆଉ ତା’ଛଡ଼ା ତ କିଛି ନାହିଁ ! ଏଇ ଆମ ଯଦୁବାବୁ । ଶୁଣିଲି, ଜଣେ ଗ୍ରାଜୁଏଟ୍‌ ଇଆଡ଼େ କିରାନୀ ।

ରାଜୁ

-

(କୃତ୍ରିମ ଅନୁଯୋଗର ସ୍ଵରରେ) ଡ୍ୟାମିଟ୍‌ ଭାଇ, ମୁଁ ବୁଡ଼ିଗଲି । (ଅଜୟ କିଛି ବୁଝିନପାରି ଅନେଇଥିବାର ଦେଖି) ତେବେ ମୁଁ ଗ୍ରାଜୁଏଟ୍‌ କରିବି କ’ଣ ?

ଅଜୟ

-

(ଇତସ୍ତତଃ ହୋଇ) ଆହା. ତୋ କଥା ଅଲଗା । ତୋତେ ଆଉ ଚାକିରି କରିବାକୁ ମୁଁ ଦେବି ନାହିଁ ! ଚାକିରି ଛଡ଼ା ଆଉ ଯାହା କରିପାରିବୁ, କରିବୁ, ମୁଁ ଆପତ୍ତି କରିବି ନାହିଁ ।

ରାଜୁ

-

(ଟିକିଏ ଭାବି, ସପ୍ରତିଭ ଭାବରେ) ତେବେ ମୁଁ କିଛି କରିବି ନାହିଁ ।

ଅଜୟ

-

(ରାଜୁର ଆନନ୍ଦୋତ୍‌ଫୁଲ୍ଲ ମୁହଁକୁ ଚାହିଁ ସସ୍ନେହରେ) ବେଶ୍‌, ଭଲକଥା । ଯାହା ତୋର ଇଚ୍ଛା ।

ରାଜୁ

-

(ଅଜୟର ଅଲକ୍ଷ୍ୟରେ ଭିତର କବାଟଆଡ଼କୁ ଚାହିଁ) (ଆଚ୍ଛା, ଭାଇ, ଗୋଟିଏ କଥା କହିବି ? (ଅଜୟର ଉତ୍ତରକୁ ଅପେକ୍ଷାନକରି) ତମେ କିଛି ଗୋଟାଏ କର-

ଅଜୟ

-

(କିଛି ବୁଝିନପାରି) ମୁଁ ? ମୁଁ ପୁଣି କ’ଣ କରିବି ?

ରାଜୁ

-

ୟା’ଭିତରେ ତ ଆଦୌ ଛୁଟି ନେଇନା । କିଛିଦିନ ଛୁଟି ନେଇ ନୂଆବୋଉଙ୍କୁ ନେଇ ପୁରୀଆଡ଼େ ଟିକିଏ ବୁଲିଆସ ।

ଅଜୟ

-

(କୃତ୍ରିମ ଭାବନାର ଅଭିନୟ କରି) ହୁଁ

ରାଜୁ

-

(ମୁହୂର୍ତ୍ତେ ଅପେକ୍ଷାକରି, ଅଜୟ କିଛି ନକହିବାର ଦେଖି) କ’ଣ ହୁଁ ?

ଅଜୟ

-

(ଦୀର୍ଘ ନିଶ୍ଵାସ ନେଇ ଠିଆହେଲା । ତା’ପରେ ଦେହରୁ ଶାର୍ଟଟା ଖୋଲି ରାଜୁ ହାତକୁ ବଢ଼ାଇଦେଇ ପୁଣି ବସିପଡ଼ିଲା) ସେଇଟାଇ ହେଇଚି ମୁସ୍କିଲ । ଇନ୍ଦୁକୁ ଦି’ ଚାରିଦିନ କୁଆଡ଼େ ଟିକିଏ ବୁଲେଇ ଆଣିବାକୁ ମୁଁ’ବି ଅନେକଥର ଭାବିଚି । କିନ୍ତୁ... (ଅଟକିଯାଇ ରାଜୁଆଡ଼କୁ ଅସହାୟ ଭାବରେ ଚାହିଁଲା)

ରାଜୁ

-

(ଅଜୟଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁ ଶାନ୍ତ ସ୍ୱରରେ) କିନ୍ତୁ କ’ଣ ?

ଅଜୟ

-

(ମୁହୂର୍ତ୍ତକପାଇଁ ଚିନ୍ତାକରି)କେମିତି ତୋତେ ବୁଝେଇବି, ରାଜୁ ? ଖବରକାଗଜ ଚାକିରିଟାଇ ଏଇଆ । ନିଜପାଇଁ, ନିଜର ଘରଦ୍ଵାରପାଇଁ ଟିକିଏ ନିଶ୍ଚିନ୍ତ ହୋଇ ବସି ଚିନ୍ତା କରିବି, ତା’ର ଉପାୟ ନାହିଁ ।

ରାଜୁ

-

(ନିର୍ଲିପ୍ତ ସ୍ୱରରେ) ଡ୍ୟାମିଟ୍‌ ଚାହା କପେ ତମର ନିହାତି ଦରକାର । (ହାତଘଡ଼ି ଦେଖି) ଇଆଡ଼େ ଲଭଇନ୍ ଟୋକିଓଟାବି ହାତଛଡ଼ା ହେବା ଉପରେ । (ବିରକ୍ତ ଭାବରେ ସୋଫା ଉପରେ ବସିପଡ଼ି ଡାକିଲା) ନୂଆବୋଉ, କୁଆଡ଼େ ଗଲ’ମ ?

 

 

(ପ୍ରବେଶକଲା ଇନ୍ଦୁ । ହାତରେ ଗୋଟାଏ ଟ୍ରେରେ ଦି’କପ୍‌ ଚା । ଆଗେଇଯାଇ ପ୍ରଥମେ ଅଜୟକୁ ଏବଂ ତା’ପରେ ରାଜୁକୁ ଚା ଦେଇସାରି ଟ୍ରେ’ଟା ଧରି ଭିତରକୁ ଫେରିଯାଉଥିଲା । ପଛରୁ ଡାକିଲା ରାଜୁ ।)

ରାଜୁ

-

ଆରେ, ଚାଲିଯାଉଚ ଯେ, ଶୁଣ ! (ଇନ୍ଦୁ, ଅଟକି ଫେରି ଅନାଇଲା) ସିନେମା ଯିବ ନାହିଁ ? (ଇନ୍ଦୁ ନିରୁତ୍ତର ରହିବାର ଦେଖି) ଡ୍ୟାମିଟ୍‌, କ’ଣ ଯେ ତମର ବେଳେବେଳେ ହୁଏ, କିଛି ମୁଁ ବୁଝିପାରେନା । ସକାଳେ ତ ଖୁବ୍‌ ଜୋରରେ ସିନେମା ପ୍ରୋଗ୍ରାମ କରିପକାଇଲ । ଏଇଖିଣା ଏମିତି ଚୁପ୍‍ଚାପ୍ ରହିଯାଉଚ ଯେ-?

ଇନ୍ଦୁ

-

(ଲୁଗା କାନିରୁ ପାଞ୍ଚ ଟଙ୍କିଆ ନୋଟ୍ ବାହାରକରି) ତମେ ଯାଅ, ମୁଁ ଯିବି ନାହିଁ ।

ରାଜୁ

-

(ଟଙ୍କାଧରିବିରକ୍ତ ଭାବରେ) ଯିବ ନାହିଁ, ମାନେ ? ଫେର୍‌ କ’ଣ ହେଲା ?

ଇନ୍ଦୁ

-

(ଉଦାସ ଭାବରେ) କେତେ ଆଉ ସିନେମା ଦେଖିବି ? ଭଲ ଲାଗୁନାହିଁ ।

ରାଜୁ

-

(ବିରକ୍ତରେ ହଠାତ୍‌ କିଛି କହିନପାରି ମୁହୂର୍ତ୍ତକ ପରେ) ଗଲା ପ୍ରୋଗ୍ରାମଟା ଏକଦମ୍ ମାଟି ହୋଇଗଲା । ତୁମେ ସିନେମା ଯିବ ବୋଲି ମୁଁ ଦିନସାରା କୁଆଡ଼େ ନଯାଇ ଘରେ ବସିଲି । ଆଉ ତୁମେ ଏଇଖିଣା..., କ’ଣ ଯେ ତୁମର ବେଳେବେଳେ ହୁଏ ! (ଅଜୟଆଡ଼େ ଚାହିଁ) ଶୁଣିଲ, ଭାଇ ?

ଅଜୟ

-

(ନିଜର କାଗଜପତ୍ର ସଜାଡ଼ୁ ସଜାଡ଼ୁ) ଆରେ, ବାହାରିଚ ଯେତେବେଳେ, ଯାଅ, ବୁଲିଆସ ଟିକିଏ । ମୋର ତ ଇଆଡ଼େ ଗୁଡ଼ାଏ ଲେଖାଲେଖି କାମ ବାକି ଅଛି ।

ଇନ୍ଦୁ

-

(ଅଜୟଆଡ଼କୁ ଘର ଦୃଷ୍ଟିରେ ଚାହିଁ) କାହିଁକି, ମୁଁ ଘରେ ରହିଲେ ତମର ଲେଖାଲେଖି କାମରେ କ’ଣ ଅସୁବିଧା ହଉଚି ?

ଅଜୟ

-

(ପାଟିକରି ହସିଉଠିବାର ଚେଷ୍ଟାକରି) ତମେ ଘରେ ରହିଲେ ମୋର ଅସୁବିଧା-? ଆଶ୍ଚର୍ଯ୍ୟ ! ଯୋଉ କଥା ମୁଁ କେବେ କଳ୍ପନାବି କରିନାହିଁ...

ଇନ୍ଦୁ

-

(ଅଜୟ କଥାରେ ବାଧାଦେଇ, କଠିନ ସ୍ୱରରେ) ତେବେ ରୋଜ ରୋଜ ମୋର ସିନେମା ଦେଖିବାକୁ ଯିବାରେ ତମର ଏତେ ଆଗ୍ରହ କାହିଁକି ?

ଅଜୟ

-

(ଶାନ୍ତ ସ୍ଵରରେ) ଉତ୍ତରଟା ଖୁବ୍‌ ସହଜ ତମେ ସିନେମା ଦେଖିବାକୁ ଭଲପାଅ ବୋଲି ।

ଇନ୍ଦୁ

-

(ପୂର୍ବପରି କଠିନ ସ୍ଵରରେ) ଖାଲି ସିନେମା ଦେଖିବାକୁ ମୋତେ ଭଲଲାଗେ ? ଆଉ କିଛି ମୋତେ ଭଲଲାଗେନା ?

ଅଜୟ

-

(ନିର୍ଲିପ୍ତ ସ୍ୱରରେ) କିଏ କହିଲା ସେ କଥା ? ତମକୁ ଗୀତ ଗାଇବାକୁ ଭଲଲାଗେ, ନାଚିବାକୁ ଭଲଲାଗେ, କବିତା ଲେଖିବାକୁ ଭଲଲାଗେ, ରେଷ୍ଟୁରାଣ୍ଟ୍‍ରେ ଚପ୍‌ କଟ୍‍ଲେଟ୍‍ ଖାଇବାକୁ ଭଲଲାଗେ ସେସବୁ ବାହାଘର ଆଗରୁ ମୁଁ ଜାଣିଥିଲି । (ମନକୁମନ ହସିଲା)

ଇନ୍ଦୁ

-

(ଉତ୍ତେଜନାକୁ ଚାପିବାର ଚେଷ୍ଟାକରି କିଛିଟାବିଦ୍ରୂପର ସ୍ଵରରେ) ସତେ ? ବାହାଘର ଆଗରୁ ତମେ ଏତେ ଖବର ରଖିଚ ?

ଅଜୟ

-

(ଆତ୍ମସନ୍ତୋଷ ଅନୁଭବ କରି)ବିଶ୍ୱାସ ହେଉନାହିଁ, ନା ? ରାଜୁକୁ ପଚାର, ସିଏ ସବୁ ଜାଣିଚି । ଏଇ ଲେଖାଲେଖି ଆଉ ଦୌଡ଼ାଦୌଡ଼ି କାମରେ ଦିନସାରା ମୋତେ ବ୍ୟସ୍ତ ରହିବାକୁ ପଡ଼େବୋଲି ତମର ଏଣ୍ଟରଟେନ୍‌ମେଣ୍ଟ ଭାରଟା ମୁଁ ପୂରାପୂରି ରାଜୁ ଉପରେ ଛାଡ଼ିଦେଇଚି ।

ଇନ୍ଦୁ

-

(ମନକୁମନ ଶ୍ଳେଷମିଶ୍ରିତ ସ୍ୱରରେ) କି ସୌଭାଗ୍ୟ ମୋର ! ମୋ’ପାଇଁ ତମେ ଏତେ ଚିନ୍ତା କରୁଚ ?

ଅଜୟ

-

(ନାଟକୀୟ ଭଙ୍ଗୀରେ) ନ କରି ଉପାୟ କାହିଁ ? ସ୍ଵାମୀ ହିସାବରେ ତୁମ ପ୍ରତି ତ ପୁଣି ମୋର ଗୋଟାଏ କର୍ତ୍ତବ୍ୟ ରହିଛି !

ଅଜୟ

-

କର୍ତ୍ତବ୍ୟ ! (ମୁହଁରେ ଲୁଗାକାନି ଦେଇ ହସିବାକୁ ଆରମ୍ଭ କଲା) ସବୁ କର୍ତ୍ତବ୍ୟ ତମରି, ମୋର କିଛି କର୍ତ୍ତବ୍ୟ ନାହିଁ ?

ଅଜୟ

-

ଉହୁଁ, ଭୁଲ୍ କହିଲି । ତମରବି କର୍ତ୍ତବ୍ୟ ଅଛି ଅନେକ କର୍ତ୍ତବ୍ୟ । ଯଥା, ବର୍ତ୍ତମାନପାଇଁ ଟିକିଏ ଲୁଗାପଟା ଚଞ୍ଚଳ ବଦଳାଇ ରାଜୁ ସାଙ୍ଗରେ ବାହାରିପଡ଼ । ବିଚରା ଅନେକ ସମୟହେଲା ଅପେକ୍ଷା କରିଚି । ଇଆଡ଼େ ବେଳବି ହୋଇଆସିଲାଣି । ଚଞ୍ଚଳ ନ ବାହାରିଲେ...

ଇନ୍ଦୁ

-

(ବାଧାଦେଇ) ଚଞ୍ଚଳ ମୁଁ ନ ବାହାରିଲେ ତମେ ଶାନ୍ତିରେ ଲେଖାଲେଖି କରିପାରିବ ନାହିଁ, ଏଇୟାନା ?

ଅଜୟ

-

(ସାମାନ୍ୟ ବିରକ୍ତିବୋଧ କରି) ଟିକିଏ କଥାରେ ତମେ କାହିଁକି ଏମିତି ଯୁକ୍ତିତର୍କ ଆରମ୍ଭ କରିଦିଅ, କହିଲ ? ତମେ ଘରେ ରହିଲେ ମୋର ଯଦି ଅସୁବିଧା ହେଉଥାନ୍ତା, ତେବେ ଏଇ ବୟସରେ ମୁଁ ତମକୁ ବାହାହେବାକୁ ଯାଇଥାଆନ୍ତି କାହିଁକି ? କ’ଣ ଦରକାର ଥିଲା ମୋର ବାହାହେବାର ?

ଇନ୍ଦୁ

-

ତମର କ’ଣ ଦରକାର ଥିଲାକି ନାହିଁ, ମୁଁ ଜାଣେନା । ହେଲେ ମୋ ବାପାବୋଉଙ୍କର ଦରକାର ଥିଲା, ଆଉ ତମେବି ଏ ବାହାଘରପାଇଁ ରାଜି ହୋଇଥିଲ ।

ରାଜୁ

-

(ଅପ୍ରୀତିକର ପରିସ୍ଥିତିର ଅବସାନ କରିବାର ଚେଷ୍ଟାକରି) ଡ୍ୟାମିଟ୍‌ ନୂଆବୋଉ, ଭାଇ ଯେମିତି ତମେବି ସେମିତି । ପ୍ରତିଦିନ ଥୋଡ଼ାଏ ଥୋଡ଼ାଏ ଯୁକ୍ତିତର୍କ ନ କଲେ ତମର ଯେମିତି ଭାତ ହଜମ ହୁଏନା । ସିଏ ତମକୁ କାହିଁକି ବାହାହେଲେ, ତମେ ତାଙ୍କୁ କାହିଁକି ବାହାହେଲ, ହ୍ଵାଟ୍‌ ନନ୍‌ସେନସ୍‌ ! (ଆଗେଇଯାଇ ଇନ୍ଦୁକୁ ବୁଝାଇବାର ଚେଷ୍ଟାକରି) ମୋ କଥା ମାନ, ଆଉ ଡେରି କରନା । ତମେ ଚଞ୍ଚଳ ଲୁଗାପଟା ପିନ୍ଧ, ମୁଁ ମୋ କାମ ସାରିଦିଏଁ । (କହି ଭିତର କବାଟଦେଇ ବାହାରିଗଲା)

ଅଜୟ

-

(ରାଜୁ ଚାଲିଯିବାର କେତେକ ମୁହୂର୍ତ୍ତ ପରେ, ଇତସ୍ତତଃ ଭାବରେ) କ’ଣ କହୁଥିଲିକି, ତମର ବୋଧହୁଏ ଠିକ୍ ଧାରଣା ହୋଇନାହିଁ, ଏଇ ଖବରକାଗଜ ପ୍ରତିନିଧିମାନଙ୍କ ଜୀବନଟା କ’ଣ । (ଇନ୍ଦୁକୁ ନିରୁତ୍ତର ରହିବାର ଦେଖି) ଏଇ ଦେଖନା, କେତେବେଳୁ ଟ୍ରଙ୍କ୍‍କଲଟାଏ କରିବସିଚି, ବସିଚି ତ ବସିଚି । ଟିକିଏ ଯେ ଏଠୁ ଉଠିଯାଇ ଲୁଗାପଟା ପାଲଟି ମୁହଁ ହାତ ଧୋଇ ଶାନ୍ତିରେ ନିଶ୍ୱାସ ନେଇ ନିଶ୍ଚିନ୍ତ ହୋଇ ଦି’ମିନିଟ ବସିବି, ତା’ର ଉପାୟ ନାହିଁ । ଏବେତ ଆସେମ୍ବ୍ଲି ଚାଲିଚି, ତା’ ଉପରେ ପୁଣି ସ୍ଵାମୀଜୀଙ୍କ ସାମ୍ବାଦିକ ସମ୍ମିଳନୀ । (ତଥାପି ଇନ୍ଦୁକୁ ନିରୁତ୍ତର ରହିବାର ଦେଖି ଇତସ୍ତତଃ ହୋଇ) ମୋ ଉପରେ ଖୁବ୍‌ ରାଗିଯାଇଚ, ନା-?

ଇନ୍ଦୁ

-

(ଅନ୍ୟମନସ୍କ ଭାବରେ) ରାତିରେ ଖାଇବ କ’ଣ ?

ଅଜୟ

-

ନିଜ ଚିନ୍ତାରେ ବାଧାପାଇ, ଅଧୈଯ୍ୟ ହୋଇ) ଆହା, ସେଇଟା କ’ଣ ଗୋଟାଏ ପ୍ରବଲେମ୍‌ ? ଜଳଖିଆ ଫଳଖିଆ ହେଲେ ଚଳିଯିବ ମୋ କଥାଟା ବୁଝିପାରିଲ ତ ? କେମିତି ଭାବରେ ମୋତେ କାମ କରିବାକୁ ପଡ଼େ ? ଆଉ ମୋ ପ୍ରକୃତିଟା ତ ଜାଣିଚ । ଠକେଇବାଟା ମୋଦେଇ ହେବ ନାହିଁ । ଏଇନେ ସେଇଟା ହେଇଚି ମୁସ୍କିଲ ।

ଇନ୍ଦୁ

-

(ପୂର୍ବଭଳି ନିର୍ଲିପ୍ତ ଭାବରେ) ହରିଆ ତ ଯାଇଚି ତା’ ଗାଁକୁ ଆଜି ସକାଳୁ । ଜଳଖିଆ ତିଆରି କରିବ କିଏ ?

ଅଜୟ

-

(ଅଟକିଯାଇ, ଟିକିଏ ଚିନ୍ତାକରି) ହୁଁ, ଠିକ୍‌କଥା କହିଚ । ଜଳଖିଆ ତିଆରି କରିବ କିଏ ? (ତା’ପରେ କ’ଣ ଭାବି) ତା’ବୋଲି କ’ଣ ତମ ସିନେମା ଯିବାଟା ବନ୍ଦ ହୋଇଯିବ ? ରାଜୁଟା ଏତେକରି କହିଲାଣି !

ଇନ୍ଦୁ

-

(ଶାନ୍ତ ସ୍ଵରରେ) ତମେ କ’ଣ କହୁଚ ?

ଅଜୟ

-

(ହଠାତ୍‌ କ’ଣ କହିବ ଠିକ୍‌ କରିନପାରି) ମୁଁ, ମୁଁ ଆଉ କ’ଣ କହିବି ? ଯିବାକୁ ବାହାରିଚି ଯେତେବେଳେ ମୁଁ କ’ଣ ଆଉ ମନାକରିବି ? ନା, ନା, ତମେ ଯାଅ, ଟିକିଏ ବୁଲିଆସ । ମୁଁ ଏଇନେ ଦି’ଘଣ୍ଟା ବସି ନିଉଜ ଲେଖିବି । ତୁମେ ଘରେ ବସି ବସି କରିବ କ’ଣ ? (ମନେପଡ଼ିଲା) ଆରେ ହଁ, ସେ ଛୁଆଟାକୁ ପୁଣି କ’ଣ କରିବ ? ଯଦୁବାବୁର ତ କାହିଁ ଦେଖାନାହିଁ । (ଇନ୍ଦୁକୁ ନିରୁତ୍ତର ରହିବାର ଦେଖି) ଦୁଧ, ଗ୍ଲାସ୍‍ ‌ସବୁ ଅଛି ତ ? ନା, ସରିଲାଣି ।

ଇନ୍ଦୁ

-

ଅଛି ।

ଅଜୟ

-

(ଟିକିଏ ଭାବି) ଯା ହଉ, ପିଲାଟା ଅଛି ବୋଲି ଦିନ କେତେ ତମର ଖରାବେଳଟା ଗୋଟାଏ ରକମ କଟିଯାଉଛି । (ଇନ୍ଦୁକୁ ଉଦାସ ଭାବରେ ଦୀର୍ଘ ନିଶ୍ଵାସ ନେବାର ଲକ୍ଷ୍ୟକରି କଥା ବଦଳାଇ) ଟେଲିଫୋନକୁ ଆଉ ପାରି ହେବନାହିଁ । ପ୍ରେସ୍ କଲ୍‌ଟାବି ଠିକ୍‌ ସମୟରେ ମିଳିବ ନାହିଁ । ଆଚ୍ଛା ଚାକିରି ମଣିଷ କଲା । (ଟେଲିଫୋନ୍‌ ଉଠେଇ) ଟ୍ରଙ୍କସ୍‌ ଇନକ୍ୱାରି ଦେଲେ !

 

 

(ଗୋଟାଏ ଛୋଟ ପାନିଆରେ ମୁଣ୍ଡ କୁଣ୍ଡାଇ କୁଣ୍ଡାଇ ଭିତରୁ ପ୍ରବେଶ କଲା ରାଜୁ)

ରାଜୁ

-

(ଇନ୍ଦୁକୁ ଏପର୍ଯ୍ୟନ୍ତ ବସି ରହିଥିବାର ଦେଖି) କ’ଣ ହେଇଚି ତମର, କହିଲ ?

ଅଜୟ

-

(ଟେଲିଫୋନ ଧରି) ଟ୍ରଙ୍କ୍‌ସ୍‌ ଇନକ୍ୱାରି ! ଆଚ୍ଛା, କ’ଣ ହେଲା ମୋର ପ୍ରେସ୍ କଲ୍‌ଟା ? ହଁ, ହଁ, ମୁଁ ଫାଇଭ୍ ଡବ୍ଲୁ ସିକସ୍‌ରୁ ‘ଦୈନିକ ଜନତା’ର ରିପ୍ରେଜେଣ୍ଟେଟିଭ କହୁଚି । କ’ଣ କହିଲେ, ଆହୁରି ଦଶ ପନ୍ଦର ମିନିଟ ? ନା, ନା, ଶୁଣନ୍ତୁ-ବିରକ୍ତ ହୋଇ ଟେଲିଫୋନ୍‌ ରଖିଦେଇ) ଖାଲି ମଣିଷକୁ ହଇରାଣ କରିବାର ମତଲବ୍‌

 

 

(ଇନ୍ଦୁ ହଠାତ୍‌ ହସିଉଠିଲା ମନକୁମନ)

ରାଜୁ

-

(ଇନ୍ଦୁକୁ ହଠାତ୍‌ ହସିବାର ଦେଖି) କ’ଣ ହେଲା, ହସୁଚ ଯେ ?

ଇନ୍ଦୁ

-

(ହସକୁ ଚାପିବାର ବ୍ୟର୍ଥ ପ୍ରୟାସ କରି ବାବ୍‍ଲୁର ଗପଟା ମନେପଡ଼ିଗଲା ।

ରାଜୁ

-

(ଇନ୍ଦୁକୁ ଆଉ କିଛି କହିବାର ସୁଯୋଗ ନ ଦେଇ ) ଓହୋ, ସେଇ ଗପଟା ତ ? ହଁ, ହଁ, ଶୁଣିଚି । ଗୋଟାଏ ଜଙ୍ଗଲ ଥିଲା, ନା ? (ଅନୁନୟ ସ୍ୱରରେ) ଆଉ ଡେରି କରନାହିଁ, ନୂଆବୋଉ, ପ୍ଲିଜ୍‌ !

ଇନ୍ଦୁ

-

(ସତେଯେମିତି ପଛକଥାଟା ଶୁଣିନାହିଁ) କ’ଣ କହିଲି ? ଜଙ୍ଗଲ ? ହଁ, ଗୋଟାଏ ମସ୍ତବଡ଼ ଜଙ୍ଗଲ ଥିଲା । ସେଥିରେ ଗୋଟାଏ ଛୋଟ ଭାଲୁ ଥିଲା-

ଅଜୟ

-

(ବିସ୍ମୟ ବୋଧ କରି) ଭାଲୁ ?

ଇନ୍ଦୁ

-

(ଉତ୍ସାହ ଓ ଉତ୍ତେଜନାରେ) ହଁ, ଗୋଟାଏ ଛୋଟ ଭାଲୁ ଥିଲା । ଭାଲୁକୁ ଜର ହେଲା । ଡାକ୍ତର ଇଞ୍ଜେକ୍‌ସନ୍‌ ଦେଲା । ଭାଲୁ ଦେହରୁ ରକ୍ତ ବୋହିଲା । ଭାଲୁଟା-(ଉତ୍ତେଜିତ ଭାବରେ ହସିଉଠି) ଭାଲୁଟା ମରିଗଲା ।

ଅଜୟ

-

(ଇନ୍ଦୁର ଅପ୍ରାକୃତିକ ଅବସ୍ଥା ଲକ୍ଷ୍ୟକରି, ରାଜୁକୁ) ମୁଁ ଗାଧୁଆଘରେ ଅଛି । କଲ୍‌ଟା ଆସିଲେ ସାଙ୍ଗେ ସାଙ୍ଗେ ଡାକିଦେବୁ । (କହି ଘର ଭିତରକୁ ଚାଲିଗଲା । କେତେକ ମୁହୂର୍ତ୍ତ ଇତସ୍ତତଃ ହୋଇ ଠିଆହେବା ପରେ ରାଜୁ, ଇନ୍ଦୁ ପାଖରେ ବସିପଡ଼ିଲା)

ରାଜୁ

-

ତମର ଯଦି ଯିବାର ଇଚ୍ଛା ନାହିଁ, କହିଦିଅ ମୁଁ ଜବରଦସ୍ତି କରିବି ନାହିଁ ।

ଇନ୍ଦୁ

-

(ରାଜୁ କଥାରେ କର୍ଣ୍ଣପାତ ନ କରି ପୂର୍ବଭଳି ଉତ୍ସାହରେ) ତମକୁ ଗପଟା ଭଲଲାଗିଲା କି ନାହିଁ, କହିଲ ଆଗେ ।

ରାଜୁ

-

କେତେଥର ଆଉ କହିବି ?

ଇନ୍ଦୁ

-

(ଖୁସି ହୋଇ) ଭଲ ଲାଗିଲା ତ ? ମୁଁ ତ ତା’ମୁହଁରୁ ଏ ଗପ ଶୁଣି ହସି ହସି ଏକଦମ ବେଦମ୍‌ ଏମିତି ମଜାରେ ସେ କୁହେନା ! ଆଜି ଖରାବେଳଟା ସାରା ସିଏ କହୁଚି, ମୁଁ ଶୁଣୁଚି, ସେଇ ଏକା ଗପ । ଜଙ୍ଗଲ ଥିଲା, ଭାଲୁ ଥିଲା, ଇଞ୍ଜେକ୍‌ସନ୍‌କୁ କହୁଚି ଇଗ୍‌ଜେସନ୍ ଦେଲା, ଭାଲୁ ଦିହରୁ ରକ୍ତ ବୋହିଲା-

ରାଜୁ

-

(ନିରାସକ୍ତ ସ୍ୱରରେ ବାକ୍ୟ ସମ୍ପୂର୍ଣ୍ଣ କରି ) ତା’ପରେ ଭାଲୁ ମରିଗଲା ।

ଇନ୍ଦୁ

-

(ଉତ୍ସାହରେ ହଠାତ୍‌ ହାତତାଳି ଦେଇ) ହଁ, ମରିଗଲା ।

ରାଜୁ

-

(ବିରକ୍ତ ହୋଇ) ଆଉ ତା ସାଙ୍ଗରେ ପ୍ରୋଗ୍ରାମଟାବି ବୁଡ଼ିଗଲା । ରିକ୍‌ସାରେ ଯାଇ ଘଣ୍ଟାକ ପରେ ପହଞ୍ଚିଲାବେଳକୁ ପିକ୍‌ଚର୍‌ କ’ଣ ଆଉ ଅପେକ୍ଷା କରିଥିବ-? ଟିକେଟ ମିଳିବାବି ମୁସ୍କିଲ ହୋଇଯିବ ।

ଇନ୍ଦୁ

-

(ବ୍ୟସ୍ତଭାବରେ ଠିଆ ହୋଇପଡ଼ି) ଆରେ ସତେନା କ’ଣ ? କେତେଟା ବାଜିଚି, କହିଲ, ତୁମ ଘଡ଼ିରେ ? (ରାଜୁର ହାତ ଟାଣିନେଇ ଘଡ଼ି ଦେଖି) ଏଁ, ପାଞ୍ଚଟା ବାଜିଗଲାଣି ? ଇସ୍‌,ଦେଖିଲ ! ଆଚ୍ଛା !, ଗୋଟାଏ ମିନିଟରେ ମୁଁ ଲୁଗା ବଦଳାଇ ଆସୁଚି । ନା, ନା, ମୋଟେ ଡେରି ହେବନାହିଁ । ଫିଲ୍‌ମଟା କ’ଣ କହୁଥିଲ ତ ? ‘ଲଭ୍‌ ଇନ୍‌ ଟୋକିଓ’ ନା ? ନା, ନା, ଯେମିତି ହଉ, ଯିବା ।

 

 

(କହି କହି ଘର ଭିତରକୁ ଚାଲିଗଲା । ବାଁ’ପଟ ଦୁଆର ବାଟେ ଘର ଭିତରକୁ ପ୍ରବେଶ କଲେ ଯଦୁବାବୁ । ଗୋଟାଏ ହାତରେ ଛତା, ଅନ୍ୟ ହାତରେ ପରଦା ଭର୍ତ୍ତି ଗୋଟାଏ କାନଭାସ୍‌ ବ୍ୟାଗ୍‌ କ୍ରମାଗତ କିଛିଦିନ ଧରି କ୍ଷର ନ ହୋଇଥିବା ଫଳରେ ମୁହଁରେ କିଛିଟା ଦାଢ଼ି । ବେଶଭୂଷା ମଳିନ । ମୁହଁଟା ରୁକ୍ଷ ଜଣାପଡ଼େ । କିନ୍ତୁ ଆଖି ଦି’ଟାରେ ଏକ ଅସ୍ୱାଭାବିକ ଦୀପ୍ତି ସୁସ୍ପଷ୍ଟ ।)

ଯଦୁ

-

ପାଟିଗୋଳ ତ କିଛି ଶୁଭୁନାହିଁ ! ଶୋଇଚି ବୋଧହୁଏ ?

ରାଜୁ

-

ହଁ, ଶୋଇଚି ନା କ’ଣ । ଆପଣ ଟିକିଏ ବସନ୍ତୁ, ମୁଁ ନୂଆବୋଉଙ୍କୁ କହୁଚି - (ଯିବାକୁ ଉଦ୍ୟତ ହେଲା)

ଯଦୁ

-

(ରାଜୁକୁ ଅଟକାଇ, ଜବରଦସ୍ତି ବସାଇ, ନିଜେ ବସିଲେ) ଥାଉ ଥାଉ, ନୂଆବୋଉକୁ ମିଛରେ ଏତେ, ହଇରାଣ କରିବା ଦରକାର ନାହିଁ । ମୁଁ’ବି ଏକ୍‍ଦମ୍ ଥକିଯାଇଚି । ଅଫିସ୍‍ରୁ ହସ୍‌ପିଟାଲ୍‌, ହସ୍‌ପିଟାଲ୍‌ରୁ ହାଟ, ଫେର ରାତିରେ ହସ୍‌ପିଟାଲ୍

ରାଜୁ

-

ମାଉସୀଙ୍କ ଦେହ ଟିକିଏ ଭଲଆଡ଼କୁ ଆସିଲାଣି ?

ଯଦୁ

-

ହଁ, କୌଣସିମତେ ବିଛଣାରେ ଉଠି ବସିପାରିଲାଣି । ବାସ୍‌, ସେତିକି ।

ରାଜୁ

-

ଦିନକେତେ ପୂରା ରେଷ୍ଟ୍‌ ପାଇଲେ ସବୁ ଠିକ୍‌ ହୋଇଯିବ ।

ଯଦୁ

-

ରେଷ୍ଟ୍‌ ? (ସତେ ଯେମିତି ବଡ଼ କୌତୁକ ଅନୁଭବ କଲେ) ଡାକ୍ତରଟାବି ସେଇକଥା କହୁଚି-ରେଷ୍ଟ୍‌ ମୁଁ’ବି କହୁଚି ରେଷ୍ଟ୍‌

ରାଜୁ

-

(ଇତସ୍ତତଃ ହୋଇ) ତେବେ କ’ଣ ମାଉସୀ-

ଯଦୁ

-

(ରାଜୁକୁ ବାଧାଦେଇ) ମାଉସୀ ? ମାଉସୀବି କହୁଚି - ରେଷ୍ଟ୍‌ (ରାଜୁ କିଛି ବୁଝିନପାରି ଅନେଇଥିବାର ଦେଖି ହଠାତ୍‌ ଚପାସ୍ୱରରେ) ଗୋଟାଏ ଗୋଟାଏ ବୋତଲବି.ଜି. ଫସ୍‌ ଟନିକର ଦାମ ଜାଣିଚ, ରାଜୁବାବୁ ? ଷୋଳ ସତର ଟଙ୍କା । ଖୁବ୍‌ କମ୍‌ରେ ମାସକୁ ତିନ ବୋତଲ । ଇଞ୍ଜେକସନ୍‌, ଭିଟାମିନ ଟାବଲେଟ୍‍ ତ ପ୍ରତିଦିନ ଦି’ଓଳି । ୟା’ଛଡ଼ା ଅଣ୍ଡା କି କଲିଜା ନ ହେଲେ ଡାଏଟ୍‌ଟା-ମାନେ-ଠିକ୍‌(ରସିକତାରେ ହସିଉଠିଲେ)

ରାଜୁ

-

(କ’ଣ କହିବ ଠିକ୍‌କରି ନ ପାରି) ମାସେ ଦି’ମାସ ଖଣ୍ଡେ ଅନ୍ତତଃ ଟିକିଏ-

ଯଦୁ

-

(ପୁଣି ରାଜୁକୁ ବାଧାଦେଇ) ବୁଝିଚି, ସବୁ ବୁଝିଚି । ବଡ଼ ଝିଅର ଶଶୁର ଘରେ ଛ’ଟି ଯାକ ପିଲାଙ୍କୁ ଛାଡ଼ିଦେଇ ଆସିଚି । ଶୁଣିବ, ବଡ଼ ଝିଅ କ’ଣ ଚିଠି ଲେଖିଚି ? (ରାଜୁ, ବାଧାଦେବା ଆଗରୁ ଚିଠି କାଢ଼ି ପଢ଼ିବାକୁ ଆରମ୍ଭ କଲେ) ବୋଉର କିଛିଦିନ ରେଷ୍ଟ୍‌ ଦରକାର । (ମନକୁମନ ହସିଉଠି) ସିଏବି ଛାଡ଼ି ନାହିଁ । ଲେଖିଦେଇଚି-ରେଷ୍ଟ୍‌

ରାଜୁ

-

ଠିକ୍‌ କଥାତ ଲେଖିଚି ।

ଯଦୁ

-

(ରାଜୁ, କଥା ନ ଶୁଣି, ଚିଠିର ଅନ୍ୟ ଅଂଶ ପଢ଼ି ) ତିନି ଚାରିଦିନ ହେଲା ମୋ ଦେହବି ଭଲ ନାହିଁ । ଦେହହାତ ସବୁବେଳେ ଏତେ ବିନ୍ଧୁଚି ଯେ କିଛି କାମଦାମ କରିପାରୁ ନାହିଁ । ଏ ଅବସ୍ଥାରେ ଟୁନୁ, କୁନା ଜଲିଙ୍କ ଦାୟିତ୍ୱ ମୁଁ ବେଶିଦିନ ନେଇପାରିବି ନାହିଁ । ହସ୍‌ପିଟାଲ୍‌ରୁ ବୋଉ ଫେରିବାମାତ୍ରେ ଖବରଦେଲେ ଏମାନଙ୍କୁ ସେଠିକି ପଠେଇଦେବି । (ଚିଠି ପଢ଼ିସାରି ରାଜୁଆଡ଼କୁ ଅନାଇ କ’ଣ, କିଛି ବୁଝିପାରିଲ ? (ରାଜୁକୁ କୌଣସି ଉତ୍ତର ଦେବାର ନ ଦେଖି ସାନ୍ତ୍ୱନାର ସ୍ୱରରେ) ସତେ ଯେମିତି ଗୋଟାଏ ଡ୍ରିମ୍‌ ! ଏଇ ବଡ଼ ଝିଅଟା ଯେତେବେଳେ ଜନ୍ମ ହେଲା, ମାଉସୀକୁ ମୁଁ କହିଥିଲି, ତମର ଭାଗ୍ୟ ଭାରି ତେଜ୍‌ ଫାଷ୍ଟ୍ ଇସୁ ଝିଅ ହେବାମାନେ, ଲକ୍ଷ୍ମୀଙ୍କ କୃପା । କପାଳ ଫିଟିଯିବ । ଶେଷକୁ ସେଇ ବଡ଼ ଝିଅର ବାହାଘରରେ ମୁଁ ସର୍ବସ୍ୱାନ୍ତ ହେଲି । ମାଉସୀ ହାତରେ ଦି’ପଟ ସୁନା ଚୁଡ଼ିବି ରହିଲା ନାହିଁ । ବଡ଼ ଝିଅ ସବୁ ଦେଖିଚି, ସବୁ ଶୁଣିଚି । ସେଇଥିଲାଗି ଆଜି ସିଏ ଲେଖିଚି, ବୋଉର ରେଷ୍ଟ୍‌ ଦରକାର ହେଲେ ପିଲାଛୁଆଙ୍କ ଦାୟିତ୍ୱ ସିଏ ନେଇପାରିବ ନାହିଁ । ତା’ର ଅର୍ଥ ଭାରି ପରିଷ୍କାର । ହସ୍‌ପିଟାଲରୁ ବୋଉ ଦରମରା ଅବସ୍ଥାରେ ଫେରି ଛୁଆପିଲାଙ୍କ ଜଞ୍ଜାଳରେ ସବୁଦିନପାଇଁ ରେଷ୍ଟ୍‌ନେଉ-। (ପୁଣି ରସିକତାରେ ହସିଉଠିଲେ)

ରାଜୁ

-

(ହାତଘଡ଼ି ଦେଖି, ବାତାବରଣକୁ ଟିକିଏ ସହଜ କରିବାର ଚେଷ୍ଟାକରି ) କୁଆଡ଼େ ଗଲେ ନୂଆବୋଉ ?

ଯଦୁ

-

(ରାଜୁକୁ ବାଧାଦେଇ) ନା, ନା, ତମେ ବ୍ୟସ୍ତ ହୁଅନାହିଁ । ବଳେ ସିଏ ଆସିବ । ୟା’ରି ଭିତରେ ମୁଁ ବରଂ ତମ ସାଙ୍ଗରେ ମନଖୋଲ ଦି’ ଚାରିପଦ କଥାବାର୍ତ୍ତା ହୋଇଯାଏଁ । ତମେତ କଲେଜରେ ପଢ଼ୁଚ, ପାଟି କରୁଚ, ହସୁଚ, ହୁଇସିଲ୍‍ମାରି ଗୀତ ଗାଉଚ ! ଗୋଟାଏ କଥା ବିଶ୍ୱାସ କରିବ ? (ରାଜୁ କିଛି କହିବା ପୂର୍ବରୁ) ମୁଁ’ବି ଦିନେ ଠିକ୍‌ ତୁମରିପରି ଥିଲି ।

 

 

(ପୁଣି ସଶବ୍ଦରେ ହସିଉଠିଲେ ଯଦୁନାଥ । ରାଜୁ ଥରେ ହାତଘଡ଼ିଆଡ଼କୁ, ତା’ପରେ ଭିତର ଦୁଆରଆଡ଼କୁ ଅସହାୟ ଭାବରେ ଚାହିଁଲା)

ଯଦୁ

-

(ରାଜୁର ଭାବାନ୍ତର ଲକ୍ଷ୍ୟକରି) ଶୁଣିବ, କେମିତି ? ବାପା ଥିଲେ ଏସ୍‌.ଡ଼ି.ଓ କୋର୍ଟରେ ପେଷ୍କାର । ପଇସାପତ୍ର ଅଜସ୍ର । ବାପା ବୋଉଙ୍କ ଏକମାତ୍ର ପୁଅ ମୁଁ; ଯାହା ଯେତେବେଳେ ଚାହିଁଚି, ପାଇଚି । ମାଟ୍ରିକ ପାସ୍‌କରି ଯେତେବେଳେ କଲେଜରେ ନାଁ ଲେଖାଇଲି, ଗର୍ବ ଆଉ ଆନନ୍ଦରେ ବାପାବୋଉଙ୍କ ପାଦ ଆଉ ତଳେଲାଗିଲା ନାହିଁ । ମୋପାଇଁ ଦାମିକା ଘଡ଼ି ଆସିଲା, ଚକ୍‌ଚକ୍‌ ଇଂଲିଶ ରାଲେ ସାଇକଲ ଆସିଲା, ତା ସାଙ୍ଗକୁ ନୂଆ ନୂଆ ପୋଷାକପତ୍ର, ଜୋତା, ଆହୁରି କେତେ କ’ଣ । ସାଇପଡ଼ିଶା ବନ୍ଧୁବାନ୍ଧବ କହିଲେ, ଯଦୁକୁ ପାଠ ପଢ଼ାଅ, ସିଏ ନିଶ୍ଚେ ଗୋଟାଏ ବାରିଷ୍ଟର କି ଓକିଲ ହେବ । ମୁଁ’ବି କମ୍‌ନ ଥିଲି । ପଢ଼ାରେ ଯେମିତି, ଖେଳରେ ସେମିତି, ଗୁଣ୍ଡାମି ବଦମାସିରେବି ସେମିତି । କାହାରିକୁ ଖାତିର କରୁନଥିଲି । ସବୁ ଠିକ୍‌ ଥିଲା, ମଝିରେ କ’ଣ ଯେ ହୋଇଗଲା- ସତରେ ଗୋଟାଏ ଡ୍ରିମ୍ ! (ଅତୀତର କଥା ସ୍ମରଣକରି ଗୋଟାଏ ଦୀର୍ଘ ନିଶ୍ୱାସ ନେଲେ । ରାଜୁ ଅସ୍ଥିରଭାବେ ଉଠି ଠିଆହେଲା; ହାତଘଡ଼ି ଦେଖିଲା)

ରାଜୁ

-

ପାଞ୍ଚଟା କୋଡ଼ିଏ ହୋଇଗଲା ।

ଯଦୁ

-

(ରାଜୁ କଥାରେ ଗୁରୁତ୍ୱ ନ ଦେଇ) କ’ଣ କହିଲ,ପାଞ୍ଚଟା କୋଡ଼ିଏ ? ହଁ ହବ, ହବ । (ତା’ପରେ ଟିକିଏ ରହି) ବାରିଷ୍ଟର ଯଦୁନାଥ ଚୌଧୁରୀ ଆଜି କିରାଣୀ ଯଦୁ ଚୌଧୁରୀ । ଅଫିସ ନୋଟ୍‌ ସିଟ୍‌ର ବାଁ’ପଟେ ଦସ୍ତଖତ କରି କରି, ଅଫିସ୍‌ର ବାଁ’ପଟ ଝରକା ବାଟେ ଦୂରର କୃଷ୍ଣଚୂଡ଼ା ଗଛ ଆଉ ଆକାଶର ଭସାମେଘ ଦେଖି ଦେଖି ସେଇଥିରେ ମୁଁ ସନ୍ତୁଷ୍ଟ ।

ରାଜୁ

-

ତେବେ ତ ବଡ଼ ମୁସ୍କିଲ କଥା ! ନା, ନୂଆବୋଉଙ୍କୁ ଡାକୁଚି । (ଅପେକ୍ଷା କରିନପାରି ଡାକିଲା) ନୂଆବୋଉ ହେଇ, ଯଦୁବାବୁ ଆସିଲେଣି ।

ଯଦୁ

-

(ରାଜୁକୁ ବାଧାଦେଇ) ଆହା, ଇନ୍ଦୁ ମା’କୁ ଫେର୍ କାହିଁକି ହଇରାଣ କରୁଚ ? ମୁଁ ବରଂ ଟିକିଏ ବସିଯାଉଚି, ବଳେ ସିଏ ଆସିବ ନାହିଁ ।

ରାଜୁ

-

(ଯଦୁନାଥଙ୍କୁ ବୁଝାଇବାର ଚେଷ୍ଟାକରି) ନା, ନା, କଥାହଉଚି, ଆମର ଟିକିଏ ବାହାରକୁ ଯିବାର ଅଛି ଯେ, ସେଇଥିଲାଗି-

ଯଦୁ

-

(ବ୍ୟସ୍ତହୋଇ ଉଠି ଠିଆହୋଇ) ଓ’ହୋ, ବାହାରକୁ ବାହାରିଚ ? କହୁନ କାହିଁକି ସେକଥା ? ମୁଁ ମିଛଟାରେ ଏତେ ସମୟ ତମକୁ ଅଟକେଇ ରଖିଲି ! ହଉ, ହଉ, ଡାକ, ଇନ୍ଦୁ ମା’କୁ ଡାକିଲ, ବାବ୍‍ଲୁକୁ ମୁଁ ନେଇଯାଏଁ ।

 

 

(ଭିତରୁ ପ୍ରବେଶ କଲା ଅଜୟ । ହାତରେ ଗୋଟାଏ ତଉଲିଆ । ପ୍ରବେଶ କରି ଯଦୁନାଥଙ୍କୁ ଦେଖି ତା’ର ଭ୍ରୂକୁଞ୍ଚିତ ହେଲା)

ଅଜୟ

-

(ଯଦୁନାଥଙ୍କୁ ଲକ୍ଷ୍ୟକରି) ବାବ୍‍ଲୁକୁ ନବାକୁ ଆସିଚନ୍ତି ବୋଧହୁଏ ? ଛୁଆଟା ତ ଏଯାଏଁ ଶୋଇଚି ।

ଯଦୁ

-

ଶୋଇଚି ? ରକ୍ଷା । ଯେତେ ଶୋଇବ ସେତେ ଭଲ । ଦିନସାରା ଇଆଡ଼େ ସିଆଡ଼େ ଦୌଡ଼ାଦୌଡ଼ି କରି ଯେମିତି ଟାୟାର୍ଡ଼ ଲାଗିଲାଣି ପିଲାଟାକୁ ସମ୍ଭାଳିବା ମୁସ୍କିଲ ।

ଅଜୟ

-

ଠିକ୍‌ କହିଚନ୍ତି, ସମ୍ଭାଳିବା ମୁସ୍କିଲ । ହେଲେ, କ’ଣ କରାଯିବ ? ସମ୍ଭାଳିବାକୁତ ପଡ଼ିବ ! ଦାୟିତ୍ୱ ମାତ୍ରେଇ ସେଇଆ ।

ଯଦୁ

-

(ବିନୟରେ ହସି) ଆଜ୍ଞା, ଯାହା କହିଚନ୍ତି । ଦାୟିତ୍ୱଟା ଥରେ ମୁଣ୍ଡରେ ପଡ଼ିଲେ ଆଉ ଉଁ ନାହିଁ କି ଚୁଁ ନାହିଁ ।

ଅଜୟ

-

(ଯଦୁନାଥଙ୍କୁ ବୁଝାଇବାର ଚେଷ୍ଟାକରି) ଏଇ ମୋ କଥାଟା ଧରନ୍ତୁନା ! ରାତିରେ ଖବରକାଗଜ ବାହାରିବ, ମୋର ଇଆଡ଼େ ଆଖିରେ ନିଦ ନାହିଁ । ଠିକ୍‌ ସମୟରେବି ‘ନିଉଜ’ତକ ନ ପହଞ୍ଚିଲେ ରକ୍ଷା ନାହିଁ । ଏଇଟା ହେଲା କମ୍ପିଟିସନ୍‍ର ଯୁଗ । ତା’ଛଡ଼ା ‘ଦୈନିକ ଜନତା’ର ତ ପୁଣି ଗୋଟାଏ ପ୍ରେସ୍‌ଟିଜ୍‌ ଅଛି !

ଯଦୁ

-

ଅଲବତ୍‌ ଅଛି । ଆପଣଙ୍କ ‘ଦୈନିକ ଜନତା’ର ନିଶ୍ଚୟ ପ୍ରେସ୍‌ଟିଜ୍‌ ଅଛି । (ରସିକତାରେ ହସି) । ପ୍ରେସ୍‌ଟିଜ୍‌ ନାହିଁ ଖାଲି ଜନତାର । (ଅଜୟ କିଛି ବୁଝିନପାରି ଅନାଇଁଥିବାର ଦେଖ) ଆମରି ଭଳି ଜନତାର । ଘରେ ବାହାରେ ସବୁଠି ବେଜିତ୍‌ ବେଳକାଳ ଯାହା ପଡ଼ିଚି, ଆପଣ ତ ଦେଖୁଚନ୍ତି ।

ଅଜୟ

-

(ଟେବୁଲ୍ ଉପରେ କାଗଜପତ୍ର ସଜାଡ଼ୁ, ସଜାଡ଼ୁ) ସେଇଥିପାଇଁ ତ କହୁଚ, ‘ଦୈନିକ ଜନତାର’ ଗୋଟାଏ ପ୍ରେସ୍‌ଟିଜ୍ ଅଛି । ଆମର ଏଡ଼ିଟୋରିଆଲଗୁଡ଼ାକ ନିୟମିତ ପଢ଼ନ୍ତି ଆପଣ ?

ଯଦୁ

-

(ଇତସ୍ତତଃ ଭାବରେ) ଆଜ୍ଞା ନା, କିଛିଦିନ ହେଲା ଯେମିତି ପରିସ୍ଥିତି ହେଇଚି, ପଢ଼ାପଢ଼ି କିଛି କରିପାରୁ ନାହିଁ ।

ଅଜୟ

-

ପଢ଼ନ୍ତୁ, ପଢ଼ନ୍ତୁ, ସବୁ ବୁଝିପାରିବେ । ଦେଶର ଆର୍ଥିକ ପରିସ୍ଥିତି ସମାଧାନ କରିବାରେ ସରକାରୀ ଅପାରଗତା ଫଳରେ ଲୋକଙ୍କର ଯେଉଁ ଦୁଃଖଦୁର୍ଦ୍ଦଶା, ସେଥିପାଇଁ ‘ଦୈନିକ ଜନତା’ ସରକାରଙ୍କୁ ବାରମ୍ବାର ସାବଧାନ କରିଦେଇଚି ।

ଯଦୁ

-

ରକ୍ଷା !

ଅଜୟ

-

ଖାଲି କ’ଣ ସେତିକି ? ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ଵାମୀଜୀ କ’ଣ କହିଚନ୍ତି, ଜାଣନ୍ତି ? କହିଚନ୍ତି, ରାଜ୍ୟରେ ବର୍ତ୍ତମାନ ଯେଉଁ ଦୁର୍ଭିକ୍ଷ ପରିସ୍ଥିତି ଦେଖାଦେଲାଣି, ସରକାର ଅତିଶୀଘ୍ର ତା’ର ପ୍ରତିକାର କରିନପାରିଲେ ଗଣବିପ୍ଳବ ନିଶ୍ଚିତ । ଇଆଡ଼େ ଆସେମ୍ବ୍ଲିରେବି ସେଇ ଦୁର୍ଭିକ୍ଷ କଥାନେଇ ଚାଲିଚି ତମ୍ବିତୋଫାନ । ଏଇସବୁ ସମସ୍ୟାକୁ ଲୋକଙ୍କ ଆଗରେ ଥୋଇ ସେଥିପାଇଁ ଜନ-ଜାଗରଣ ସୃଷ୍ଟି କରିବା ହେଉଚି ‘ଦୈନିକ ଜନତା’ର ପଲିସି ।

ଯଦୁ

-

ପଲିସି ଠିକ୍‌ ଅଛି, ଆଜ୍ଞା, କାହା ଜିଭରେ ହାଡ଼ ଅଛି, ସେ ମନାକରିବ ? ଛାଡ଼ନ୍ତୁ ଆଜ୍ଞା, ସେସବୁ କଥା । ଆମରତ ଆସେମ୍ବ୍ଲିରେ ବକ୍ତୃତା ଦେବାର ନାହିଁ, କି ଖବର କାଗଜରେ ଷ୍ଟେଟ୍‌ମେଣ୍ଟ୍ ଦେବାର ନାହିଁ !

ଅଜୟ

-

(ପ୍ରଚ୍ଛନ୍ନ ବିଦ୍ରୂପରେ) ଆପଣଙ୍କର ଅବଶୋଷ ହେଉଚିନା ?

ଯଦୁ

-

ଅବଶୋଷ ? କ’ଣ ଯେ କହନ୍ତି ଆପଣ ! ଅବଶୋଷ କରିବାର ବଳ ବୟସ ଆଉ କ’ଣ ମୋର ଅଛି ?

 

 

ଅବଶୋଷ ମୁଁ କାହା ଉପରେ କରିବି ? ତେବେ ହଁ, ବେଳେବେଳେ ନିଜ ଉପରେ ଭାରି ଅବଶୋଷ ହୁଏ ।

ଅଜୟ

-

ସେଇଟାଇ ତ ସବୁଠୁ ବେଶି ସାଂଘାତିକ । ନା, ନା, ଯଦୁବାବୁ, ଆପଣଙ୍କ ଭଳି ବୁଝିବାଶୁଝିବା ଲୋକ ଏମିତି ଭାଙ୍ଗିପଡ଼ିବାଟା ମୋଟେ ଭଲକଥା ନୁହେଁ । ମନରେ ଧୈର୍ଯ୍ୟ ରଖନ୍ତୁ, ସାହସ ରଖନ୍ତୁ, ଭବିଷ୍ୟତ ଉପରେ ବିଶ୍ୱାସ ରଖନ୍ତୁ ।

ଯଦୁ

-

(ଚିନ୍ତିତ ସ୍ୱରରେ) ଏକ୍‌ଜାକ୍‌ଟ୍‌ଲି ! ଖାଣ୍ଟି କଥା କହିଛନ୍ତି ଆପଣ । କଥାଟା ଅକ୍ଷରେ ଅକ୍ଷରେ ସତ । ହେଲେ ଯେତେ ଚେଷ୍ଟାକରୁଚି ମନରେ ଦମ୍ଭ ବାନ୍ଧିବାକୁ, ପାରୁନାହିଁ । କ’ଣ ମୁଁ କରିବି ? ଆପଣ କିଛି ଗୋଟାଏ ଉପାୟ କହିପାରିବେ, ଅଜୟବାବୁ ?

ଅଜୟ

-

ମୁଁ ଆପଣଙ୍କୁ ଉପାୟ ବତେଇବି ? ଦିନରାତି ହାଡ଼ଭଙ୍ଗା ପରିଶ୍ରମ କରି କରି ନିଜ ରକ୍ଷଣ ଅସମ୍ଭାଳ, ମୁଁ ଆପଣଙ୍କୁ କି ଉପାୟ ବତେଇବି ?

ଯଦୁ

-

(ହଠାତ୍‌ ଉଠିପଡ଼ି ଅଜୟର ହାତଧରି) ଆପଣ ପାରିବେ, ଅଜୟବାବୁ, ଆପଣ ନିଶ୍ଚୟ ପାରିବେ ! ଦୈନିକ ଜନତା’ର ପ୍ରତିନିଧି ଆପଣ, ଆପଣ ଚାହିଁଲେ ଉପର ମହଲରେ କାହାକୁ ଧରାଧରି କରି ମୋତେ ଗୋଟାଏ ମସ୍ତବଡ଼ ବିପଦରୁ ଉଦ୍ଧାର କରିପାରନ୍ତେ)

ଅଜୟ

-

(ଯଦୁନାଥଙ୍କ କଥାରେ ବିସ୍ମୟ ବୋଧକରି) ଆପଣ କ’ଣ ଆପଣଙ୍କ ସ୍ତ୍ରୀଙ୍କପାଇଁ କିଛି ଗୋଟାଏ-

ଯଦୁ

-

(ଚପାସ୍ୱରରେ) ସ୍ତ୍ରୀ ନୁହେଁ, ଅଜୟବାବୁ, ତା’ପାଇଁ ମୋର ଟିକିଏ ଚିନ୍ତା ନାହିଁ । ବଞ୍ଚିବାର ଥିଲେ ବଞ୍ଚିବ, ମରିବାର ଥିଲେ ମରିବ । ମୁଁ ନିଜ କଥା କହୁଚି, କିରାଣୀ ଯଦୁ ଚୌଧୁରୀ କଥା । ବେକ ଉପରେ ମୋର ଖଣ୍ଡା ଝୁଲୁଚି । ଆଉ କେତୁଟା ଦିନ ପରେ ହୁଏତ ଛୁଆପିଲାଙ୍କୁ ସାଙ୍ଗରେ ଧରି ରାସ୍ତାରେ ମୋତେ ଭିକ ମାଗିବାକୁ ପଡ଼ିବ ।

ଅଜୟ

-

(ଗମ୍ଭୀର ସ୍ୱରରେ) କ’ଣ ହୋଇଚି ଆପଣଙ୍କର ?

ଯଦୁ

-

ଶୁଣିବେ ? ଶୁଣନ୍ତୁ ତେବେ । ଆପଣଙ୍କୁ ଲୁଚେଇ କିଛି ଲାଭ ନାହିଁ । ଦି’ମାସ ତଳେ ଦିନେ ପିଲାଙ୍କ ସ୍କୁଲ ଖାତା କରିବାପାଇଁ ଅଫିସ୍ କାଗଜରୁ ଦି’ ତିନିଦିସ୍ତା କାଗଜ ନେଇ ଅଫିସ୍‍ରୁ ବାହାରିଲାବେଳେ ଧରାପଡ଼ିଗଲି । ଦି’ ତିନିଦିସ୍ତା ମାତ୍ର କାଗଜ, କିଛି ସିକ୍ରେଟ୍‌ ଡକୁମେଣ୍ଟ୍‌ ନୁହେଁ କି ଅଫିସ କ୍ୟାସ୍‌ର ଟଙ୍କା ପଇସା ନୁହେଁ-। ଧରା ପଡ଼ିଗଲି । କୌଣସି କୈଫିତ୍‌ କାମରେ ଲାଗିଲା ନାହିଁ । ମୋ ବିରୁଦ୍ଧରେ ଅଭିଯୋଗ ହେଲା, ମୁଁ ଦୁର୍ନୀତି କରିଚି, ଜାଣିଶୁଣି ସରକାରୀ ସମ୍ପତ୍ତି ଚୋରି କରିଚି । ବାସ୍‌, ଆଉ କିଛି କଥା ନାହିଁ । ଉପରୁ ହୁକୁମ୍‌ଆସିଲା,ବିଚାର ଶେଷ ନହେବା ପର୍ଯ୍ୟନ୍ତ ଯଦୁ ଚୌଧୁରୀକୁ ସସ୍‌ପେଣ୍ଡ କରାଗଲା । ମୁଁ ସସ୍‌ପେଣ୍ଡ ହୋଇଗଲି ।

ଅଜୟ

-

(ବିସ୍ମିତ ଭାବରେ) କିନ୍ତୁ ଆପଣ ତ ସବୁଦିନ ଅଫିସ୍ ଯାଉଚନ୍ତି ?

ଯଦୁ

-

ଯାଉଚି, ହାକିମଙ୍କ ପାଖରେ ନିଇତିପାଇଁ ଗୁହାରି କରୁଚି, ମୋର ଭୁଲ୍ ହୋଇଚି, ମୋର ଅପରାଧ ହୋଇଚି, ଏଇ ଥରକ ମାତେ ଛାଡ଼ିଦିଅ । ହେଲେ କିଏ ମୋ କଥା ଶୁଣିଚି ? ଆଇନ୍‍କାନୁନ୍ କଥା, ମୋର ଉପର ହାକିମ, ଯିଏ ମୋ’ କଥା ଶୁଣନ୍ତା, ସେ’ବି ତ ଚାକିରି କରିଚି । ମୋତେ ଦୟା ଦେଖାଇବାକୁ ଯାଇଁ ଶେଷକୁ ଦୁର୍ନୀତିର ବୋଝଟା ତା’ର କାନ୍ଧରେ ପଡ଼ିବ ।

ଅଜୟ

-

(ଚିନ୍ତିତ ସ୍ୱରରେ) ହିଁ । ମୋତେ କ’ଣ କରିବାକୁ କହୁଚନ୍ତି ?

ଯଦୁ

-

(ଅନୁନୟ ସ୍ୱରରେ) ଖବରକାଗଜ ପ୍ରତିନିଧି ହିସାବରେ ଆପଣଙ୍କର ତ ସବୁ ମହଲରେ ବେଶ୍‌ ଇନ୍‌ଫୁଏନ୍‌ସ୍‌ଏ ଅଛି । ଆପଣ ଯଦି ଦୟାକରି ଉପର ମହଲରେ ମୋ’ବିଷୟରେ କହି ଏଇ ବିପଦରୁ ମାତେ ଉଦ୍ଧାର କରିବାପାଇଁ-

ଅଜୟ

-

(ଚିନ୍ତିତ ଭାବରେ, ଯଦୁନାଥଙ୍କ କଥାରେ ବାଧାଦେଇ) ଆଇଆମ୍‌ ସରି, ଯଦୁବାବୁ-! ଖବରକାଗଜରେ କାମ କରୁଚି ବୋଲି ତା’ରି ସୁଯୋଗ ନେଇ କୌଣସି ଅନ୍ୟାୟ ଅନୁରୋଧ କରିବାର ଅଧିକାର ମୋର ନାହିଁ । ଆପଣ ବରଂ ନିଜେ ଯାଇ ଥରେ ଆପଣଙ୍କ ବିଭାଗର ମନ୍ତ୍ରୀଙ୍କୁ ଦେଖାକରି ସବୁକଥା କହନ୍ତୁ ।

ଯଦୁ

-

(ନିରାଶ ଭାବରେ) ନିଜେ ଯିବି ? କୋଉ ମୁହଁରେ ଯିବି ? କ’ଣ କହିବି ? (ମନର କ୍ଷୋଭ ଲୁଚାଇବାର

 

 

ଚେଷ୍ଟାକରି, ଇତସ୍ତତଃ ଭାବରେ) ଆଚ୍ଛା, ତେବେ ବାବ୍‍ଲୁକୁ ଟିକିଏ...ସିଏ କ’ଣ ଏ ଯାଏଁ ଶୋଇଚି ?

ଅଜୟ

-

ହଁ, ଶୋଇଚି । ନେଇଆସିବ ତାକୁ ?

ଯଦୁ

-

(ପୂର୍ବଭଳି ଇତସ୍ତତଃ ଭାବରେ) ହଁ, ମାନେ, ମୁଁ ବରଂ,ଏମାନେ ସବୁତ ବାହାରକୁ ବାହାରିଚନ୍ତି ।

ଅଜୟ

-

ସେମାନେ ଯିବାକୁ ବାହାରିଚନ୍ତି, ମୁଁ’ତ ଅଛି । ଆପଣ ବରଂ ଘରକୁଯାଇ ନିଜର କାମଦାମ ଆଗେ ସାରିଦିଅନ୍ତୁ

ଯଦୁ

-

(ଅନିଶ୍ଚିତ ଭାବରେ ଉଠି ଠିଆହୋଇ ) ନା, ନା, ମୋର ଆଉ କିଛି କାମ ନାହିଁ । ମୁଁ ବରଂ ତାକୁ ନେଇଯାଏଁ । ଯେତେହେଲେ ଦାୟିତ୍ୱଟା ମୋର ।

ଅଜୟ

-

ଆପଣ ମୋ ଉପରେ ରାଗିଗଲେ ନା କ’ଣ ?

ଯଦୁ

-

ନା, ନା, ରାଗିବି କାହିଁକି ? ତେବେ–

ଅଜୟ

-

ଆଗେ ଯାନ୍ତୁ, ମୁହଁ ହାତଧୋଇ ଥଣ୍ଡା ହୁଅନ୍ତୁ, ତା’ପରେ ଆସି ବାବ୍‍ଲୁକୁ ନେଇଯିବେ

 

 

(ଏଇ ସମୟରେ ଟେଲିଫୋନ୍‌ ରିଙ୍ଗ୍‌ ହେଲା)

ଅଜୟ

-

ପ୍ରେସ୍‌ କଲ୍‌ଟା ବୋଧହୁଏ ଆସିଗଲା । ଆପଣ ଯା’ନ୍ତୁ, ବୁଝିଲେ, ବ୍ୟସ୍ତ ହବାର କିଛି ନାହିଁ । (ଟେଲିଫୋନ୍‌ ପାଖକୁ ଆସି ଟେଲିଫୋନ୍‌ ଧରି) ହ୍ୟାଲୋ ! ହଁ, ହଁ, କିଏ ? ମନ୍ତ୍ରୀ କଥାବାର୍ତ୍ତା କରିବେ ? ଆଚ୍ଛା, ଦିଅନ୍ତୁ । ନମସ୍କାର ଆଜ୍ଞା, ନମସ୍କାର, ଟିକିଏ ଧରନ୍ତୁ, ମୁଁ ଲେଖିନଉଚି । (କହି ଉଠିଯାଇ ଟେବୁଲ ଉପରୁ କାଗଜ ଓ କଲମ ଆଣିଲା)

ଯଦୁ

-

ଆଚ୍ଛା, ଠିକ୍‌ ଅଛି ।

 

 

(କହି ଚାଲିଗଲେ । ଅଜୟ ଟେଲିଫୋନ୍‌ ପାଖକୁଆସି ପୁଣି ଟେଲିଫୋନ୍‌ ଧରିଲା-।)

ଅଜୟ

-

କହନ୍ତୁ । କ’ଣ କହିଲେ ? ଦୁର୍ଭିକ୍ଷ ଅଞ୍ଚଳ ଗସ୍ତକରି ବର୍ତ୍ତମାନ ଫେରିଲେ ? ହଁ, ହଁ, ସ୍ଵାମୀଜୀଙ୍କ ପ୍ରେସ୍ କନ୍‌ଫରେନ୍‌ସ ଆଜି ସକାଳେ ହୋଇଥିଲା । ଆଜ୍ଞା ? ହଁ, ସବୁ କାଗଜରେ ତ ବାହାରିଚି । ନା, ନା, ସ୍ଵାମୀଜୀ ସେ’କଥା କହିନାହାନ୍ତି ତ ! ସିଏ କହିଚନ୍ତି, ଦୁର୍ଭିକ୍ଷ ଅଞ୍ଚଳରେ ଲୋକେ ଘରଦ୍ୱାର, ଗାଁ’ଗଣ୍ଡା ଛାଡ଼ି ପକେଇବା ଆଉ ଭୋକ ଦାଉରେ ଗଛର ପତ୍ର ଛିଣ୍ଡେଇ ଖାଇଯିବା କଥା ଯଦି ସତ ହେଇଥାଏ । ତେବେ ଅବସ୍ଥା ବଡ଼ ସାଙ୍ଘାତିକ । ଆଜ୍ଞା ? (ହସି), ହଁ, ହଁ, ମନ୍ତ୍ରୀ ହିସାବରେ ଆପଣ କଣ୍ଟ୍ରାଡ଼ିକ୍‌ଟ କରିପାରନ୍ତି । ଷ୍ଟେଟ୍‌ମେଣ୍ଟ ? କେତେବେଳେ ଦେବେ ? ଆଜି ତ ଆଉ ଯାଇପାରିଲା ଭଳି ମନେହେଉ ନାହିଁ । ଆଚ୍ଛା, ଆଚ୍ଛା, ପୂରାଟା ମର୍ଣ୍ଣିଙ୍ଗ୍‌ ଏଡ଼ିସନ୍‌ରେ ଦେଇଦେବି । ଏଇଖିଣା ଖାଲି ଦି’ପଦ କହିଦିଅନ୍ତୁ ଆପଣଙ୍କୁ ଇଂପ୍ରେସନ୍‍ଟା । ଆଜ୍ଞା ? ହଁ, ଲେଖୁଚି - ଲେଖିବାକୁ ଆରମ୍ଭ କରି) ଭୋକ ବିକଳରେ ଲୋକେ ଗଛର ପତ୍ର ସୁଦ୍ଧା ଖାଇଯାଉଛନ୍ତି ବୋଲି କେତେକ ସମ୍ୱାଦପତ୍ରରେ ଯେଉଁ ଖବର ବାହାରିଚି, ତା ଅତିରଞ୍ଜିତ ଓ ଅଭିସନ୍ଧିମୂଳକ । (ରହିଯାଇ) ଅଭିସନ୍ଧିମୂଳକ ୱାର୍ଡ଼ଟା ରଖିବେ ? ଟିକିଏ କେମିତି ବେଶି ହେଇଯାଉଚି । କ’ଣ କହିଲେ । ହଁ, ହଁ, ଉଦ୍ଦେଶ୍ୟମୂଳକ ଥାଉ । ଅତିରଞ୍ଜିତ ଓ ଉଦ୍ଦେଶ୍ୟମୂଳକ । ଠିକ୍‌ ଅଛି । ତା’ପରେ ; (ଶୁଣିସାରି) ସେଇଆ ଲେଖିବି ? ପରସ୍ଥିତିରୁ ଫାଇଦା ଉଠେଇବାପାଇଁ କେତେକ ରାଜନୈତିକ ଦଳର ଚକ୍ରାନ୍ତ ! କ’ଣ କହିଲେ ? ହୀନ ଚକ୍ରାନ୍ତ ? (ହସିପକାଇ) ଥାଉ, ‘ହୀନ’ ଥାଉ । ଏତିକି ତେବେ ବର୍ତ୍ତମାନ ଦେଇଦଉଚି ? କଲ୍‌ଟା ଆସିଯିବ ବୋଧହୁଏ ସାଙ୍ଗେ ସାଙ୍ଗେ । କ’ଣ କହିଲେ ? ଷ୍ଟେଟ୍‌ମେଣ୍ଟ୍‌ଟା ସନ୍ଧ୍ୟା ସୁଦ୍ଧା ପଠେଇଦେବେ ? ଆଚ୍ଛା, ଆଚ୍ଛା, ଆଉସବୁ ଖବର କ’ଣ, ଆଜ୍ଞା ? ଦି’ରାତି ଅନିଦ୍ରା ? ନା, ନା, ଆପଣ ବରଂ ରେଷ୍ଟ୍‌ ନିଅନ୍ତୁ । ମୁଁ ରହିଲି, ଆଜ୍ଞା ! (ଟେଲିଫୋନ୍‌, ରଖିଦେଇ ଟେବୁଲ ପାଖକୁ ଗଲା । ଏଇ ସମୟରେ ଭିତରୁ ପ୍ରବେଶ କଲା ଇନ୍ଦୁ )

ଇନ୍ଦୁ

-

ଯଦୁମଉସା ଚାଲିଗଲେ ଯେ ? କ’ଣ ତାଙ୍କୁ କହିଲ କି ?

ଅଜୟ

-

(ନିର୍ଲିପ୍ତଭାବରେ ଟେଲିଫୋନ୍ ଉଠାଇ) କିଛି କହି ନାହିଁ ।

ଇନ୍ଦୁ

-

ତେବେ ସିଏ ଏମିତି ଚାଲିଗଲେ ଯେ ?

ଅଜୟ

-

(ଟେଲିଫୋନ୍‌) ଟ୍ରଙ୍କସ୍‍ ଇନକ୍ଵାରି ! ଏନ୍‌ଗେଜ୍‌ଡ଼୍? ହୋପ୍‌ଲେସ୍‌ ! (କହି ଟେଲିଫୋନ ରଖିଦେଲା)

ରାଜୁ

-

ଡ୍ୟାମିଟ୍‌ ସମସ୍ତେ ମିଶି ଗୋଳମାଳ ଆରମ୍ଭ କରିଦେଇଚନ୍ତି । (ଇନ୍ଦୁକୁ) ମୁଁ ରିକ୍‌ସା ଡାକୁଚି-(କହି ବାହାରିଗଲା )

ଇନ୍ଦୁ

-

(ଅଜୟ ପାଖକୁ ଆସି, କଠୋର ସ୍ଵରରେ) ଯଦୁମଉସା ଏମିତି ଚାଲିଗଲେ କାହିଁକି ? କ’ଣ ତମେ ତାଙ୍କୁ କହିଲ ?

ଅଜୟ

-

ସିନେମାରୁ ଫେରିଆସ, କହିବି, ତା’ ନହେଲେ ‘ଲଭ୍ ଇନ୍ ଟୋକିଓ’ର ସବୁ ଏନ୍‌ଜୟମେଣ୍ଟ୍‌ ନଷ୍ଟ ହୋଇଯିବ

ଇନ୍ଦୁ

-

ହେଇଯାଉ ନଷ୍ଟ । ତମେ କୁହ । (ବସିପଡ଼ିଲା)

ଅଜୟ

-

ଲୋକଟାର କୌଣସି କାଣ୍ଡଜ୍ଞାନ ନାହିଁ । ସ୍ତ୍ରୀଟା ତ । ବର୍ଷକୁ ବର୍ଷ ଛୁଆ ଜନ୍ମ କରି କରି ମରିବା ଉପରେ; ବାବୁ ଇଆଡ଼େ ଅଫିସ୍ ଜିନିଷପତ୍ର ଚୋରି କରିବା ଆରମ୍ଭ କରିଛନ୍ତି ।

ଇନ୍ଦୁ

-

(ଆହତ ସ୍ଵରରେ) ଚୋରି ?

ଅଜୟ

-

ହଁ । ଖାଲି ସେତିକି ନୁହେଁ, ଧରାପଡ଼ି ସସ୍‌ପେଣ୍ଡ ହେଇଛନ୍ତି । ଚାକିରିଟା ରହିବ ଯିବ ଠିକ୍‌ ନାହିଁ । (ଇନ୍ଦୁ ହତବାକ୍‍ ହେବାର ଦେଖି) ମୋତେ ପୁଣି । ଧରିଚି, ତା’କଥା ଅଥରିଟିମାନଙ୍କୁ କହିବାପାଇଁ !

ଇନ୍ଦୁ

-

ବେଶ୍‌ତ ? ଟିକିଏ କହିଦିଅନା !

ଅଜୟ

-

ମୁଁ ସବୁ କରିପାରିବି; କିନ୍ତୁ ଏସବୁ କଥାକୁ ଜାଣିଶୁଣି ପ୍ରଶ୍ରୟ ଦେଇପାରିବି ନାହିଁ ।

ଇନ୍ଦୁ

-

ଗଭୀର ନିଶ୍ୱାସ ନେଇ) ବୁଝିଲି ।

ଅଜୟ

-

(ଇନ୍ଦୁଆଡ଼କୁ ଅନାଇଲା)

ଇନ୍ଦୁ

-

ତମେ, ତମେ ଯଦୁମଉସାଙ୍କୁ ସହିପାରନା ।

ଅଜୟ

-

(ମୃଦୁ ହସି) କ’ଣ କହୁଚ ତମେ ?

ଇନ୍ଦୁ

-

ମୁଁ ଠିକ୍‌ କହୁଚି । ଯଦୁମଉସା ଚୋରି କରନ୍ତୁ, ଡକାୟତି କରନ୍ତୁ, ଯା ଇଚ୍ଛା ତା କରନ୍ତୁ, ସିଏ ତମଠୁ ବହୁତ ବେଶି ସୁଖୀ ।

ଅଜୟ

-

(ହସିଉଠି ଇନ୍ଦୁକୁ ବାଧାଦେବାର ଚେଷ୍ଟାକରି) ସ୍ତ୍ରୀ ମରିବା ଉପରେ-ସାତଟା ଛୁଆ-

ଇନ୍ଦୁ

-

କ’ଣ ହେଇଗଲା ସେଇଠୁ ? ଘରସଂସାର କଲେ ସ୍ତ୍ରୀ ରହିବ, ଛୁଆପିଲା ରହିବେ, ସୁଖ ଦୁଃଖ ସବୁ ରହିବ ।

ଅଜୟ

-

(ପୂର୍ବଭଳି ହସି) ପାଗଳ !

ଇନ୍ଦୁ

-

ପାଗଳ ତମେ । ଖବରକାଗଜକୁ ଦୁନିଆଯାକର ଖବର ପଠେଇ ପଠେଇ ନିଜ ଖବରଟା ରଖିପାରିନା ?

ଅଜୟ

-

(ଟେଲିଫୋନ୍‌ ପାଖରୁ ଉଠିଆସି ଇନ୍ଦୁପାଖରେ ବସିପଡ଼ି, ଇନ୍ଦୁକୁ ପାଖକୁ ଟାଣିଆଣିବାର ଚେଷ୍ଟାକରି) କ’ଣ ହେଇଚି, ଇନ୍ଦୁ ?

ଇନ୍ଦୁ

-

(ଅଜୟର ହାତକୁ ଠେଲିଦେଇ) ଛାଡ଼ି, କିଛି ହୋଇନାହିଁ ।

ଅଜୟ

-

(ଅନୁଶୋଚନାର ସ୍ଵରରେ) ତୁମକୁ ମୁଁ କେମିତି ବୁଝେଇବି ଇନ୍ଦୁ, ଏଇ ଖବରକାଗଜର ଚାକିରିଟା-

 

 

(ବାହାରୁ ରାଜୁର ଡାକ ଶୁଭିଲା-ନୂଆବୋଉ, ରିକ୍‌ସା ଆସିଲାଣି)

ଇନ୍ଦୁ

-

ଦିନରାତି ଚବିଶ ଘଣ୍ଟା ଖାଲି ସେଇ ଖବରକାଗଜ, ଚାକିରି, ନିଉଜ୍‌, ଟେଲିଫୋନ୍, ଆସେମ୍ବ୍ଳି, ପ୍ରେସ୍‌ କନ୍‌ଫରେନ୍‌ସ୍‌ ! ଇସ୍‌ ! ଘର’ତ ନୁହେଁ, ଗୋଟାଏ ଜେଲ୍‌ଖାନା !

ଅଜୟ

-

ଆହା , କଥାଟା ତମେଟିକିଏ ବୁଝିବାକୁ ଚେଷ୍ଟା କର !

ଇନ୍ଦୁ

-

ବୁଝିଚି, ତମ ଦିହରେ ଜୀବନ ନାହିଁ, ତମେ ଗୋଟାଏ ମେସିନ୍ !

 

 

(କହି ଦ୍ରୁପ୍ତ ପଦକ୍ଷେପରେ ବାହାରକୁ ଚାଲିଗଲା । ମଞ୍ଚ ଅନ୍ଧକାର ହେଲା)

 

 

 

-ପରଦା-

***

 

ଦ୍ଵିତୀୟ ଅଙ୍କ

 

 

[ପୂର୍ବର ସେଇ ଦୃଶ୍ୟ । ସମୟ-ସକାଳ । ବୈଠକଖାନାରେ ବସିଚନ୍ତି ବିଶିଷ୍ଟ ବ୍ୟବସାୟୀ ଉପେନ୍ଦ୍ରବାବୁ । ଟିକିଏ ଦୂରରେ ଠିଆହୋଇ ଖବରକାଗଜ ପଢ଼ୁଚି ଅଜୟର ଜନୈକ ସାମ୍ବାଦିକ ବନ୍ଧୁ ସରୋଜ]

ସରୋଜ

-

(ଖବରକାଗଜଟି ମୋଡ଼ି ଟି’ପୟ ଉପରେ ରଖିଦେଇ ବିରକ୍ତ ଭାବରେ ରବିଶ୍-! ଖାଲି ଚିପ୍‌ ପପୁଲାରିଟି, ଲୋକଙ୍କୁ ଭଣ୍ଡେଇବାର ମତଲବ୍, ବୁଝିଲେ-?

ଉପେନ୍ଦ୍ର

-

(ଚା ଶେଷକରି, କପ୍‌ଟି ରଖି) ଆଜ୍ଞା, ନା, କିଛି ବୁଝିପାରିଲି ନାହିଁ

ସରୋଜ

-

(ସାମାନ୍ୟ ଅଶ୍ଚର୍ଯ୍ୟ ହୋଇ) କିଛି ବୁଝିପାରିଲେ ନାହିଁ ? ଏଇ ଯେ ମୁଁ ଏତେବେଳ ଯାଏଁ ପଢ଼ୁଥିଲି, ଆପଣ କିଛି (ତା’ପରେ କ’ଣ ଭାବି ସ୍ଵସ୍ତିର ନିଶ୍ୱାସ ନେଇ) ଯା’ହେଉ, ଗୋଟାଏ ରକମ ଭଲହେଇଚି । ସବୁକଥା ପୁଣି ବୁଝିବାକୁ ଚେଷ୍ଟାକଲେ ମୁସ୍କିଲ୍

ଉପେନ୍ଦ୍ର

-

(ଟିକିଏ ଅପ୍ରତିଭ ହୋଇ, ମୃଦୁ ପ୍ରତିବାଦ କରି) ଆପଣ କୋଉ କଥା କହୁଛନ୍ତି-? ଖବରକାଗଜରୁ ଯାହା ପଢ଼ିଲେ, ସବୁତ ଶୁଣିଲି । ହେଲେ ସେଥିରେ ବୁଝାବୁଝି କରିବାର ସେମିତି କିଛି-

ସରୋଜ

-

(ଉତ୍ତେଜନା ଅନୁଭବ କରି) କିଛି ନାହିଁ ? ସେଥିରେ ବୁଝିବାପାଇଁ କିଛି ନାହିଁ ? (କ’ଣ କହିବାକୁ ଯାଉଥିଲା, ପୁଣି ଅଟକିଯାଇ ସ୍ଵାଭାବିକ ସ୍ୱରରେ) ଛାଡ଼ନ୍ତୁ, କିଛି ନାହିଁ ଯଦି ରକ୍ଷା ହେଇଯାଇଚି । ହଁ, ଏଥର ଆପଣଙ୍କ ବିଜିନେସ୍‌ ହାଲ୍‌ଚାଲ କହନ୍ତୁ କେମିତ ସବୁ ଚାଲିଚି ?

ଉପେନ୍ଦ୍ର

-

(ପରାଜୟ ସ୍ୱୀକାର ନ କରି) ନା, ନା, ସରୋଜବାବୁ, ଆପଣ କ’ଣ ଗୋଟାଏ କହିବେ କହିବେ ବୋଲି ହୋଇ ଅଟକି ଯାଉଚନ୍ତି । କଥାଟା ଖୋଲି ନ କହିଲେ ମନଟା ଭାରି ଗୁଡ଼େଇ ତୁଡ଼େଇ ହେବ । ମୋତେ କ’ଣ ଗୋଟାଏ ବୁଝାଇବାକୁ ଚେଷ୍ଟା କରୁଥିଲେ ?

ସରୋଜ

-

(ହସି) ଖାଲି କ’ଣ ଆପଣଙ୍କୁ ? ସମସ୍ତଙ୍କୁ, ସାରା ଦୁନିଆଟାକୁ । କ’ଣ ବୁଝିଲେ ?

ଉପେନ୍ଦ୍ର

-

(ଏଥର ବୋକାଙ୍କ ପରି ସରୋଜଆଡ଼କୁ ଚାହିଁ) ଆଜ୍ଞା, ନା । ମହା ମୁସ୍କିଲ୍‌ କଥା ! ଆଜି କାହିଁକି ଆପଣଙ୍କର କୌଣସି କଥା ମୁଁ ବୁଝିପାରୁନାହିଁ ?

ସରୋଜ

-

(ଏଥର ଜୋର୍‍ରେ ହସିଉଠି) ବୁଝିପାରିବେ ନାହିଁ, ଉପେନ୍ଦ୍ରବାବୁ, ବୁଝିପାରିବେ ନାହିଁ ! (ପକେଟରୁ ସିଗାରେଟ୍‌ ବାହାରକରି) ଚଳେ ?

ଉପେନ୍ଦ୍ର

-

(ନମ୍ରଭାବରେ ହସି) ଆପଣ ତ ଜାଣନ୍ତି ଆଜ୍ଞା, ସେସବୁ । ମୋର ଚଳେନା ।

ସରୋଜ

-

ମୋର କିନ୍ତୁ ଚଳେ । କ’ଣ କରିବି, ନ ହେଲେ ନ ଚଳେ । ଗୋଟାଏ ଅନିଚ୍ଛାକୃତ ଅଭ୍ୟାସ । କ’ଣ, ବୁଝିଲେ ତ ?

ଉପେନ୍ଦ୍ର

-

ଏଥର ଠିକ୍‌ ବୁଝିଚି ଆଜ୍ଞା, ଅଭ୍ୟାସ ।

ସରୋଜ

-

କହିପାରନ୍ତି, ବଦଭ୍ୟାସ ।

ଉପେନ୍ଦ୍ର

-

ବଦଭ୍ୟାସ !

ସରୋଜ

-

ଗୋଟାଏ ଅନିଚ୍ଛାକୃତ ବଦଭ୍ୟାସ ।

ଉପେନ୍ଦ୍ର

-

ଗୋଟାଏ-(ଅଟକିଯାଇ) ଗୋଟାଏ କ’ଣ କହିଲେ ?

ସରୋଜ

-

(ଆହୁରି ସ୍ପଷ୍ଟଭାବରେ) ଅନିଚ୍ଛାକୃତ ବଦଭ୍ୟାସ ।

ଉପେନ୍ଦ୍ର

-

(ନମ୍ରଭାବରେ) ବଦଭ୍ୟାସଟା ତ ବୁଝିଲି, ତେବେ ଏଇ ଅନିଚ୍ଛାକୃତଟା.......

ସରୋଜ

-

(ପୁଣି ହସିଉଠି) ବୁଝିପାରିଲେ ନାହିଁ, ନା ? (ଉପେନ୍ଦ୍ର ନୀରବରେ ମୁଣ୍ଡ ହଲାଇଲା) ଛାଡ଼ନ୍ତୁ, ଛାଡ଼ନ୍ତୁ, ଲେଟ୍‌ଅସ୍‌ ଫର୍‌ ଗେଟ୍‌ଅଲ୍‌ ଏବାଉଟ୍‌ ଇଟ୍‌ (ପକେଟରୁ ସିଗାରେଟ ବାହାର କରି ଲଗାଇଲେ)

ଉପେନ୍ଦ୍ର

-

(ବ୍ୟସ୍ତ ହୋଇ) ନା, ନା, ଆପଣ ସବୁକଥାରେ । ମୋତେ ଏମିତି ଇଏ କରିବାଟା......

ସରୋଜ

-

ଉପେନ୍ଦ୍ର ବାବୁ, ଗୋଟାଏ ଖବରକାଗଜର ସାମାନ୍ୟ ରିପୋଟର ମୁଁ । ଆଉ ଆପଣ ବିରାଟ ନ୍ୟାସନାଲ ଏଜେଣ୍ଟସ୍‌ର ମ୍ୟାନେଜିଂ ଡାଇରେକ୍ଟର । ମୋର ସବୁକଥା ବୁଝିଲେ କେତେ, ନ ବୁଝିଲେ କେତେ, ଆପଣଙ୍କର କିଛି ଯାଏଆସେ ନା । ଆମ୍ ଆଇ ରାଇଟ୍?

ଉପେନ୍ଦ୍ର

-

(ବ୍ୟଥିତ ଭାବରେ) ନା, ଏକଦମ ରଙ୍ଗ୍ ମୁଁ ବିଜିନେସ୍‌ମ୍ୟାନ୍‌ ବୋଲି ଯେ ଖବରକାଗଜ ରିପୋର୍ଟରଙ୍କ କଥା ବୁଝିପାରିବି ନାହିଁ, ଏକଥା କିଏ ଆପଣଙ୍କୁ କହିଲା ?

ସରୋଜ

-

ବୋଧହୁଏ କେହି କହିନାହାନ୍ତି । ମୋର ନିଜର ଧାରଣା ।

ଉପେନ୍ଦ୍ର

-

ସେ ଧାରଣାଟାକୁ କ’ଣ ନିହାତି ନରଖିଲେ ନ ଚଳେ ?

ସରୋଜ

-

(ଟିକିଏ ଚିନ୍ତାକରି) ଚଳିବ, ସେତିକିରେ ଆପଣ ଯଦି ସନ୍ତୁଷ୍ଟ ହୁଅନ୍ତି

ଉପେନ୍ଦ୍ର

-

ତା’ଛଡ଼ା । ମୋର ଆଉ ଅଧିକା ଦରକାର କ’ଣ ? ଏଇ ଆପଣମାନଙ୍କ ସାଙ୍ଗରେ ମିଳାମିଶାକରି କେତେବେଳେ କେମିତି ସୁଖଦୁଃଖ ଟିକିଏ ହେଲି, ଆହା , ଆପଣ ଠିଆହୋଇ ରହିଲେ ଯେ, ବସନ୍ତୁ ନା !

ସରୋଜ

-

(ହାଲୁକା ସ୍ଵରରେ) ଆଉ ବସିବି ନାହିଁ ।

ଉପେନ୍ଦ୍ର

-

(ବିସ୍ମିତ ହୋଇ) ବସିବେ ନାହିଁ । ତେବେ କ’ଣ ଚାଲିଯିବେ ?

ସରୋଜ

-

କେମିତି ଚାଲିଯିବି ? ରାସକେଲ୍‍ଟା ସାଙ୍ଗରେ ଦେଖା ନହେଲେ ........

ଉପେନ୍ଦ୍ର

-

(ବୁଝିନପାରି) ରାସ୍କେଲ୍ ?

ସରୋଜ

-

ମୁଁ’ବି ରାସ୍କେଲ୍, ତିନିଶହ ଟଙ୍କା ଦରମା, ସେଥିରୁ ଦେଢ଼ଶହ ଯାଏଁ ଡ୍ରିଙ୍କ୍‌ରେ ।

ଉପେନ୍ଦ୍ର

-

(ଇତସ୍ତତଃ ହୋଇ) ନା, ନା, ମାନେ, ତା’ବୋଲି....

ସରୋଜ

-

ଅଜୟଟା’ବି ଗୋଟାଏ ରାସ୍କେଲ୍ ଖାଲି ଦୁର୍ନୀତି ଦୁର୍ନୀତି ହୋଇ ହୋଇ ଲୋକଟାର ମୁଣ୍ଡ ଖରାପ ହୋଇଗଲାଣି । ଏଇତ ଏତେ ବେଳଯାଏ ‘ଦୈନିକ ଜନତା’ ପଢ଼ି ଆପଣଙ୍କୁ ଶୁଣାଉଥିଲି; ଅଥଚ ଆପଣ କିଛି ବୁଝିପାରିଲେ ନାହିଁ । ନିଜ ପ୍ରତିନିଧିଙ୍କଠାରୁ ଯେତିକ ସମ୍ବାଦ, ସବୁଥିରେ ଦୁର୍ନୀତି । କିଏ କାଶିଲା, ଦୁର୍ନୀତି; କିଏ ଛିଙ୍କିଲା ଦୁର୍ନୀତି, କିଏ ଯଦି ଚୁପ୍‍ହୋଇ ବସିଲା, ସିଏବି ଦୁର୍ନୀତି ।

ଉପେନ୍ଦ୍ର

-

ସେଇଟା । ବୋଧହୁଏ ଆପଣଙ୍କର ନିଜର ଧାରଣା ।

ସରୋଜ

-

(ବସିପଡ଼ି) ଆପଙ୍କର ଧାରଣାଟା କ’ଣ, ଶୁଣେ ?

ଉପେନ୍ଦ୍ର

-

ମୋତେ ଆଜ୍ଞା କାହିଁକି ସେ ଦୁର୍ନୀତି ଫୁର୍ନୀତି ଭିତରକୁ ଟାଣୁଚନ୍ତି ? ମୁଁ ଗୋଟାଏ ସାମାନ୍ୟ ବିଜିନେସ୍‌ମ୍ୟାନ୍‌, କ’ଣ ନାହିଁ କ’ଣ ପାଟିରୁ ବାହାରିପଡ଼ିବ–

ସରୋଜ

-

କହନ୍ତୁ ନା, ଆଇ ଆମ୍‌ ଇନ୍‌ ମୁଡ଼୍ କୋଉଠି ରହିଚି ଦୁର୍ନୀତି ?

ଉପେନ୍ଦ୍ର

-

ସବୁଠି, ସବୁ କ୍ଷେତ୍ରରେ ।

ସରୋଜ

-

ଯଥା ?

ଉପେନ୍ଦ୍ର

-

ଯଥା-(କହିବାକୁ ଯାଉଥିଲେ, ଅଟକିଯାଇ) ଆପଣଙ୍କ କାଗଜରେ ଛପେଇଦେବେ ନାହିଁ ତ ? ଏକେ ତ ଇନ୍‌କମ ଟାକ୍‌ସବାଲାଙ୍କ ଦାଉରେ ମୋ ବିଜିନେସ୍‌ ମୂଳପୋଛ ହୋଇଯିବା ଉପରେ । ତା’ଉପରେ ଫେର୍‌ ଯଦି…

ସରୋଜ

-

(ହସିଉଠି) ଠିକ୍ ଅଛି, କହନ୍ତୁ, ରେକର୍ଡ଼ିଙ୍ଗର ବାଟ ବନ୍ଦ କରିଦେଇଛି । ଖାଲି ଶୁଣିବି ।

ଉପେନ୍ଦ୍ର

-

ଏତେ ବଡ଼ ଦୁର୍ଭିକ୍ଷ ପଡ଼ିଲା, ହେଲେ ଗଭର୍ଣ୍ଣମେଣ୍ଟ କିଛି କରିପାରୁ ନାହିଁ କାହିଁକି, କହିପାରିବେ ?

ସରୋଜ

-

ସେସବୁ ଦୁର୍ଭିକ୍ଷ ଫୁର୍ଭିକ୍ଷ କଥା ଉଠାନ୍ତୁ ନାହିଁ, ସେସବୁ ହେଲା ରାଜନୀତି ।

ଉପେନ୍ଦ୍ର

-

(ଉତ୍ତେଜିତ ହୋଇଉଠି)ରାଜନୀତି ? କୋଉଟା ରାଜନୀତି ହଜାର ହଜାର ଏକର ଧାନଜମି ବର୍ଷା ଅଭାବରୁ ଶୁଖି ଟାମ୍ଫରା ହୋଇଗଲା, ମୁଠାଏ ଖାଇବାକୁ ନ ପାଇ ଲୋକେ ପୋକମାଛି ଭଳି ମରିଗଲେ- ଆପଣ ୟାକୁ କହୁଚନ୍ତି ରାଜନୀତି ?

ସରୋଜ

-

ଇଣ୍ଟରେଷ୍ଟିଙ୍ଗ୍ !

ଉପେନ୍ଦ୍ର

-

ରାଜନୀତି ନୁହେଁ, କହନ୍ତୁ ଦୁର୍ନୀତି, ସରକାରୀ କଳର ଭେଷ୍ଟେଡ୍ ଇଣ୍ଟରେଷ୍ଟ । କାହିଁକି ଏତେ ଲୋକ ଖାଇବାକୁ ନ ପାଇ ମରୁଛନ୍ତି, ଆପଣ ପଚାରନ୍ତୁ, ଜବାବ ପାଇବେ, ବର୍ଷା ଅଭାବରୁ ଫସଲ ହେଲା ନାହିଁ, ଆମେ କ’ଣ, କରିବୁ ? ପ୍ରକୃତିକ ଦୁର୍ଯୋଗ, ନ୍ୟାଚରାଲ କାଲମିଟି, ତା’ଉପରେ କାହାର ହାତ ଅଛି ? ମୁଁ ପଚାରୁଚି, ଗୋଟଏ ସ୍ଵାଧୀନ ସଭ୍ୟ ଦେଶର ଲୋକପ୍ରିୟ ସରକାର ଏଇଭଳି ଯୁକ୍ତି କଲେ ତାକୁ ଲୋକେ କେତେଦିନ ବରଦାସ୍ତ କରିବେ ?

ସରୋଜ

-

(ବିହ୍ଵଳ ହୋଇ) ଉପେନ୍ଦ୍ରବାବୁ, ରିଏଲି !

ଉପେନ୍ଦ୍ର

-

ଲୋକଙ୍କୁ ବଞ୍ଚେଇବାକୁ ଗଲେ ପଇସା ଦରକାର । ପଇସା ଆସିବ କେଉଁଠୁ ? ଶାସନ କଳରେ ଖର୍ଚ୍ଚ-କାଟ । ଖର୍ଚ୍ଚ-କାଟ କରିବେ କିଏ ? ଯେଉଁମାନେ ଶାସନରେ ଅଛନ୍ତି, ସେମାନ ନିଜେ । ଆପଣ ସେ କଥା କେବେ ବିଶ୍ଵାସ କରୁଛନ୍ତି ?

ସରୋଜ

-

(ସାମାନ୍ୟ ନାଟକୀୟତାରେ) ଠିକ୍ ଏଇଭଳି ବକ୍ତୃତା ସେଦିନ ଆସେମ୍ବ୍ଳିରେ’ବି ଶୁଣିଲି ।

ଉପେନ୍ଦ୍ର

-

(ଉତ୍ସାହିତ ବୋଧକରି) ଶୁଣିଲେ ତ ?

ସରୋଜ

-

ହଁ, ଶୁଣିଲି, ହେଲେ କିଛି ବୁଝିପାରିଲି ନାହିଁ । ପନ୍ଦରବର୍ଷ ହେଲା ତ ଆସେମ୍ବ୍ଳିରେ ସେଇଭଳି ବକ୍ତୃତା ଶୁଣିଆସୁଚି, ଇକନମି, ଖର୍ଚ୍ଚ-କାଟ, ବଡ଼ ବଡ଼ ଆଦର୍ଶ ଯୋଜନା, ଆହୁରି କେତେ କ’ଣ ।

ଉପେନ୍ଦ୍ର

-

(ଆହୁରି ଉତ୍ସାହିତ ବୋଧକରି) ତେବେ ମୁଁ ଯାହା କହିଲି, ଠିକ୍‌ କହିଲି ନା ନାହିଁ ?

ସରୋଜ

-

ହଁ, ବକ୍ତୃତାଟା ଠିକ୍ ଅଛି । କାମ ? ଅସଲ କାମ କରିବ କିଏ ?

ଉପେନ୍ଦ୍ର

-

ଉପେନ୍ଦ୍ର କିଏ, ମାନେ ? ଯେଉଁମାନେ ସରକାରୀ କଳରେ ରହିବେ, ଏଇସବୁ ବଡ଼ ବଡ଼ ଅଫିସ୍‍ର, ହଜାର ହଜାର କିରାଣୀ, ଅଉ.....

ସରୋଜ

-

(ବାଧାଦେଇ) ସେମାନେ ସମସ୍ତେ ବଦ୍ରିନାଥ ଆଶ୍ରମରେ ଟ୍ରେନିଙ୍ଗ୍‌ ନେଇନାହାନ୍ତି, ଉପେନ୍ଦ୍ରବାବୁ, ଗୁଡ଼ାଏ ନିର୍ଜଳା ମଣିଷ, ସାଧୁ ସନ୍ନ୍ୟାସୀ କି ଯୋଗୀ ନୁହନ୍ତି ।

ଉପେନ୍ଦ୍ର

-

(ଟିକିଏ ନିରାଶ ବୋଧକରି) ନା, ନା, ମାନେ, ତଥାପି ଗୋଟାଏ ଇଏ ଅଛି ତ-?

ସରୋଜ

-

ଇଏ ? (ହସିପକାଇଲ) ହଁ, ଅଛି, ‘ଇଏ’ଟା ଅଛି । ସେଇ ‘ଇଏ’ଟା ବଡ଼ ମୁସ୍କିଲ ଜିନିଷ । (ଉପେନ୍ଦ୍ରକୁ ସ୍ଥିର ଦୃଷ୍ଟିରେ ଚାହିଁ) ଆପଣ ପାରିବେ ?

ଉପେନ୍ଦ୍ର

-

ମୁଁ ? ମୋତେ ଫେର୍‌ ତା’ଭିତରକୁ ଟାଣୁଚନ୍ତି କାହିଁକି, ଆଜ୍ଞା ? ମୁଁ ହେଲି ବେପାରୀ ଲୋକ, କ’ଣ କେତେବେଳେ ହେଇଯିବ-

ସରୋଜ

-

(ହସିଉଠି) ଆପଣ ଖସି ଯାଇଚନ୍ତି । ମୁଁ’ବି ଖସିଯାଇଚି । ଯେଉଁମାନେ ଫାନ୍ଦରେ ପଡ଼ିଚନ୍ତି, ସେମାନେ ସେମାନଙ୍କ କଥା ବୁଝନ୍ତୁ । କ’ଣ ସେଥିରୁ ମିଳିବ ? (ଉପେନ୍ଦ୍ରକୁ ଦୀର୍ଘନିଶ୍ୱାସ ନେବାର ଲକ୍ଷ୍ୟକରି) ଆରେ, ଉପେନ୍ଦ୍ରବାବୁ, ଦବିଗଲେନା କ'ଣ ?

ଉପେନ୍ଦ୍ର

-

(ବ୍ୟଥିତ ସ୍ଵରରେ) ଆପଣଙ୍କ ସାଙ୍ଗରେ ଆଉ କ’ଣ ପାରିବି ? ଯେତେହେଲେ ଆପଣମାନେ ଖବରକାଗଜ ଲୋକ, ବହୁତ କଥା ଖବର ରଖନ୍ତି । (ଏଇସମୟରେ ଭିତର କବାଟ ବାଟଦେଇ ପ୍ରବେଶ କଲା ଅଜୟ । ହାତରେ ଗୋଟାଏ ଖବରକାଗଜ)

ଅଜୟ

-

ଆପଣଙ୍କ ଲେଖାଟା ଦେଖିଲି, ଉପେନ୍ଦ୍ରବାବୁ, ଭଲ ହୋଇଚି । ଖାଲି ସେଇ ଛଦ୍ମନାମଟା-

ସରୋଜ

-

(ଉପେନ୍ଦ୍ରର ଅପ୍ରସ୍ତୁତଭାବ ଲକ୍ଷ୍ୟକରି) ଲେଖା ? କି ଲେଖା ? (ଉପେନ୍ଦ୍ରକୁ) ମୁଁ ଟିକିଏ ଲେଖାଟା ଦେଖିବାରେ ଆପତ୍ତି ଅଛି ?

ଉପେନ୍ଦ୍ର

-

(ଇତସ୍ତତଃ ହୋଇ) ନା, ନା, ଆପତ୍ତି ଆଉ କ’ଣ ? ଖବରକାଗଜରେ ବାହାରିଚି ଯେତେବେଳେ, ଆପଣମାନେ ଦେଖିବେ ନାହିଁ ତ କିଏ ଦେଖିବ ? (ଅଜୟ କାଗଜଟା ସରୋଜ ହାତକୁ ବଢ଼ାଇଦେଲା) କ’ଣ କହିଲେ, ଅଜୟବାବୁ ? ଛଦ୍ମନାମ ? ନା, ନା, ଛଦ୍ମନାମଟା ଠିକ୍‌ ହେଇଚି । ମୋ ନାଁ ଦେଖିଲେ ଲୋକେ ହସିବେ; କ୍ରିଟିସାଇଜ୍‌ କରିବାକୁ ଆରମ୍ଭ କରିଦେବେ ।

ସରୋଜ

-

(କାଗଜଟା ପଢ଼ି) ‘ଜନତା ଜାଗିଉଠ’ ହୁଁ ! ଲେଖକ ଶ୍ରୀ ନିରାକାର (ହସିଉଠିଲା)

ଉପେନ୍ଦ୍ର

-

(ଅଜୟକୁ) ଦେଖିଲେତ ନିଜ ଆଖିରେ ? କ’ଣ କହୁଥିଲି ? ଲୋକେ ହସିବେ-

ସରୋଜ

-

(ହସ ଚାପିବାର ଚେଷ୍ଟାକରି) କିଛି ମନେକରିବେ ନାହିଁ, ଇଏବି ମୋର ଗୋଟାଏ ବଦଭ୍ୟାସ, ମାନେ, ଅନିଚ୍ଛାକୃତ ବଦଭ୍ୟାସ ।

ଉପେନ୍ଦ୍ର

-

ମୁଁ କହିବି ? ଏଇଟା ମୋଟେ ଆପଣଙ୍କର ବଦଭ୍ୟାସ ନୁହେଁ । ଆପଣ ହସିପକେଇ ବରଂ ମୋର ଉପକାର କରିଛନ୍ତି । ମୁଁ ଶ୍ରୀ ନିରାକାର ନ ହୋଇଥିଲେ ମୋର ଅବସ୍ଥାଟା କ’ଣ ହୁଅନ୍ତା ସେଟା ଆପଣ ମୋତେ ଭଲଭାବରେ ବୁଝାଇଦେଇଚନ୍ତି ।

ଅଜୟ

-

ଆହା, ଆପଣ ସରୋଜର କଥାଗୁଡ଼ାକ ସିରିୟସ୍‌ଲି ନେଉଚନ୍ତି ନା କ’ଣ ?

ଉପେନ୍ଦ୍ର

-

ମୁଁ କିଛି ଭାବୁନାହିଁ, ଆଜ୍ଞା ! ବନ୍ଧୁ ହିସାବରେ ମୋ ସାଙ୍ଗରେ ଥଟ୍ଟା ପରିହାସ କରିବାର ଅଧିକାର ତାଙ୍କର ଅଛି ।

ସରୋଜ

-

ଆରେ, ନା, ନା, ଉପେନ୍ଦ୍ରବାବୁ, ମୁଁ ମୋଟେ ଥଟ୍ଟା କରୁନାହିଁ । ଏସବୁ ସେଇ ଔଷଧର ଗୁଣ, ବୁଝିଲେ, ପ୍ଳିଜ୍‌ଡ଼ୋଣ୍ଟ ଟେକ୍‍ଇଟ୍ ଆମିସ୍ ଆପଣଙ୍କ ଲେଖାଟା କୁଆଡ଼େ ଭାରି ଇନ୍‌ସପାୟାରିଙ୍ଗ୍‌ ହେଇଚି ବୋଲି ଶୁଣିଲି । (କାଗଜ ଉପରେ ଆଖି ବୁଲାଇ) ରାଜ୍ୟର ହଜାର ହଜାର ଦରିଦ୍ର ଜନତା ଦୁର୍ଭିକ୍ଷର କବଳରେ ପଡ଼ି ମୁଠାଏ ଅନ୍ନପାଇଁ ଆକୁଳ ଚିତ୍କାର କରୁଥିବାବେଳେ ସରକାରଙ୍କ ନିଷ୍କ୍ରିୟତା ଅକ୍ଷମଣୀୟ । (ଉପେନ୍ଦ୍ରଆଡ଼କୁ ଫେରି ଚାହିଁ) ଅକ୍ଷମଣୀୟ କାହିଁକି ?

ଅଜୟ

-

(ଉପେନ୍ଦ୍ରକୁ ବସିବାପାଇଁ ଇଙ୍ଗିତ କରି ନିଜେ ବସୁ ବସୁ) ହେଇ, ଆରମ୍ଭ ହେଇଗଲା । ଆପଣ ବସନ୍ତୁ ଉପେନ୍ଦ୍ରବାବୁ, ମୁଁ ସରୋଜକୁ ସମ୍ଭାଳୁଚି ।

ସରୋଜ

-

ସ୍ୱାଧୀନ ଦେଶରେ ଲୋକଙ୍କର ବଞ୍ଚିବାର ସ୍ଵାଧୀନତା ଯେମିତି ଅଛି, ମରିବାର ସ୍ୱାଧୀନତାବି ସେମିତି ଅଛି । ସରକାର ସେଥିରେ ବାଧାଦେବାକୁ କିଏ ?

ଉପେନ୍ଦ୍ର

-

କେହି ନୁହେଁ । ମରନ୍ତୁ ଲୋକ ।

ସରୋଜ

-

ମରନ୍ତୁ ।

ଅଜୟ

-

ତୁ ମର । କାହାରି ମନରେ ଟିକିଏବି ଦୁଃଖ ହେବ ନାହିଁ ।

ସରୋଜା

-

ମିଛ କଥା ତମ ମନରେ ଯାହା ଥାଉନା କାହିଁକି, ତମ ‘ଦୈନିକ ଜନତା’ର ଅନ୍ତତଃ ଗୋଟାଏ ଶୋକସମ୍ବାଦ କିମ୍ବା ଗୋଟାଏ ସମବେଦନା ନିଶ୍ଚୟ ବାହାରିବ ମୋପାଇଁ, ସ୍ଵର୍ଗତ ଆତ୍ମାର ସଦ୍‌ଗତି କାମନା କରି କିଛି ଗୋଟାଏ-

ଅଜୟ

-

ସେଥିରେ ଲାଭ କ’ଣ ତମର କ’ଣ ଆହୁରି ସଦ୍‌ଗତିର ଆଶା ଅଛି ?

ସରୋଜ

-

କେମିତି ଜାଣିଲ ନାହିଁ ବୋଲି ?

ଅଜୟ

-

ତା’ ହୋଇଥିଲେ ସ୍ଵାମୀଜୀଙ୍କ ସ୍ପିଚ୍‌ଟାକୁ ତମ କାଗଜରେ ଏମିତି କଦର୍ଯ୍ୟଭାବରେ ଦେଇନଥାନ୍ତ ।

ସରୋଜ

-

ସ୍ଵାମୀଜୀ ? ଓ, କଥାଟା ତେବେ ସେଠି ଯାଇ ଉଠିଲାଣି ? ଟିକିଏ ରହ ବାବା, ଗୋଟାଏ ସିଗାରେଟ୍ ଲଗାଇନିଏଁ ।

ଅଜୟ

-

ସ୍ଵାମୀଜୀ କହିଲେ, ଲୋକଙ୍କ ଭିତରେ ଜାଗରଣ ଆସୁ । ତମ କାଗଜରେ ବାହାରିଲା, ଲୋକେ ବିଦ୍ରୋହ କରନ୍ତୁ । ସ୍ଵାମୀଜୀ କହିଲେ, ସମସ୍ତେ କଠିନ ପରିଶ୍ରମ କର । ତମ କାଗଜ ଲେଖିଲା, ଯୁଦ୍ଧ ଘୋଷଣା କର ।

ସରୋଜ

-

ଇଣ୍ଟରପ୍ରିଟେସନରେ ବାହାଦୂରି ଅଛି । ନା’କ’ଣ କହୁଚନ୍ତି, ଉପେନ୍ଦ୍ରବାବୁ ?

ଉପେନ୍ଦ୍ର

-

ମୋତେ ଫେର୍ ତା’ଭିତରକୁ କାହିଁକି ଟାଣୁଚନ୍ତି, ଆଜ୍ଞା ? ସେଇ ଇଣ୍ଟରପ୍ରିଟେସନ୍‌ ଡରରେ ତ ମୁଁ ଶ୍ରୀ ନିରାକାର ହେଇବସିଚି ।

ଅଜୟ

-

ତମ କାଗଜର ଇଣ୍ଟରପ୍ରିଟେସନରେ ଅବଶ୍ୟ ସ୍ଵାମୀଜୀଙ୍କର କୌଣସି କ୍ଷତି ହେବ ନାହିଁ ସାରା ଦୁନିଆ ଜାଣିଚି, ସ୍ଵାମୀଜୀ ରାଜନୀତି କରନ୍ତି ନାହିଁ କିମ୍ବା କୌଣସି ପରିସ୍ଥିତିରୁ ଫାଇଦା ଉଠାଇବା ତାଙ୍କର ଉଦ୍ଦେଶ୍ୟ ନୁହେଁ । ଲୋକଙ୍କୁ ଭୋକଉପାସରେ ମରିବାକୁ ଦିଅ ନାହିଁ ବୋଲି କହିବାଟା କ’ଣ ଗୋଟାଏ ପାପ-?

ସରୋଜ

-

ପାପପୂଣ୍ୟ ବିଚାର କରିବାର ଭାର ଲୋକଙ୍କ ଉପରେ । ସେଥିପାଇଁ ତମର ଏତେ ମୁଣ୍ଡ ବଥାଇବା ଦରକାର ନହିଁ ।

ଅଜୟ

-

ଏତେ ସହଜରେ କଥାଟାକୁ ଉଡ଼େଇଦେଲେ ଚଳିବ ନାହିଁ, ସରୋଜ ! ମୁଁ ପଚାରୁଚି, ସ୍ଵାମୀଜୀଙ୍କ ବିରୁଦ୍ଧରେ ଏଇ ଷଡ଼ଯନ୍ତ୍ର କାହିଁକି ? ଜଣେ ସମାଜସେବୀ ହିସାବରେ ଅନ୍ୟାୟର ପ୍ରତିବାଦ କରିବାର ଅଧିକାର କ’ଣ ତାଙ୍କର ନାହିଁ ?

ସରୋଜ

-

ନିଶ୍ଚୟ ଅଛି । କିନ୍ତୁ ମୁଁ ବୁଝିପାରୁନାହିଁ, ଦୁନିଆଟାଯାକର ସବୁ କ’ଣ ଖାଲି ଅନ୍ୟାୟ ଅନୀତି ? ସବୁ ଭ୍ରଷ୍ଟାଚାର ଦୁର୍ନୀତି ? ଆଜି ଦୁର୍ଭିକ୍ଷରେ ଲୋକେ ଖାଇବାକୁନପାଇ ମରୁଛନ୍ତି ବୋଲି ସ୍ଵାମୀଜୀ ସରକାରଙ୍କ ଉପରେ ଦୋଷ ଲଦି ଦେଉଚନ୍ତି । ଦି’ବର୍ଷ ତଳେ ଯେତେବେଳେ ପ୍ରବଳ ବଢ଼ିରେ ଲୋକଙ୍କ ଘରଦ୍ଵାର, ଜମିବାଡ଼ି ଭାସିଯାଇ ଲୋକେ ସର୍ବସ୍ଵାନ୍ତ ହୋଇଗଲେ, ସେତେବେଳେ ସରକାରଙ୍କୁ ଚେତେଇଦେବାପାଇଁ ସ୍ଵାମୀଜୀ କ’ଣ ନ ଥିଲେ ? ସେତେବେଳେ କ’ଣ ଖାଇବାକୁନପାଇ, ଲୋକ ମରିନଥିଲେ ? ସେତେବେଳେ କ’ଣ ସରକାର ନିଷ୍କ୍ରିୟ ନ ଥିଲେ ? ସେତେବେଳେ ସ୍ଵାମୀଜୀ ଲୋକଙ୍କୁ ଶାନ୍ତଭାବରେ ଧୈର୍ଯ୍ୟଧରି ଅପେକ୍ଷା କରି ରହିବାକୁ ଉପଦେଶ ଦେଉଥିଲେ

ଅଜୟ

-

ଭୁଲିଯାଉଛୁ ଯେ ସେତେବେଳେ ସ୍ଵାମୀଜୀଙ୍କ ‘ଅପିଲ୍‌’ ଯୋଗୁହିଁ କେବଳ ଅବସ୍ଥା ସମ୍ଭାଳି ହେଇଗଲା ।

ସରୋଜ

-

ଆଉ ଏଇକ୍ଷଣି ସ୍ଵାମୀଜୀଙ୍କ ‘ଅପିଲ’ ଯୋଗୁହିଁ କେବଳ ଅବସ୍ଥା ଅସମ୍ଭାଳ ହେବାଉପରେ ।

ଅଜୟ

-

ଅବସ୍ଥା ଯଦି ଅସମ୍ଭାଳ ହୋଇଥାଏ, ତେବେ ସେଥିପାଇଁ ସ୍ଵାମୀଜୀ ଦାୟୀ ନୁହନ୍ତି-ଦାୟୀ, ସରକାରଙ୍କ ନିଷ୍କ୍ରିୟତା ଆଉ ତମ କାଗଜର ଦାୟିତ୍ଵହୀନ ଇଣ୍ଟରପ୍ରିଟେସନ୍

ସରୋଜ

-

ଅର୍ଥାତ୍‌, ଏଥିରେବି ଦୁର୍ନୀତିର ଗନ୍ଧ ରହିଚି ?

ଅଜୟ

-

ଦୁର୍ନୀତି ନୁହେଁ, ଦୂରଭିସନ୍ଧି । ସ୍ଵାମୀଜୀଙ୍କୁ ଜବରଦସ୍ତି ରାଜନୀତି ଭିତରକୁ ଟାଣିଆଣି ତାଙ୍କ ନାଁରେ ଗୁଡ଼ାଏ ଗୋଳମାଳ ଆରମ୍ଭ କରିବାର ମତଲବ ।

ସରୋଜ

-

ସେଥିରେ ‘ଦୈନିକ ଜନତା’ର ଅସୁବିଧା କ’ଣ ହେଲା ?

ଅଜୟ

-

ଅସୁବିଧା ଖାଲି ‘ଦୈନିକ ଜନତା’ର ନୁହେଁ, ଅସୁବିଧା ସମସ୍ତଙ୍କର । ସ୍ଵାମୀଜୀଙ୍କ ନାଁରେ ଲୋକଙ୍କ ଭିତରେ ଉତ୍ତେଜନା ଆରମ୍ଭ କରି, ସରକାରଙ୍କ ବିରୁଦ୍ଧରେ ସେମାନଙ୍କୁ ମତେଇ, ଗୋଟାଏ ବିଦ୍ରୋହ ଆରମ୍ଭ କରି ଅରାଜକତା ସୃଷ୍ଟି କରିବାର ଇଏ ଗୋଟାଏ ବାଟ ।

ସରୋଜ

-

କେବଳ ଗୋଟାଏ ମାତ୍ର ବାଟ ନୁହେଁ, ଆହୁରି ବାଟ ଅଛି । ଗଲା ତିନି ଚାରିବର୍ଷ ଧରି ‘ଦୈନିକ ଜନତା’ ଦୁର୍ନୀତି ଦୁର୍ନୀତି ବୋଲି ଚିତ୍କାର କରି କରି ଲୋକଙ୍କ ମନରେ ଅସନ୍ତୋଷ ଆଉ ଅବିଶ୍ଵାସର ଯେଉଁ ନିଆଁ ଜାଳିଚି ସେ ନିଆଁ ଦିନେ ନା ଦିନେ ରାଜ୍ୟର ଶାସନ ଶୃଙ୍ଖଳାକୁ ପୋଡ଼ିଜାଳି ଛାରଖାର କରିଦେବ ।

ଅଜୟ

-

ଯାଉ ପୋଡ଼ିଜଳି, ‘ଦୈନିକ ଜନତା’ର ସେଥିରେ କିଛି ଯାଏ ଆସେନା । ଯେଉଁଠି ଦୁର୍ନୀତି ଅଛି, ଯେଉଁଠି ଅନ୍ୟାୟ ଅଛି, ଯେଉଁଠି ଅବିଚାର ଅଛି, ‘ଦୈନିକ ଜନତା’ର ତାର ମୁଖା ନିଶ୍ଚେ ଖୋଲିଦେବ ।

ସରୋଜ

-

ତେବେ ବନ୍ଧୁ, ଗୋଟାଏ କଥା ପଚାରେ –ଦୁନିଆଯାକର ଦୁର୍ନୀତିର ମୁଖା’ତ ‘ଦୈନିକ ଜନତା’ ଖୋଲିବ । ଆମ କାଗଜ ଫେର୍‌ କରିବ କ’ଣ ? ମୁଖା ପିନ୍ଧାଇବ ?

ଅଜୟ

-

ତା’ଛଡ଼ା ଆଉ କରୁଚି କ’ଣ ? ନୀତି ନିୟମ ବୋଲି ତମ କାଗଜର କିଛି ଗୋଟାଏ ଅଛି ? ଇଆଡ଼େ ସରକାରଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଫ୍ରଣ୍ଟ୍‌ ପେଜ୍‍ରେ ବଡ଼ ବଡ଼ ହେଡ଼୍‍ଲାଇନରେ ବାହାରିଲା, ‘ଦୁର୍ଭିକ୍ଷ’ ଅଞ୍ଚଳରେ ଏତେ ହଜାର ଟନ ଚାଉଳ ମହଜୁଦ ଅଛି- ଖାଇବାକୁ ନ ପାଇ ଲୋକ ମରିବା ସମ୍ବାଦ ଭିତ୍ତିହୀନ ।’ ତେଣେ ଠିକ୍‌ ତା’ରି ପାଖକୁ ଲାଗି ସେହିପରି ବଡ଼ ବଡ଼ ହେଡ଼୍‍ଲାଇନରେ ବାହାରିପଡ଼ିଲା, ‘ଦୁର୍ଭିକ୍ଷ ଅଞ୍ଚଳରେ’ ମୃତ୍ୟୁର ତାଣ୍ଡବଲୀଳା-ସରକାରଙ୍କବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାପାଇଁ ସାମ୍ବାଦିକ ସମ୍ମିଳନୀରେ ସ୍ଵାମୀଜୀଙ୍କ ଆହ୍ଵାନ । ଦୁଇଟିଯାକ ସମ୍ବାଦ ପୁଣି ନିଜ ପ୍ରତିନିଧିଙ୍କଠାରୁ !

ସରୋଜ

-

ହୁଁ, ବୁଝିଲି । ସବୁ ମାଡ଼ତକ ମୋ’ରି ଉପରେ । ଅଲ୍‌ରାଇଟ୍‌, ଅଲ୍‌ରାଇଟ୍‌, ଆଉ କିଛି କହିବାର ନାହିଁ ?

ଅଜୟ

-

ଅଛି । ଔଷଧର ମାତ୍ରାଟା ତୋତେ କମାଇଦେବାକୁ ପଡ଼ିବ । ଔଷଧ ଗୁଣରୁ ବୁଦ୍ଧିସୁଦ୍ଧି ତୋର ସବୁ ଲୋପ ପାଇବାକୁ ବସିଲାଣି ।

ସରୋଜ

-

ଆହା, କଥାଟା ସିଧାସଳଖ କହୁଁନାହୁଁ କାହିଁକି ? ତୋ ଜାଗାରେ ମୁଁ ହୋଇଥିଲେ କ’ଣ କହିଥାନ୍ତି, ଜାଣିଚୁ ? କହିଥାନ୍ତି, ସରୋଜ, ଦି ହେଲ୍‌ ଉଇଥ୍‌ ଇୟୁ ଆଣ୍ଡ’ ଇଓର ପେପ୍‌ର । ଗେଟ୍‌ଆଉଟ୍‌ ।’ ଆଉ, ମୁଁ ତା’ପରେ କ’ଣ କହିଥାନ୍ତି ଜାଣିଚୁ-? କହିଥାନ୍ତି, ‘ଅଜୟ, ଆଇ ହେଟ୍‌ଇୟୁ, ଆଇ ହେଟ୍‌ ମାଇଁ ପେପର୍‌, ଆଇ ହେଟ୍‌ ଏଭ୍‍ରିବଡ଼ି, ଆଇ ହେଟ୍‌ ମାଇଁସେଲ୍‌ଫ୍‌ ’ (ଆଗେଇଯାଇ, ବଳପୂର୍ବକ ଉପେନ୍ଦ୍ର ସହିତ କରମର୍ଦ୍ଦନ କରି) ଅଜୟ ଠିକ୍‌ କହିଚି, ଔଷଧ ଗୁଣରୁ ବୁଦ୍ଧିସୁଦ୍ଧି ମୋର ଲୋପ ପାଇଚି । ତା’ ନ ହୋଇଥିଲେ ଆପଣଙ୍କ ଲେଖା ପଢ଼ୁପଢ଼ୁ ଇଡ଼ିଅଟ୍‍ଙ୍କ ଭଳି ମୁଁ ହସିପକାଇନଥାନ୍ତି । କ୍ଷମା କରିଚନ୍ତି ମୋତେ ?

ଉପେନ୍ଦ୍ର

-

(ବ୍ୟସ୍ତ ହୋଇପଡ଼ି) ଛି, ଚ୍ଛି, ସରୋଜବାବୁ, ଆପଣ ପୁଣି ମୋତେ –ଛି-ଛି-

ସରୋଜ

-

(ଉପେନ୍ଦ୍ରର ହାତ ସଜୋରରେ ହଲାଇ) ବେଷ୍ଟ ଅଫ ଲକ୍‌, ଉପେନ୍ଦ୍ରବାବୁ, ଲଙ୍ଗ୍‌ ଲିଭ୍‌ ଶ୍ରୀ ନିରାକାର ।

 

 

(ତା’ପରେ ଚାଲିଯିବାକୁ ବାହାରିଲା)

ଅଜୟ

-

ଆରେ ତୁ ଚାଲିଲୁ କ’ଣ ? ତୋ ସାଙ୍ଗରେ କଥା ଅଛି ଯେ !

ସରୋଜ

-

(ଯାଉ ଯାଉ ଅଟକି ବୁଲିପଡ଼ି) ପ୍ରସ୍ଥାନଟା ଟିକିଏ ବେଶି ନାଟକୀୟ ହୋଇଯାଉଚି, ନା ? କ’ଣ କରିବି, କହ, ସିଆଡ଼େ ପୁଣି ଅବକାରୀ ଦୋକାନ ଆଠଟା ବାଜିବାମାତ୍ରେ ତାଲା ଝୁଲାଇଦେବ । ଆଚ୍ଛା, ବାଏ, ବାଏ ।

 

 

(କହି ତ୍ରସ୍ତ ପଦକ୍ଷେପର ବାହାରିଗଲା । ସେହିଆଡ଼କୁ ଅନାଇ ବସିପଡ଼ିଲେ ଉପେନ୍ଦ୍ର । ଅଜୟ ତଥାପି ସରୋଜର ଯିବାଆଡ଼କୁ ଚାହିଁରହିଚି ।)

ଉପେନ୍ଦ୍ର

-

ଏଇ ସରୋଜବାବୁ ଲୋକଟାକୁ ବୁଝିବା ମୁସ୍କିଲ ।

ଅଜୟ

-

ବିଚରା ପୂରାପୂରି ଫ୍ରସ୍‌ଟ୍ରେଟେଡ଼୍ ଏମ. ଏ, ଗୋଲଡ଼୍‍ ମେଡ଼ାଲିଷ୍ଟ୍‌ । ଚାହିଁଥିଲେ ଅକ୍ଳେଶରେ ଗୋଟାଏ ଆଇ. ଏ. ଏସ୍ ଅଫିସର କିମ୍ବା ଲେକ୍‌ଚରର୍‌ ହୋଇପାରିଥାନ୍ତା । କିନ୍ତୁ ଖବରକାଗଜର ରିପୋର୍ଟର ହେବାର ଝୁଙ୍କ ଏମିତି ଲାଗିଲା, କେହି ଅଟକାଇ ପାରିଲେ ନାହିଁ । ବର୍ତ୍ତମାନ ଦେଖୁଚନ୍ତି ତ ତା’ର ଅବସ୍ଥା ? ଭାବୁଚି ଗୋଟାଏ ପ୍ରକାର, କହୁଚି ଗୋଟାଏ ପ୍ରକାର, ପୁଣି କାଗଜରେ ଲେଖିଲାବେଳକୁ ଲେଖୁଚି ଆଉ ଗୋଟାଏ ପ୍ରକାର ।

ଉପେନ୍ଦ୍ର

-

ଆହା, ତାଙ୍କର ଆଉ ଉପାୟ କ’ଣ ଅଛି ? ଖବରକାଗଜର ପଲିସିଟାକୁ ତ ପୁଣି ଦେଖିବାକୁ ପଡ଼ିବ !

ଅଜୟ

-

ପଲିସି ? ପଲିସି ବୋଲି ସେ କାଗଜଟାର ଯଦି କିଛି ଥାନ୍ତା, ସରୋଜଟା ହୁଏତ ବଞ୍ଚିଯାଇଥାନ୍ତା । ପୂରାପୂରି ସୁବିଧାବାଦୀ କାଗଜ ଆଜି ଯାହାକୁ ଅନ୍ୟାୟ ବୋଲି ଘୃଣାରେ ଗୋଇଠା ମାରୁଚି, କାଲି ତାକୁଇ ମୁଣ୍ଡରେ ଥୋଇ ପରମ ପବିତ୍ର ପୂଣ୍ୟବୋଲି ଡେଙ୍ଗୁରା ପିଟୁଚି । ଏଇଟା ଗୋଟାଏ ପଲିସି ? ସ୍ଵାମୀଜୀଙ୍କ କଥାଗୁଡ଼ାକ ଯେମିତି ଛପେଇଲେ, ମୁଁ ତ କେବେ କଳ୍ପନାବି କରିନଥିଲି

ଉପେନ୍ଦ୍ର

-

ସରୋଜବାବୁ ବୋଧହୁଏ ସେଥିପାଇଁ ଅନୁତାପ କରୁଚନ୍ତି ।

ଅଜୟ

-

ଅନୁତାପ କରି ଲାଭ କ’ଣ ? ସିଏ ଚାକିରି ଛାଡ଼ିଦେଲେ ଖବରକାଗଜଟା ତ ଆଉ ବନ୍ଦ ହୋଇଯିବ ନାହିଁ । ବିଚରା ନିଜେ ଶେଷକୁ ବେକାର ହୋଇ ବୁଲିବ-

 

 

(ଏଇ ସମୟରେ ବ୍ୟସ୍ତଭାବରେ ଘର ଭିତରକୁ ଆସିଲା ରାଜୁ । ହାତରେ ତା’ର ଗୋଟାଏ କାଗଜ ଫର୍ଦ୍ଦ ।)

ରାଜୁ

-

ଭାଇ, ଟିକିଏ ଚେକ୍‌ଅପ୍‌ କରିନିଅ ଲିଷ୍ଟଟା ଠିକ୍‌ ଅଛି ନା ନାହିଁ ।

ଉପେନ୍ଦ୍ର

-

(ଇତସ୍ତତଃ ଭାବରେ) ମୁଁ ତା’ହେଲେ ଆଜି ଉଠେ ?

ଅଜୟ

-

ଉଠିବେ ? (ରାଜୁକୁ) ଟିକିଏ ରହ, ଉପେନ୍ଦ୍ରବାବୁଙ୍କ ସଙ୍ଗରେ କଥାଟା ସାରିଦିଏଁ । (ଉପେନ୍ଦ୍ରକୁ) ଆପଣ କ’ଣ ଗୋଟାଏ କହିବେ ବୋଲି କହୁଥିଲେ ନା ?

ଉପେନ୍ଦ୍ର

-

(ଇତସ୍ତତଃ ଭାବରେ) ନା, ନା, ଆଉ କିଛି କହିବାର ନାହିଁ । ଲେଖାଟା ଆପଣଙ୍କ କାଗଜରେ ବାହାରିଲା, ଏତିକି ଯଥେଷ୍ଟ । ଗୋଟାଏ କଥା କେବଳ ମୁଁ ସେଥିରେ ହାଇଲାଇଟ୍‌ କରିବାକୁ ଚାହୁଁଚି । ବର୍ଷା ଅଭାବରୁ ମରୁଡ଼ି ହେଲାବୋଲି କହିଦେଇ ଗଭର୍ଣ୍ଣମେଣ୍ଟ ଯେ ଖସିଯିବାକୁ ବସିଚି, ସେଟା କିନ୍ତୁ ଏକଦମ୍‌ ପିଲାଳିଆ ଯୁକ୍ତି । ଏଇଟା ହେଲା ବିଜ୍ଞାନର ଯୁଗ । ଗୋଟାଏପଟେ ନେଚର୍‌, ଆଉ ଗୋଟାଏ ପଟେ ସାଇନସ୍ ଶୁଖିଲା ଭୂଇଁରେ ଆର୍ଟିଫିସିଆଲ୍‌ ପାଣି ମଡ଼େଇ ଫସଲ ଆମଦାନି କରିବା କ’ଣ ଅସମ୍ଭବ ? ସେଥିପାଇଁ ଗଭର୍ଣ୍ଣମେଣ୍ଟ କରିଚି କ’ଣ ? ଇରିଗେସନ୍‌ପାଇଁ କୌଣସି ପ୍ଲାନିଙ୍ଗ୍‌ନାହିଁ, ଇନିସିଏଟିଭ୍‌ ନାହିଁ, ଟିକିଏ ହେଲେ ସିନସିଅରିଟିବି ନାହିଁ । ଫଳ ଯାହା ହେବାର କଥା, ହୋଇଚି ସେଇଥିଲାଗି ମୁଁ ସଜେସନ୍ ଦେଇଚି, ଆଉ ମୁହୂର୍ତ୍ତେବି ଡେରି ନ କରି ଦୁର୍ଭିକ୍ଷ ଅଞ୍ଚଳରେ ଅପର୍ଯ୍ୟାପ୍ତ ସଂଖ୍ୟାରେ ପାଣିପମ୍ପ ଯୋଗାଇ ଦିଆଯାଉ । ତା’ହେଲେ ଦୁର୍ଭିକ୍ଷ ଦାଉଟା ଅନେକ ପରିମାଣରେ କମିଯାଇପାରିବ । ପାଣିପମ୍ପ, ବୁଝିଲେ ତ ?

ଅଜୟ

-

(ଟିକିଏ ଚିନ୍ତାକରି) ସଜେସନ୍‌ଟା ମନ୍ଦ ନୁହେଁ ।

ଉପେନ୍ଦ୍ର

-

ଯା’ହେଉ, ମୁଁ ଆଶ୍ଵସ୍ତ ହେଲି । ଆଚ୍ଛା, ତେବେ ମୁଁ ଆଜି ଆସେ ।

ଅଜୟ

-

ହଁ, ଆସନ୍ତା ୧୮ତାରିଖ ଦିନ ଆମ ଘରେ ଆପଣଙ୍କ ନିମନ୍ତ୍ରଣ । ଭୁଲିବେ ନାହିଁ ।

ଉପେନ୍ଦ୍ର

-

ଆପଣ ନିମନ୍ତ୍ରଣ କରିବେ, ମୁଁ ଭୁଲିଯିବି ? (ହସିଉଠି ଦୁଆରଆଡ଼କୁ ଆଗେଇଲେ । ତା’ପରେ ହଠାତ ଅଟକି ଫେରିଆସିଲେ) ଗୋଟାଏ କଥା, ଛଦ୍ମନାମଟାକୁ ନେଇ ବେଶି ଆଲୋଚନା, ଚର୍ଚ୍ଚା କଲେ ଅସଲ ନାଁଟା .....

ଅଜୟ

-

ମୁଁ ଆପଣଙ୍କୁ କଥାଦେଇଚି ।

ଉପେନ୍ଦ୍ର

-

ଯାହାହେଉ, ଖୁବ୍ ଆଶ୍ଵସ୍ତ ହେଲି । ନମସ୍କାର । (ଚାଲିଗଲେ)

 

 

(ଅଜୟ ରାଜୁ ହାତରୁ କାଗଜ ନେଇ ପଢ଼ିବାକୁ ଲାଗିଲା)

ଅଜୟ

-

ନୂଆବୋଉର ଜନ୍ମଦିନ କରିବାକୁ ବାହାରିଚୁ, କାମଦାମ ସବୁ କରିବ କିଏ ?

ରାଜୁ

-

ଓହୋ, ସେଥିରୁ ତମେ କ’ଣ ପାଇବ ? ମଝିରେ ମଝିରେ ଏମିତି କିଛି ଗୋଟାଏ ନ ହେଲେ ନୂଆବୋଉଙ୍କୁ ଖୁସି କରିହବ ନାହିଁ ।

ଅଜୟ

-

ହଉ ହେଲା, ଯାହା କରୁଚୁ, କର ।

ରାଜୁ

-

ଯଦୁବାବୁ ନାଁଟା ମୁଁ ଲିଷ୍ଟ୍‍ରେ ରଖିଦେଇଚି । ତା’ନହେଲେ ନୂଆବୋଉ ...

ଅଜୟ

-

(କାଗଜ ଉପରୁ ଦୃଷ୍ଟି ନ ଉଠାଇ) ବୁଝିଲି, ଗୋଟାଏ ଗଳଗ୍ରହ ।

ରାଜୁ

-

ଆଜି ସନ୍ଧ୍ୟାବେଳୁ ବାବ୍‍ଲୁକୁ ଜର ଆରମ୍ଭ ହେଇଚି । ମୁଁ ନୂଆବୋଉଙ୍କୁ କିଛି କହି ନାହିଁ ।

ଅଜୟ

-

(କାଗଜ ଉପରୁ ଦୃଷ୍ଟି ନ ଉଠାଇ) ଭଲ କରିଚୁ । ଗୋଟାଏ ଝମେଲା । (ତା’ପରେ ହଠାତ୍‌ କାଗଜ ଉପରୁ ଦୃଷ୍ଟି ଉଠାଇ) ହଁ, ସ୍ଵାମୀଜୀଙ୍କୁ ଟେଲିଫୋନ୍‌ରେ କହିଥିଲି । ଆସିବାକୁ ରାଜି ହୋଇଚନ୍ତି, ଯଦି କୌଣସି ଏନଗେଜ୍‌ମେଣ୍ଟ ନ ଥାଏ । (ପୁଣି କାଗଜରେ ମନୋନିବେଶ କଲା)

ରାଜୁ

-

(ଇତସ୍ତତଃ ଭାବରେ) ଫିଷ୍ଟ୍ କଥା ଶୁଣି ନୂଆବୋଉ କେମିତି ତେଢ଼ା ତେଢ଼ା କଥା କହୁଚନ୍ତି ।

ଅଜୟ

-

(କାଗଜ ପଢ଼ୁ ପଢ଼ୁ) କ’ଣ କହୁଚି ?

ରାଜୁ

-

କହୁଚନ୍ତି, ଭାଇଙ୍କୁ କହ, ଯଦୁମଉସାଙ୍କୁ ରାଜି କରେଇବେ ।

ଅଜୟ

-

(କାଗଜରୁ ମୁହଁ ଉଠାଇ) କୋଉଥିପାଇଁ ରାଜି କରେଇବେ ?

ରାଜୁ

-

(ଇତସ୍ତତଃ) ସେଇ-ଇଏ-ବାବଲୁକୁ କିଛିଦିନପାଇଁ ଆମ ଘରକୁ ନେଇଆସିବାପାଇଁ

ଅଜୟ

-

(ହସିଉଠି) ବାର୍ଥ୍‌ଡ଼େ ପ୍ରେଜେଣ୍ଟେସନ୍ ! ଗୋଟାଏ ଖେଳନା ଦରକାର ? ମୁଣ୍ଡ ଖରାପ ହୋଇଗଲାଣି !

ରାଜୁ

-

କ’ଣ କରିବା, କହିଲ ?

ଅଜୟ

-

ପାଗଳ ! ମୁଁ ଇନ୍ଦୁ କଥାରେପଡ଼ି ସେଇ ଜୁଆଚୋର ଲୋକର ଛୁଆଟାକୁ ଆଣି ଘରେ ପୂରେଇବି ? ଆଜି ଅଫିସ୍‍ରୁ ଦି’ ତିନିଦିସ୍ତା କାଗଜ ଉଠେଇଚି, କାଲି ଅଫିସ୍ କ୍ୟାସ୍‍ରୁ ଦି’ ତିନିହଜାର ଟଙ୍କା ଉଠାଇବ....

ରାଜୁ

-

ହେଲେ ନୂଆବୋଉଙ୍କର ଯେ ସେଇ ଏକା ଜିଦ୍‌

ଅଜୟ

-

ମୁଣ୍ଡ ଖରାପ । ତା’ ଜିଦ୍‍ପାଇଁ ମୁଁ ମୋର ବିବେକକୁ ବଳି ଦେଇପାରିବି ନାହିଁ । ଗୋଟାଏ ଲୋଭୀ ଦୁର୍ନୀତି ଲୋକ ସାଙ୍ଗରେ ମୁଁ କୌଣସି ସମ୍ପର୍କ ରଖିପାରିବି ନାହିଁ ।

ରାଜୁ

-

(ଟିକିଏ ରହି, ନିର୍ଲିପ୍ତ ସ୍ଵରରେ) ନୂଆବୋଉଙ୍କୁ ଏବେ ସେଇୟା କହିଦେବି ?

ଆଜୟ

-

(କାଗଜ ଫର୍ଦ୍ଦଟା ରାଜୁ ହାତକୁ ବଢ଼ାଇଦେଇ) ତୋ ମୁଣ୍ଡବି ଖରାପ ।

ରାଜୁ

-

ଡ୍ୟାମିଟ୍‌, ଏ ଘରେ ସମସ୍ତଙ୍କ ମୁଣ୍ଡ ଖରାପ ।

 

 

(ଟେଲିଫୋନ୍‌ ବାଜିଉଠିଲା, ଅଜୟ ଆଗେଇଯାଇ ଟେଲିଫୋନ ଧରିଲା)

ଅଜୟ

-

ହ୍ୟାଲୋ ! କଟକ ? ହଁ, ଦିଅନ୍ତୁ । ହ୍ୟାଲୋ, କିଏ ରାମାକାନ୍ତବାବୁ ? ଆଚ୍ଛା, ଆଜିକା ଆସେମ୍ବ୍ଲି ନିଉଜ୍‍ରେ ବିରୋଧୀଦଳଙ୍କ କକ୍ଷତ୍ୟାଗଟା ଦେଇଦେଇଚ ତ ? ହଁ, ହଁ, ସ୍ଵାଧୀନ ସଭ୍ୟବି କେହି ନ ଥିଲେ । ଦେଇଦେଇଚ ତ ? ଆଉ ଗୋଟାଏ ଇମ୍ପୋଟାଣ୍ଟ୍ ଜିନିଷ ଅଛି, ତା’ରି ସାଙ୍ଗରେ ଦେଇଦେବ । ନା, ନା, ଅଲଗା ଗୋଟାଏ ନିଉଜ୍‌ କରିବ । ଲେଖ, ଆଜି, ଅପରାହ୍ନରେ ଦୁର୍ଭିକ୍ଷ ଅଞ୍ଚଳରୁ ପ୍ରାୟ ପାଞ୍ଚହଜାର ଲୋକଙ୍କର ଏକ ବିରାଟ ପଟୁଆର ରାଜ୍ୟ ବିଧାନସଭାଆଡ଼କୁ ଯାଉଥିବାବେଳେ ଶାନ୍ତିଭଙ୍ଗ ଆଶଙ୍କା କରି ପୋଲିସ ସେମାନଙ୍କୁ ବାଧା ଦେଇଥିଲା । ପରେ ବିଧାସନଭାର ବିରୋଧୀ ଦଳର ନେତା ଓ ଅନ୍ୟାନ୍ୟ କେତେଜଣ ସଭ୍ୟ ଶୋଭାଯାତ୍ରାକାରୀମାନଙ୍କ ନିକଟକୁ ଆସି ସେମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଶୋଭାଯାତ୍ରାକାରୀମାନଙ୍କ କେତେଜଣ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୁର୍ଭିକ୍ଷ ଅଞ୍ଚଳରୁ ଯଥେଷ୍ଟ ପରିମାଣରେ ଖାଦ୍ୟଶସ୍ୟ ଅତିଶୀଘ୍ର ଯୋଗାଇଦେବା ସଙ୍ଗେ ସଙ୍ଗେ ଏହିସବୁ ଅଞ୍ଚଳରେ ଉପଯୁକ୍ତ ଜଳସେଚନର ବ୍ୟବସ୍ଥା କରିବା ନିମନ୍ତେ ଦାବି କରିଥିବାର ଜଣାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ଏ ପର୍ଯ୍ୟନ୍ତ ସରିନାହିଁ । ଏତିକି । ରମାକାନ୍ତବାବୁ, ବୁଝିଲ’ତ ? ଏଇଟାକୁ ଗୋଟାଏ ଅଲଗା ନିଉଜ୍‌ କରିବ । ହଁ, ହଁ, ମୁଁ ରାତିରେ ଆଉକିଛି ପାଇଲେ ଦେଇଦେବି ।

 

 

[ପ୍ରବେଶ କଲେ ଯଦୁନାଥ । ମୁହଁରେ ତାଙ୍କର ଅସ୍ଵାଭାବିକ ଉତ୍ତେଜନାର ଚିହ୍ନି-। ହାତରେ ଗୋଟାଏ ପୁରୁଣା ଖବରକାଗଜ । ତାଙ୍କୁ ଦେଖି ଅଜୟର ଭ୍ରୂକୁଞ୍ଚିତ ହେଲା]

ଯଦୁ

-

ଗୋଟାଏ ମିନିଟ୍ ସମୟ ମୋତେ ଦେଇପାରିବେ, ଆଜ୍ଞା ?

ଅଜୟ

-

ବସନ୍ତୁ । (ଯଦୁନାଥ ନ ବସି ଠିଆହୋଇ ରହିଲେ) ମୁଁ ଶୁଣିଚି, ବାବ୍‍ଲୁର ଜର ଆରମ୍ଭ ହୋଇଚି, ନା ?

ଯଦୁ

-

ହଁ, ବାବ୍‍ଲୁକୁ ଜର ହୋଇଚି । କିନ୍ତୁ ସେଥିରେ ବ୍ୟସ୍ତ ହେବାର କିଛି ନାହିଁ । ମୁଁ ନିଜେ ତ ବ୍ୟସ୍ତ ହେଉ ନାହଁ । ମୁଁ ତା’ର ବାପ । ଖାଲି କ’ଣ ସେତିକି ? ହସ୍‍ପିଟାଲରେ ତା’ ମାଆ’ବି ଜାଣିନାହିଁ ତାକୁ ଜର ହୋଇଚି ବୋଲି ।

ଅଜୟ

-

(ଅସମ୍ପୃକ୍ତ ସ୍ଵରରେ) ଓ, କ’ଣ କହିବେ ବୋଲି କହୁଥିଲେ ନା ?

ଯଦୁ

-

ହଁ, ମୋପାଇଁ ଆପଣ କ’ଣ ଟିକିଏ ହେଲେ କିଛି କରିପାରିବେ ନାହିଁ ?

ଅଜୟ

-

ପୁଣି ସେ’କଥା ମୋତେ କାହିଁକି ପଚାରୁଚନ୍ତି ? ମୁଁ’ତ ସବୁକଥା ବୁଝେଇଦେଇଚି ଆପଣଙ୍କୁ ।

ଯଦୁ

-

କିନ୍ତୁ ମୋର ଯେ ଆଉକେହି ସାହା ଭରସା ନାହିଁ, ଆଜ୍ଞା !

ଅଜୟ

-

କାହିଁକି, ମୁଁ’ତ ସେଦିନ ଆପଣଙ୍କୁ କହିଥିଲି ଆପଣଙ୍କ ବିଭାଗର ମନ୍ତ୍ରୀଙ୍କୁ ଥରେ ଦେଖାକରନ୍ତୁ ବୋଲି ! ଦେଖା କରିଥିଲେ ଆପଣ ?

ଯଦୁ

-

ଦେଖା କରିଥିଲି, ଆଜ୍ଞା ! ଗୋଟି ଗୋଟି କରି ସବୁ କଥା ତାଙ୍କ ଆଗରେ କହିଥିଲି । ମୋ ଦୁଃଖ କାହାଣୀ ଶୁଣି ତାଙ୍କ ଆଖି ଛଳ ଛଳ ହୋଇଗଲା । ସବୁ କଥା ଶୁଣିସାରି କହିଲେ, ଯଦୁବାବୁ, ଘରକୁ ଯାଆନ୍ତୁ; ଆଇନ କାନୁନ୍ ଅନୁସାରେ ଆପଣଙ୍କପାଇଁ ଯାହା କରାଯାଇପାରେ କରାଯିବ ।

ଅଜୟ

-

ତେବେ ନିଶ୍ଚୟ ସେ ଗୋଟାଏ କିଛି କରିବେ । ଯେତେହେଲେ ମନ୍ତ୍ରୀ ତ !

ଯଦୁ

-

ମନ୍ତ୍ରୀ ବୋଲି ତ ମୋର ବେଶି ଦୁଶ୍ଚିନ୍ତା । ମୋତେ ଦୟା ଦେଖାଇବାକୁ ଯାଇ କୌଣସି ବେଆଇନ କାମ କରିବାକୁ ସେ କ’ଣ ରାଜି ହେବେ ?

ଅଜୟ

-

ନା, ନା, ମନ୍ତ୍ରୀ ଚାହିଁଲେ.....

ଯଦୁ

-

କିଛି କରିପାରିବେ ନାହିଁ, ଆଜ୍ଞା ! ନିଜେ ବରଂ ଅସୁବିଧାରେ ପଡ଼ିଯିବେ । ଲୋକେ କହିବେ କ’ଣ ? ଏଇଟା ଯେ ଦୁର୍ନୀତି !

ଅଜୟ

-

ହୁଁ, ଦେଖାଯାଉ କ’ଣ ହେଉଚି ।

ଯଦୁ

-

ମୋର ଆଉ କିଛି ଦେଖିବାର ନାହିଁ, ଆଜ୍ଞା ! ମୁଁ ସବୁ ଦେଖିସାରିଚି, ସମସ୍ତଙ୍କୁ ଦେଖିସାରିଚି । କିନ୍ତୁ ଖାଲି ସାନ୍ତ୍ୱନା, ସମବେଦନା, ସହାନୁଭୂତି ଛଡ଼ା ଆଉ କିଛି ପାଇନାହିଁ । ଆଉ କିଛି ପାଇବି ନାହିଁ । କିଏ ଶୁଣିବ ମୋ’ କଥା ? କିଏ ବୁଝିବ ମୋ କଥା ?

ଅଜୟ

-

(ଦୀର୍ଘ ନିଶ୍ୱାସ ନେଇ) ମୁଁ ବଡ଼ ଦୁଃଖିତ, ଯଦୁବାବୁ, ଆପଣଙ୍କପାଇଁ ମୁଁ କ’ଣ ଯେ କରିପାରିବି, ବୁଝିପାରୁ ନାହିଁ ।

ଯଦୁ

-

କିଛି କରିପାରିବେ ନାହିଁ, ଅଜୟବାବୁ, ମୋ ଭଳି ଗୋଟାଏ କଳଙ୍କିତ ଲୋକପାଇଁ ଆପଣ କିଛି କରିପାରିବେ ନାହିଁ । ବରଂ, ମୁଁ ଆଜି ସୁଯୋଗ ପାଇଚି ଆପଣଙ୍କପାଇଁ କିଛି କରିବାକୁ ।

ଅଜୟ

-

ମୋ’ପାଇଁ ? କ’ଣ କହୁଚନ୍ତି ଆପଣ ?

ଯଦୁ

-

ହଁ, ଆପଣଙ୍କପାଇଁ ଆଉ ଆପଣଙ୍କ ‘ଦୈନିକ ଜନତା’ର ପ୍ରେସ୍‌ଟିଜ ପାଇଁ ମୋ କଥା ଭୁଲିଯାଆନ୍ତୁ, ଅଜୟବାବୁ) ଭୁଲିଯାଆନ୍ତୁ ମୋ ସ୍ତ୍ରୀ, ଛୁଆପିଲା, ମୋର ଦୁଃଖ- ଦାରିଦ୍ର୍ୟ ଅଭାବ ଅନାଟନର କଥା । ମନେରଖନ୍ତୁ ଖାଲି ଗୋଟାଏ ନିରାଟ ନିର୍ମମ ନିଷ୍ଠୁର ସତ୍ୟ-ଦୁର୍ନୀତି । ମୁଁ ଦୁର୍ନୀତି କରିଚି, ଶାସନ ଦୁର୍ନୀତି କରିଚି, ସମାଜ ଦୁର୍ନୀତି କରିଚି । ହଁ, ଦୁର୍ନୀତି । ଖବରକାଗଜ ଫୋପାଡ଼ିଦେଇ ଆପଣଙ୍କ ପ୍ରେସ୍‌ଟିଜ୍, ‘ଦୈନିକ ଜନତା’ର ପ୍ରେସ୍‌ଟିଜ୍ (ତା’ପରେ ଭାଙ୍ଗିପଡ଼ି) ଆପଣଙ୍କର ଟିକିଏ ଦୟାବି ହେଲା ନାହିଁ, ଅଜୟବାବୁ ? ଶେଷରେ ମୋ’ରି କଥା ନେଇ ଆପଣଙ୍କ କାଗଜରେ...

ଅଜୟ

-

(ଉଠିପଡ଼ି, ଖବରକାଗଜଟା ଉଠାଇ) ମୁଁ ମୋର କର୍ତ୍ତବ୍ୟ କରିଚି-ଖବରକାଗଜ ପ୍ରତିନିଧିର କର୍ତ୍ତବ୍ୟ । ଏଥିରେ ବ୍ୟକ୍ତିଗତ ମାନ ଅଭିମାନର ପ୍ରଶ୍ନ ନାହିଁ ।

ଯଦୁ

-

କର୍ତ୍ତବ୍ୟ ? ସତ କଥା । ଖବରକାଗଜର ପ୍ରତିନିଧି ଆପଣ, ଦୁର୍ନୀତିର ଖବର ପାଇଲେ ଖବରକାଗଜକୁ ନ ପଠେଇବେ କେମିତି ? ଲୋକେ ଜାଣିବେ ‘କେମିତି ? ‘ଦୈନିକ ଜନତା’ର ପ୍ରେସ୍‌ଟିଜ୍ ବଢ଼ିବ କେମିତି ? (ମନକୁମନ) ଚାଲ ବାବା ଯଦୁନାଥ, ତମର ପାଞ୍ଚ ବାଇ ତିନି ନମ୍ବର ପାରା ଭାଡ଼ିକୁ ଫେରିଚାଲ, ତମରବି କର୍ତ୍ତବ୍ୟ ଅଛି, ତମରବି ସ୍ତ୍ରୀ ଛୁଆପିଲାର ‘ଦୈନିକ ଜନତା’ ଅଛି । ତମର ଖାଲି ନାହିଁ ପ୍ରେସ୍‌ଟିଜ୍ !

 

 

(କହି କହି ଯଦୁନାଥ ବାହାରିଗଲେ)

ରାଜୁ

-

ଭାଇ, ଭାଇ, ଏଇ ନୂଆବୋଉ ଆସୁଚନ୍ତି ।

ଅଜୟ

-

କ’ଣ ହେଲା, ତା’ର କବିତା ଲେଖା ସରିଲା ?

ରାଜୁ

-

ହଁ, ପକେଟ୍‍ରେ ଅଛି ।

ଅଜୟ

-

କବିତାଟାକୁ ନେଇ ତୁ ଗୋଟାଏ କ’ଣ ଇଏ କରିବୁ ବୋଲି କହୁଥିଲୁ ପରା ?

ରାଜୁ

-

ସୁର୍ ଦେଇ ତାଙ୍କ ଜନ୍ମଦିନରେ ଗାଇବି ବୋଲି ଭାବୁଥିଲି । ହେଲେ କବିତା ଯାହା ଲେଖିଚନ୍ତି ନା, ଓସ୍ତାଦ୍‌ ବଡ଼େ ଗୁଲାମ୍ ଅଲ୍ଲୀ’ବି ପାରିବେ ନାହିଁ । ଶୁଣିବ-? (ପକେଟରୁ କାଗଜ ବାହାରକରି ପଢ଼ିଲା)

 

 

ମନର ଟିକି ଚଢ଼େଇ, ଯାଆ ଉଡ଼ିଯାଆ, ଯାଆ...

 

 

ପ୍ରାଣର ଟିକି ବୋଇତ, ଯାଆ ଭାସି ଯାଆ, ଯାଆ... .

 

 

ଯେଉଁଠି ନେଳି ଆକାଶ ରୂପେଲି ତାରା ଡାକୁଚି ଖାଲି ଆ, ଆ...

ଅଜୟ

-

ହୁଁ, ପୂରାପୂରି ଆବ୍‌ଷ୍ଟ୍ରାକ୍‌ଟ୍ ଆଇଡ଼ିଆ । ମନ୍ଦ ହୋଇନାହିଁ ।

ରାଜୁ

-

ଆହୁରି ଅଛି, ଶୁଣ ! (ପୁଣି ପଢ଼ିଲା)

 

 

ସେଇଠି ବଣ ପାହାଡ଼ ମେଳେ

 

 

ଝରଣା କୂଳେ କୂଳେ

 

 

ଭାଲୁଛୁଆଟି ଡାକୁଛି ମୋତେ ମାଆ, ମାଆ, ମାଆ...

ଅଜୟ

-

(ଅପ୍ରସ୍ତୁତ ବୋଧ କରି) ଅସମ୍ଭବ, ଏଇଟା କେବେ ଗୋଟାଏ କବିତା ହୋଇପାରେନା ।

ରାଜୁ

-

ଅଥଚ, ଏଇ କବିତାରେ ସେ ଏକଦମ୍ ବିଭୋର ।

ଅଜୟ

-

ନନ୍‌ସେନ୍‌ସ ! ଦିନରାତି ଚବିଶ ଘଣ୍ଟା ସେଇ ଭାଲୁ ଛୁଆର ଗପ । ଯଦୁବାବୁର ଟୋକାଟା ତା’ର ମୁଣ୍ଡ ଖରାପ କରିଦେଇଚି ।

ରାଜୁ

-

ତେବେ ଉପାୟ ? ହୁକୁମ ହୋଇଗଲାଣି, ଚଞ୍ଚଳ ଟ୍ୟୁନିଂ ଦରକାର । ଡ୍ୟାମିଟ୍, ମରିଗଲି ମୁଁ ।

ଅଜୟ

-

କବିତାଟା ଶୁଣିଲେ ଯେକୌଣସି ଲୋକ ଭାବିବ, ସେ ବଦ୍ଧପାଗଳ । ତା’ପରେ ପୁଣି ଜନ୍ମଦିନ ଭଳି ଦିନରେ ଏମିତି ଗୋଟାଏ କବିତା ! ଛି, ଛି, ମୁଁ’ତ କେବେ...

 

 

(ପ୍ରବେଶ କଲା ଇନ୍ଦୁ । ସଦ୍ୟ ନିଦରୁ ଉଠିଆସିଲାଭଳି ତନ୍ଦ୍ରାଜଡ଼ିତ ଚାହାଣି ସ୍ଥିରଦୃଷ୍ଟିରେ ଅଜୟଆଡ଼କୁ ମୁହୂର୍ତ୍ତକପାଇଁ ଅନାଇରହିଲା )

ଇନ୍ଦୁ

-

କଳ୍ପନାବି କରିନଥିଲ, ନା ? ସତେ, ମୁଁ’ବି କେବେ କଳ୍ପନା କରିପାରିନଥିଲି, ଏମିତି ଗୋଟାଏ କବିତା ମୁଁ ଲେଖିପାରିବି ବୋଲି ।

ଅଜୟ

-

ନା, ନା, ଇନ୍ଦୁ, କଥାଟା ତମେ ଠିକ୍‌...

ଇନ୍ଦୁ

-

(ରାଜୁଆଡ଼କୁ ଚାହିଁ ଆଦେଶର ସ୍ଵରରେ) ମୁଁ ଗୀତଟା ଶୁଣିବି ।

ରାଜୁ

-

ମୃଦୁ ପ୍ରତିବାଦ କରି ଶୁଣିବ, ମାନେ ? ମୁଁ, ଇଏ

ଇନ୍ଦୁ

-

ଘଣ୍ଟାଏ ସମୟ ତମେ ନେବବୋଲି କହିଥିଲ । ମୁଁ ଗୀତଟା ଶୁଣିବି ।

ରାଜୁ

-

(ଅସହାୟ ଦୃଷ୍ଟିରେ ଅଜୟଆଡ଼କୁ ଥରେ ଚାହିଁ) ଜିନିଷଟା ଟିକିଏ, ଇଏ...

 

 

(ଅଜୟ ଗୋଟାଏ ଦୀର୍ଘ ନିଶ୍ୱାସ ନେଲା । ରାଜୁ ଅନନ୍ୟୋପାୟ ଭାବରେ ଗୀତଟି ଗାଇବାକୁ ଆରମ୍ଭ କଲା । ଅଜୟ ଭିତରକୁ ଚାଲିଗଲା । ଇନ୍ଦୁ ବିଭୋର ହୋଇ ଗୀତ ଶୁଣିବାକୁ ଲାଗିଲା । ଗୀତର ଶେଷଆଡ଼କୁ ଘର ଭିତରକୁ ଝଡ଼ବେଗରେ ପଶିଆସିଲା ଅଜୟ)

ଅଜୟ

-

(ଚପା ଗର୍ଜନର ସ୍ଵରରେ) ଗୀତ ବନ୍ଦକର, ରାଜୁ !

 

 

(ରାଜୁ, ଆହତ ବିସ୍ମୟରେ ଗୀତ ବନ୍ଦ କରିଦେଲା । ଇନ୍ଦୁ କିନ୍ତୁ ଆଗଭଳି ବିଭୋର)

 

 

ଏ ଘର ମୋର । ମୁଁ ଗୋଟାଏ ଖବରକାଗଜର ରିପୋର୍ଟର ମୋର ମାନ ଅଛି, ମୋର ସମ୍ମାନ ଅଛି । ମୋର ଭଦ୍ରଭାବରେ, ସୁସ୍ଥଭାବରେ ବଞ୍ଚିବାର ଅଧିକାର ଅଛି । ଗୋଟାଏ ମ୍ୟାନିଆକ୍‌ର ପାଲରେ ପଡ଼ି ମୁଁ ମୋ ଘରଟାକୁ ପାଗଳା ଗାରଦ କରିବାକୁ ଦେବି ନାହିଁ ।

 

 

(ପ୍ରବଳ ଉତ୍ତେଜନାରେ ଆଉ କିଛି କହିନପାରି ବାହାରକୁ ଚାଲିଗଲା)

***

 

Unknown

ତୃତୀୟ ଅଙ୍କ

 

 

 

[ପୂର୍ବର ସେହି ଦୃଶ୍ୟ । ଇନ୍ଦୁର ଜନ୍ମଦିନ । ଘରଭିତରେ ସାଜସଜ୍ଜା । ଦୃଶ୍ୟ ଆରମ୍ଭରେ ଦେଖାଗଲା, ସରୋଜ ଟେଲିଫୋନ ଧରିଚି ।]

ସରୋଜ

-

ହଁ, ହଁ, ମୁଁ ଅଜୟ ମହାପାତ୍ରଙ୍କ ଘରୁ କହୁଚି । ‘ଦୈନିକ ଜନତା’ର ପ୍ରତିନିଧି ଅଜୟ ମହାପାତ୍ର । କ’ଣ କହିଲେ ? ଉପେନ୍ଦ୍ରବାବୁ ଅଧଘଣ୍ଟାଏ ହେଲା ବାହାରି ଆସିଚନ୍ତି ? ଏଇଠିକି ଆସିଚନ୍ତି ? ହଁ, ହଁ, ଏଠି ଆଜି ତାଙ୍କର ନିମନ୍ତ୍ରଣ ଥିଲା ! ଆଚ୍ଛା, ଆଚ୍ଛା, ଠିକ୍‌ ଅଛି । (ଟେଲିଫୋନ୍‌ ରଖିଦେଇ, ମନକୁମନ) ଲଙ୍ଗ୍‌ ଲିଭ୍‌ ଶ୍ରୀ ନିରାକାର ।

 

 

(ବାହାରୁ ପ୍ରବେଶକଲେ ଜଣେ ମଧ୍ୟବୟସ୍କ ବ୍ୟକ୍ତି-ମହାଦେବ । ଧୋତି ଓ ପଞ୍ଜାବୀ ସୌଖିନଭାବରେ ପରିହିତ ଇତସ୍ତତଃ ଭାବରେ ସେ ସରୋଜଆଡ଼କୁ ଆଗେଇଆସିଲେ । ତାଙ୍କୁ ଦେଖି ସରୋଜର ଭ୍ରୂକୁଞ୍ଚିତ ହେଲା-।)

ସରୋଜ

-

ଆପଣ- ?

ମହାଦେବ

-

ଆଜ୍ଞା ହଁ, ତିନିଦିନ ହେଲା ଦେଖାନପାଇ ଫେରିଯାଉଥିଲି । ଆଜି ଧରିଚି ଆପଣଙ୍କୁ ।

ସରୋଜ

-

ଆପଣ କାହାକୁ ଖୋଜୁଚନ୍ତି, କହିଲେ ? ଏଇଟା ‘ଦୈନିକ ଜନତା’ର ପ୍ରତିନିଧି ଅଜୟ ମହାପାତ୍ରଙ୍କର ଘର ।

ମହାଦେବ

-

(ସୋଫା ଉପରେ ବସିପଡ଼ି ରୁମାଲରେ ମୁହଁ ପୋଛି) ଆଜି ଆଉ ଛାଡ଼ୁ ନାହିଁ ।

ସରୋଜ

-

(ଟିକିଏ ରହି, ସ୍ଥିର ସ୍ୱରରେ) ଆପଣ କିଏ ?

ମହାଦେବ

-

ମୁଁ ? ମୁଁ କିଏ ? (ତା’ପରେ ହଠାତ୍‌ ସରୋଜକୁ) ମୁଁ କିଏ ?

ସରୋଜ

-

ଆହା, ମୁଁ ପଚାରୁଚି ପରା ଆପଣ କିଏ ?

ମହାଦେବ

-

ମୁଁ’ବି ସେଇକଥା ପଚାରୁଚି, ମୁଁ କିଏ ?

ସରୋଜ

-

(ବିସ୍ମୟ ବୋଧ କରି) କାହାକୁ ଖୋଜୁଚନ୍ତି ଆପଣ ?

ମହାଦେବ

-

ଆପଣଙ୍କୁ । ଆଜି ଆଉ ଛାଡ଼ୁନାହିଁ । (ସରୋଜ ପାଖକୁ ଲାଗିଆସି) ତିନିପାଞ୍ଜିରୁ ଯାଇଚି, ଆଜ୍ଞା ! ମୁଁ କ’ଣ ଆଉ ମୁଁ ହୋଇ ଅଛି କି ! କିଏ ଆଉ ଚିହ୍ନିବ ମୋତେ ?

ସରୋଜ

-

ଆସିଚନ୍ତି କୁଆଡ଼େ ଆପଣ ?

ମହାଦେବ

-

ତିନିଦିନ ହୋଇଗଲାଣି ଆସୁଚି । ଆଜି ଧରିଚି । ଛାଡ଼ିବି ନାହିଁ ।

ସରୋଜ

-

(ବିରକ୍ତି ବୋଧ କରି) କ’ଣ କିଛି କଥାବାର୍ତ୍ତା ଅଛି ?

ମହାଦେବ

-

ଅଛି, ପୁଣି ନାହିଁ ।

ସରୋଜ

-

ଅଛି, ପୁଣି ନାହିଁ ! ନାହିଁ କାହିଁକି ?

ମହାଦେବ

-

ଅଛି ବୋଲି । କଥାବାର୍ତ୍ତା କଲେ ମଲି, କଥାବାର୍ତ୍ତା ନ କଲେ’ବି ମଲି ।

ସରୋଜ

-

ହୁଁ । ଆଚ୍ଛା, ତେବେ ବସନ୍ତୁ, ମୁଁ ଡାକିଦେଉଚି ।

 

 

(କହି ଯିବାକୁ ଉଦ୍ୟତ ହେଲାବେଳେ ମହାଦେବ ବ୍ୟାକୁଳ ଭାବରେ ସରୋଜର ହାତ ଚାପିଧରି ଅଟକାଇଦେଲା । )

ମହାଦେବ

-

ନା, ନା, ଆଜ୍ଞା ! ଡାକନ୍ତୁ ନାହିଁ, ଡାକନ୍ତୁ ନାହିଁ । ମୁଁ ପାଗଳ ନୁହେଁ । ମୁଁ ମହାଦେବ ।

ସରୋଜ

-

ମହାଦେବ ? କୋଉ ମହାଦେବ ?

ମହାଦେବ

-

ଶ୍ରୀ ମହାଦେବ ପୂଜାପଣ୍ଡା । ତିନିଦିନ ହେଲା ଏଠିକି ଆସୁଚି, ଦେଖାନପାଇ ଫେରିଯାଉଚି । ଆଜି ଆପଣଙ୍କୁ ପାଇଚି, ଆଉ ଛାଡ଼ିବି ନାହିଁ । ବସନ୍ତୁ ଆଜ୍ଞା, ମୁଁ ଯାହା କହୁଚି, ଶୁଣନ୍ତୁ । (କହି ପ୍ରାୟ ଜବରଦସ୍ତି ସରୋଜକୁ ବସାଇଦେଲା) କଥାବାର୍ତ୍ତା କଲେ ମଲି, କଥାବାର୍ତ୍ତା ନ କଲେବି ମଲି । ଥରେ ଖାଲି ମୋ ହାବୁଡ଼ରେ କେଉଁଠି ପଡ଼ନ୍ତା, ଦେଖିନିଅନ୍ତି ତାକୁ ।

ସରୋଜ

-

କାହାକୁ ଦେଖିନେବେ ?

ମହାଦେବ

-

ସେଇ, ସେଇ, କ’ଣ ତ ତା’ନାଁଟା ? ମନୋରମା-ହଁ, ହଁ, କୁମାରୀ ମନୋରମା-

ସରୋଜ

-

ମନୋରମା ? କୋଉ ମନୋରମା ?

ମହାଦେବ

-

ଜାଣିନାହାନ୍ତି ତ ! ରକ୍ଷା ପାଇଯାଇଚନ୍ତି । ଆପଣଙ୍କ ସ୍ତ୍ରୀ କ’ଣ ଏଇ ପାଖଆଖରେ କେଉଁଠି ଅଛନ୍ତି ।

ସରୋଜ

-

ନାହାନ୍ତି ।

ମହାଦେବ

-

ତେବେ କ’ଣ ବାହାରକୁ କେଉଁଆଡ଼େ ଯାଇଚନ୍ତି ?

ସରୋଜ

-

(ହସିପକାଇ) ବାହାରକୁ ଯାଇନାହାନ୍ତି କି ଭିତରକୁ ଆସିନାହାନ୍ତି । କ’ଣ ଦରକାର, କହନ୍ତୁ ।

ମହାଦେବ

-

(ଟିକିଏ ଚିନ୍ତାକରି) ବାହାରକୁ ଯାଇନାହାନ୍ତି କି ଭିତରକୁ ଆସିନାହାନ୍ତି । ତେବେ କୁଆଡ଼େ ଗଲେ ?

ସରୋଜ

-

ଜନ୍ମ ହୋଇନାହାନ୍ତି ।

ମହାଦେବ

-

ଜନ୍ମ ହୋଇନାହାନ୍ତି, ମାନେ ? (ଆଶ୍ଚର୍ଯ୍ୟ ହୋଇ) ଜନ୍ମ ହୋଇନାହାନ୍ତି ?

ସରୋଜ

-

ନା, ଜନ୍ମ ହୋଇନାହାନ୍ତି ।

ମହାଦେବ

-

ଆପଣଙ୍କ ସ୍ତ୍ରୀ ଜନ୍ମ ହୋଇନାହାନ୍ତି ? ରହନ୍ତୁ, ରହନ୍ତୁ, କେମିତି ସବୁ ଗୋଳମାଳିଆ ହୋଇଯାଉଚି । (ମନକୁମନ) ଆପଣଙ୍କ ସ୍ତ୍ରୀ ଜନ୍ମ ହୋଇନାହାନ୍ତି ...

ସରୋଜ

-

(କୃତ୍ରିମ ଅନୁଶୋଚନାରେ) କ’ଣ କରିବି ? ଆକ୍‌ସିଡ଼େଣ୍ଟ, ଦୁର୍ଘଟଣା ।

ମହାଦେବ

-

ଏଁ, କ’ଣ କହିଲେ, କ’ଣ କହିଲେ, ଆକ୍‌ସିଡ଼େଣ୍ଟ ? ତେବେ କ’ଣ ଆକ୍‌ସିଡ଼େଣ୍ଟରେ ଆପଣଙ୍କ ସ୍ତ୍ରୀ...

ସରୋଜ

-

ଠିକ୍‌ ଧରିଚନ୍ତି, ଜନ୍ମ ହୋଇନାହାନ୍ତି ।

ମହାଦେବ

-

(ମୁଣ୍ଡରେ ହାତ ଆଉଁସି) ଆକ୍‌ସିଡ଼େଣ୍ଟରେ ଜନ୍ମ ହୋଇନାହାନ୍ତି ? ରହନ୍ତୁ, ରହନ୍ତୁ, କେମିତି ସବୁ ଗୋଳମାଳିଆ ହୋଇଯାଉଚି । ଆପଣଙ୍କ ସ୍ତ୍ରୀ ଆକ୍‌ସିଡ଼େଣ୍ଟରେ- ନା, ନା, ତା’ କ’ଣ କେବେ ସମ୍ଭବ ?

ସରୋଜ

-

ଅସମ୍ଭବ ନୁହେଁ । ସେଇଆ ହୋଇଚି ।

ମହାଦେବ

-

(ଚିନ୍ତାକରି) କିନ୍ତୁ ମୁଁ’ତ ଶୁଣିଥିଲି ଆପଣଙ୍କର ସ୍ତ୍ରୀ ଅଛନ୍ତି ବୋଲି ।

ସରୋଜ

-

ଆପଣ କାହାପାଖକୁ ଆସିଚନ୍ତି ? ମୋ’ପାଖକୁ, ନା ମୋ ସ୍ତ୍ରୀ ପାଖକୁ ?

ମହାଦେବ

-

ଆପଣଙ୍କ ପାଖକୁ । ତେବେ କହୁଥିଲି କ’ଣ କି, ସ୍ତ୍ରୀ ପାଖଆଖରେ ଥିଲେ ଟିକିଏ ଅସୁବିଧା ।

ସରୋଜ

-

ଅସୁବିଧା କାହିଁକି ?

ମହାଦେବ

-

ସେଇ, ଯାହା କହୁଥିଲି, ମନୋରମା ! ସିଏବି ସ୍ତ୍ରୀ, ମାନେ ସ୍ତ୍ରୀଲୋକ ।

ସରୋଜ

-

ଓହୋ, ତେବେ, କ’ଣ ତ ଆପଣଙ୍କ ନାଁଟା ?

ମହାଦେବ

-

ମହାଦେବ, ଶ୍ରୀ ମହାଦେବ ପୂଜାପଣ୍ଡା ।

ସରୋଜ

-

ମହାଦେବବାବୁ, ଚଞ୍ଚଳ ଏଠୁ ଖସିଯାନ୍ତୁ ।

ମହାଦେବ

-

(ବିସ୍ମିତ ଭାବରେ) ଖସିଯିବି ? ଖସିଯିବି କାହିଁକି ?

ସରୋଜ

-

ସ୍ତ୍ରୀ ଏଇ ଆରଘରେ ଅଛନ୍ତି ଆଜି ତାଙ୍କର ଜନ୍ମଦିନ ।

ମହାଦେବ

-

(ଆହୁରି ବିସ୍ମୟରେ) କିନ୍ତୁ ଆପଣ’ତ କହିଲେ...

ସରୋଜ

-

ସ୍ତ୍ରୀ ନାହାନ୍ତି ବୋଲି ତ ? ଠିକ୍‌ କହିଚି । ଆର ଘରେ ଯେ ଅଛନ୍ତି । ସେ ମୋ ସ୍ତ୍ରୀ ନୁହନ୍ତି , ମୋର ବନ୍ଧୁଙ୍କ ସ୍ତ୍ରୀ, ‘ଦୈନିକ ଜନତା’ର ପ୍ରତିନିଧି ଅଜୟ ମହାପାତ୍ରଙ୍କ ସ୍ତ୍ରୀ

ମହାଦେବ

-

ଆପଣଙ୍କ ସ୍ତ୍ରୀ ନୁହନ୍ତି ! ଅଜୟବାବୁଙ୍କ ସ୍ତ୍ରୀ ? ତେବେ ଆପଣ ?

ସରୋଜ

-

ସେଇଟାଇ ତ ହେଉଚି ମୁସ୍କିଲ । ମୁଁ ହେଉଚି ମୁଁ ।

ମହାଦେବ

-

ମୁଁ ? ମାନେ, ଆପଣ ହେଉଚନ୍ତି ମୁଁ ? ରହନ୍ତୁ, ରହନ୍ତୁ, ସବୁ କେମିତି ଗୋଳମାଳିଆ ହୋଇଯାଉଚି । ତେବେ ମୁଁ କିଏ ?

ସରୋଜ

-

ଆପଣଙ୍କର ଗିଲାସେ ପାଣି ଦରକାର ?

ମହାଦେବ

-

କ’ଣ କହିଲେ ? ପାଣି ? ହଁ, ପାଣି ଦରକାର ।

 

 

(ଏହି ସମୟରେ ଭିତରୁ ଆସିଚି ରାଜୁ । ହାତରେ ଗୋଟିଏ ଟ୍ରେ । ଟ୍ରେ’ରେ ଅଛି ସରବତ୍‌)

ରାଜୁ

-

ସରବତ୍‌ ?

ସରୋଜ

-

(ମହାଦେବକୁ) ସରବତ୍‌ ଖାଇବେ ?

ମହାଦେବ

-

ପାଣି ଖୋଜୁ ଖୋଜୁ ସରବତ୍‌ ? ଆଚ୍ଛା, ଦିଅନ୍ତୁ । ( ଢକ ଢକ କରି ସରବତ୍‌ ପିଇସାରି, ରାଜୁକୁ) ଆପଣ କିଏ ?

ରାଜୁ

-

ଆପଣ କିଏ ?

ମହାଦେବ

-

ରାଜକୁ ଚିହ୍ନିପାରି ଆରେ, ଆପଣ ? ଆପଣଙ୍କୁ ତ ମୁଁ ଦେଖିଚି - ସେଇ ପଅରଦିନ ଏଠିକି ଆସିଥିଲି, ଅଜୟବାବୁଙ୍କୁ ଖୋଜିବାପାଇଁ !

ରାଜୁ

-

ଓ, ଆପଣ ଭାଇଙ୍କୁ ଖୋଜୁଚନ୍ତି ?

ମହାଦେବ

-

ତିନିଦିନ ହେଲା ଖୋଜୁଚି । ଆଜି ଆଉ ଛାଡ଼ୁନାହିଁ ।

ରାଜୁ

-

ଟିକିଏ ଅପେକ୍ଷାକରନ୍ତୁ, ମୁଁ ଡାକିଦେଉଚି ।

ମହାଦେବ

-

(ଉଠି ଠିଆହୋଇ, ରାଜୁକୁ ବାଧାଦେଇ) ଶୁଣନ୍ତୁ, ଶୁଣନ୍ତୁ । (ରାଜୁ ପାଖକୁଯାଇ) ଅଜୟବାବୁଙ୍କ ସ୍ତ୍ରୀ କ’ଣ ଏଇଠି ଅଛନ୍ତି ?

ରାଜୁ

-

କିଏ, ନୂଆବୋଉ ? ହଁ, ଅଛନ୍ତି । ଆଜି ତାଙ୍କର ଜନ୍ମଦିନ । କାହିଁକି ?

ମହାଦେବ

-

(ଅସହାୟଭାବରେ ସରୋଜଆଡ଼କୁ ଚାହିଁ) ଅଛନ୍ତି ? ମୁଁ ତେବେ କ’ଣ କରିବି-?

ସରୋଜ

-

ଏଆଡ଼କୁ ଆସନ୍ତୁ । (ମହାଦେବ ପାଖକୁ ଗଲା । ରାଜୁ ଭିତରକୁ ଗଲା) ବସନ୍ତୁ-। (ମହାଦେବ ବସିଲା) କୁଆଡ଼େ ଆସିଚନ୍ତି ଆପଣ ?

ମହାଦେବ

-

ସେଇ, ମନୋରମା, ଯାହା କଥା ଆପଣଙ୍କୁ କହୁଥିଲି ।

ସରୋଜ

-

ହଁ, କ’ଣ ହେଲା ?

ମହାଦେବ

-

ତା’ରି କଥା କହିବାକୁ ଆସିଚି ବଦମାସ ମାଇକିନାଟା ମୋତେ ବୁଡ଼େଇଦେଇ ଯାଇଚି । ମୁଁ କ’ଣ ଆଉ ମୁଁ ହୋଇ ଅଛି ?

ସରୋଜ

-

କ’ଣ ହେଇଚି ?

ମହାଦେବ

-

ସଂସ୍କୃତ ଶ୍କୋକ ଅଛି । ବିଶ୍ୱାସ ନୈବ କର୍ତ୍ତବ୍ୟଂ ସ୍ତ୍ରୀଷୁ ରାଜକୁଳେଷୁ ଚ...’ ସେଟା କ’ଣ ମିଛ କଥା ?

ସରୋଜ

-

ଶ୍କୋକଟା ଯେ ଲେଖିଥିଲେ ସେ ଜାଣିଥିବେ । ଆପଣ କ’ଣ କହୁଚନ୍ତି, କହନ୍ତୁ-

ମହାଦେବ

-

ମୁଁ ଆଉ ଅଧିକା କ’ଣ କହିବି ? ସେଇ ମନୋରମା-

ସରୋଜ

-

(ବିରକ୍ତ ହୋଇଉଠି) ମନୋରମା, ମନୋରମା, ମନୋରମା ! ଦେଖନ୍ତୁ, କ’ଣ ଆପଣଙ୍କ ନାଁଟା- ହଁ, ମହାଦେବବାବୁ, ମୋର ଟିକିଏ ଗରମ ଦୋଷ ଅଛି । ଟିକିଏ ବେଶିମାତ୍ରାରେ ସୁରା ପାନ କରେ ।

ମହାଦେବ

-

(ବିସ୍ମୟରେ ଆପଣ ସୁରା ପାନ କରନ୍ତି ? ରହନ୍ତୁ, ରହନ୍ତୁ, ସବୁ କେମିତି ଗୋଳମାଳିଆ ହେଇଯାଉଚି । ଆପଣ ସୁରା ପାନ କରନ୍ତୁ ?

ସରୋଜ

-

ଖାଲି କରେ ନୁହେଁ, ବର୍ତ୍ତମାନ’ବି କରିଚି । ସାବଧାନ ! ମନୋରମାର କିଛି ହେବନାହିଁ । ଆପଣ ହଇରାଣରେ ପଡ଼ିଯିବେ ।

ମହାଦେବ

-

(ଆତଙ୍କ ଅନୁଭବ କରି, ଉଠି ଠିଆହୋଇ) ମୁଁ, ମୋତେ, ତେବେ ମୁଁ କ’ଣ କରିବି ?

ସରୋଜ

-

ବାହାରକୁ ଯିବାର ଦୁଆର ଖୋଲା ଅଛି । ରାସ୍ତା ଦେଖନ୍ତୁ । (ମହାଦେବ ପରବରେ ଇତସ୍ତତଃ ରହିଲାବେଳେ ଭିତରୁ ପ୍ରବେଶ କଲା ଅଜୟ । କେତେକ ମୁହୂର୍ତ୍ତ ମହାଦେବକୁ ଚାହିଁ ପ୍ରଶ୍ନ କଲା)

ଅଜୟ

-

ଆପଣ ମୋତେ ଖୋଜୁଥିଲେ ? ମୁଁ ଅଜୟ ମହାପାତ୍ର । (ମହାଦେବ ଦୌଡ଼ିଆସି ଅଜୟକୁ ପ୍ରାୟ କୁଣ୍ଢାଇପକାଇ ସରୋଜଆଡ଼କୁ ଅଙ୍ଗୁଳି ସଙ୍କର କରି)

ମହାଦେବ

-

ସୁରା ପାନ କରିଚନ୍ତି । (ମୁହୂର୍ତ୍ତକପାଇଁ ଅଜୟର ଭ୍ରୂକୁଞ୍ଚିତ ହେଲା । ତା’ପରେ ସହଜଭାବରେ କହିଲା)

ଅଜୟ

-

ବସନ୍ତୁ, (ମହାଦେବ ଇତସ୍ତତଃ ହୋଇ ବସିଲା) କହନ୍ତୁ ।

ମହାଦେବ

-

ଆପଣଙ୍କ ସ୍ତ୍ରୀ ?

ଅଜୟ

-

ଘର ଭିତରେ ଅଛି । କାହିଁକି ?

ମହାଦେବ

-

ଏକାଠି ଚାଲିଆସିବେ ନାହିଁ’ତ ?

ଅଜୟ

-

ଯଦି ଆସିବାକୁ ଚାହାନ୍ତି, ନିଶ୍ଚୟ ଆସିବେ । ଘରଟା ତାଙ୍କର ।

ମହାଦେବ

-

ତେବେ ମୁଁ ଚଞ୍ଚଳ ସାରିଦିଏ । ତିନିଦିନ ହେଲା ଆପଣଙ୍କ ପାଖକୁ ଦୌଡ଼ୁଚି । ଆଜି ପାଇଚି । ଆଉ ଛାଡ଼ିବି ନାହିଁ । ଆରେ, ଆପଣଙ୍କ କାଗଜ କଲମ କାହିଁ ! ମୋ କଥାଗୁଡ଼ାକ ଟିପିନେବେ ନାହିଁ ?

ଅଜୟ

-

ମୁଁ ଟିକିଏ ବ୍ୟସ୍ତ ଅଛି । କାମଟା କ’ଣ, ଚଞ୍ଚଳ କହନ୍ତୁ ।

ମହାଦେବ

-

ଖବରଟା, ଯେମିତି ହେଉ, ଆପଣଙ୍କ କାଗଜରେ ବାହାର କରିବାକୁ ପଡ଼ିବ । ମୋର ସର୍ବନାଶ ହୋଇଯାଇଚି, ଆଜ୍ଞା ! ଆପଣ ମୋତେ ସାହାଯ୍ୟ ନ କଲେ

ଅଜୟ

-

କଥାଟା କ’ଣ, ଆଗେ କହନ୍ତୁ ।

ମହାଦେବ

-

କୋଟେସନ’ବି ସବୁ ଟିପିଆଣିଚ, ଆଜ୍ଞା ! ‘ବିଶ୍ୱାସ ନୈବ କର୍ତ୍ତବ୍ୟଂ ସ୍ତ୍ରୀଷୁ ରାଜକୁଳେଷୁ ଚ, ଟେଚେରି, ଦାଇ ନେମ୍‌ ଇଜ୍‌ ଓମାନ୍‌’

ଅଜୟ

-

କ’ଣ କହୁଚନ୍ତି ଆପଣ ?

ମହାଦେବ

-

ଠିକ୍‌ କହୁଚି । ସେଇ, ସେଇ ମନୋରମା ମୋର ଯେଉଁ ସର୍ବନାଶ କରିଚି ନା, ତାକୁ ମୁଁ ଛାଡ଼ିବି ନାହିଁ, ଯେମିତି ହେଉ ଦେଖିନେବି । ଆପଣ ଖାଲି ଆପଣଙ୍କ କାଗଜରେ ଟିକେ ...

ଅଜୟ

-

ନା, ମୁଁ କିଛି ବୁଝି ପାରୁନାହିଁ ।

ମହାଦେବ

-

ପ୍ରତାରଣା, ପ୍ରବଞ୍ଚନା, ବିଶ୍ଵାସଘାତକତା ! ମୋ ସଙ୍ଗରେ ଇଏ କରି, ମୋତେ ବାହାହେବ ବେଲି କହି, ଶେଷରେ ମୋ ଘରଦ୍ଵାର ଜମିବାଡ଼ି ସବୁ ନିଜ ନାଁରେ ଲେଖାଇନେଇ କୁଆଡ଼େ ଯେ ଚମ୍ପଟ ଦେଲା ବଦମାସ ମାଇକିନାଟା !

ଅଜୟ

-

ଭଦ୍ରଭାବରେ କଥାବାର୍ତ୍ତା କରନ୍ତୁ, ଏଟା ଭଦ୍ରଲୋକଙ୍କ ଘର ।

ମହାଦେବ

-

(ହତାଶଭାବରେ ନିଶ୍ଵାସ ନେଇ) କଥାବାର୍ତ୍ତା କଲେ ମଲି, କଥାବାର୍ତ୍ତା ନ କଲେବି ମଲି । କ’ଣ କରିବି, ସେଇ ମନୋରମା ମୋତେ ପାଗଳ କରିଦେଇଯାଇଚି । ମୁଁ କ’ଣ ଆଉ ମୁଁ ହୋଇ ଅଛି ?

ଅଜୟ

-

ମୋତେ କ’ଣ କରିବାକୁ କହୁଚନ୍ତି ?

ମହାଦେବ

-

ଖାଲି କଡ଼ା କରି ଗୋଟାଏ ଖବର ଛାପିଦିଅନ୍ତୁ, ‘‘ଛଳନାମୟୀ ମନୋରମାର ଛଳନା ପ୍ରତି ସାବଧାନ’’-ଗତ କିଛିଦିନ ହେଲା ପୁରୀ ସହରରେ ମନୋରମାନାମ୍ନୀ ଜଣେ ଯୁବତୀ ବହୁ ନିରୀହ ଯୁବକଙ୍କୁ ନିଜ ପାଲରେ ପକାଇ ନାକେଦମ୍‌ କରୁଥିବାର ଖବର ମିଳିଚି ।

ଅଜୟ

-

ହୁଁ, ତା’ପରେ ?

ମହାଦେବ

-

ପୁରୀ ସହରର ଜଣେ ସରଳ ସଚ୍ଚରିତ୍ର ଯୁବକ ଶ୍ରୀ ମହାଦେବ ପୂଜାପଣ୍ଡ।, ମାନେ ମୁଁ, ଏହି ପ୍ରତାରଣାର ଶିକାର ହୋଇ ମନୋରମା ନାମ୍ନୀ ଯୁବତୀ ନାମରେ ନିଜର ସ୍ଥାବର ଅସ୍ଥାବର ସମସ୍ତ ସମ୍ପତ୍ତି ହସ୍ତାନ୍ତର କରିଦେଲା ପରେ ହଠାତ୍‌ ଯୁବତୀଟି ଅନ୍ତର୍ଦ୍ଧାନ ହାଇଚି ।

ଅଜୟ

-

ପୁଲିସରେ ଡାଏରି ଦିଅନ୍ତୁ ।

ମହାଦେବ

-

ପୁଲିସରେ ଡାଏରି ଦେବ ? ନା, ନା, ମୁଁ କୋର୍ଟ କଚେରିକୁ ଦୌଡ଼ିପାରିବି ନାହିଁ । ଥରେ ଖାଲି ଆପଣଙ୍କ କାଗଜରେ ଖବରଟା ବାହାରିଯାଉ- ‘‘ଛଳନାମୟୀ ମନୋରମାର ଛଳନା ପ୍ରତି ସାବଧାନ !’’

ଅଜୟ

-

ମୁଁ ତ ଏ ଖବରଟା ଦେଇପାରିବି ନାହିଁ ।

ମହାଦେବ

-

ଦେଇପାରିବେ ନାହିଁ ! କାହିଁକି ? ଆପଣ ‘ଦୈନିକ ଜନତା’ର ପ୍ରତିନିଧି-

ଅଜୟ

-

ସେସବୁ ଆପଣ ବୁଝିପାରିବେ ନାହିଁ । ଆଇନ୍‍କାନୁନ୍ କଥା । ଆପଣ କିଏ, ମନୋରମା କିଏ, ଛଳନା କ’ଣ, ପ୍ରତାରଣା କ’ଣ, ମୁଁ ତ କିଛି ଜାଣିନାହିଁ ।

ମହାଦେବ

-

ମୁଁ ପରା ନିଜେ କହୁଚି, ଆଜ୍ଞା, ଜଗନ୍ନାଥଙ୍କ ଦ୍ଵାହି ପକାଇ କହୁଚି, ସବୁ ସତ କଥା ! ଦିନ କେତେ ରୋଜ ସନ୍ଧ୍ୟାବେଳେ ସମୁଦ୍ରକୂଳରେ ବୁଲେଇ ବୁଲେଇ ମୋତେ କାବୁକରି ବାହାହେବ ବୋଲି କହି ଶେଷରେ ସମ୍ପତ୍ତିବାଡ଼ି ସବୁ ନିଜ ନାଁରେ ଲେଖାଇନେଇ ଚମ୍ପଟ୍‌

ଅଜୟ

-

ହୋଇପାରେ । କିନ୍ତୁ ମୁଁ ନିରୁପାୟ । ଏ ଖବର ଆମ କାଗଜରେ ବାହାରିପାରିବ ନାହିଁ ।

ମହାଦେବ

-

କାହିଁକି ବାହାରିପାରିବ ନାହିଁ ? ଏହିପରି କେତେ ରକମ ଖବର’ତ ବାହାରୁଚି ଆପଣଙ୍କ କାଗଜରେ । ଗୋଟାଏ କିଏ ଭଦ୍ରବେଶୀ ଠକ ଏକ ହଜାର ଟଙ୍କା ଠକେଇ ନେଇ ଚମ୍ପଟ ହେଲା-

ଅଜୟ

-

ଆଉ ବେଶି ବିରକ୍ତ କରନ୍ତୁ ନାହିଁ । ମୁଁ ବଡ଼ ବ୍ୟସ୍ତ ଅଛି ।

ମହାଦେବ

-

ହେଲେ ମୁଁ ଯାହା କହୁଚି, ଏକଦମ ସତକଥା ଆଜ୍ଞା !

ଅଜୟ

-

ହୋଇପାରିବ ନାହିଁ । ଏଇସବୁ ଆଜେବାଜେ ଖବର ଛପେଇଲେ କାଗଜ ବଦନାମ ହୋଇଯିବ ।

ମହାଦେବ

-

(ଆହତଭାବରେ ଉଠି ଠିଆହୋଇ) ଆଜେବାଜେ ଖବର ? ମୁଁ ନିଜେ ଭୁକ୍ତଭୋଗୀ, ମୁଁ ନିଜେ ଆପଣଙ୍କୁ କହୁଚି ! ଆପଣ କହୁଚନ୍ତି, ଆଜେବାଜେ ଖବର ?

ଅଜୟ

-

କୋଉଠିକାର କିଏ ମନୋରମା, ତା’ ନାଁରେ ଇଆଡ଼ୁ ସିଆଡ଼ୁ ଖବର ଛାପି ଆମ କାଗଜ ପୁଣି କୋର୍ଟ କଚେରିକୁ ଦଉଡ଼ୁଥିବ ନା’ କ’ଣ ? ଆପଣ ଯା’ନ୍ତୁ, ବୁଝିଲ, ଅନ୍ୟ କେଉଁଠି ଚେଷ୍ଟା କରନ୍ତୁ । ମୋର ଅନ୍ୟ କାମ ଅଛି ।

ମହାଦେବ

-

ତିନିଦିନ ହେଲା ଆପଣଙ୍କ ପାଖକୁ ଦୌଡ଼ି ଦୌଡ଼ି ଆପଣ ଶେଷରେ....

ଅଜୟ

-

ତିନିଦିନ ଆଗରୁ ଦେଖାହୋଇଥିଲେବି କିଛି ଲାଭ ହୋଇନଥାନ୍ତା । ଆଚ୍ଛା-(କହି ନମସ୍କାର କରି ମହାଦେବକୁ ଯିବାକୁ ଇଙ୍ଗିତ ଦେଲା)

ମହାଦେବ

-

(ହତାଶ ଭାବରେ) ଏତେ ବଡ଼ ସତ ଖବରଟା- ହଉ, ସବୁ ମୋ ଭାଗ୍ୟ । ଥରେ କେଉଁଠି ମୋ ହାବୁଡ଼ରେ ପଡ଼ନ୍ତା, ଦେଖିନିଅନ୍ତି ତାକୁ । (ଯିବାକୁ ଉଦ୍ୟତ ହେଲା)

ସରୋଜ

-

(ମହାଦେବକୁ ରହିବାକୁ ଇଙ୍ଗିତ କରି) ଶୁଣନ୍ତୁ ! ଗୋଟାଏ କାମ କରିବେ ? (ମହାଦେବ ମୁଣ୍ଡ ହଲାଇ ସମ୍ମତି ଦେଲା) କିଛି ପଇସା ଖର୍ଚ୍ଚ କରିବେ ? (ମହାଦେବ ମୁଣ୍ଡ ହଲାଇ ସମ୍ମତି ଦେଲା) ‘ଛଳନାମୟୀ ମନୋରମାର ଛଳନା ପ୍ରତି ସାବଧାନ !’ ଏତିକି ଲେଖି ଗୋଟାଏ ବିଜ୍ଞାପନ ଛାଡ଼ନ୍ତୁ !

ମହାଦେବ

-

ବିଜ୍ଞାପନ ? ରହନ୍ତୁ, ରହନ୍ତୁ, କେମିତି ସବୁ ଗୋଳମାଳିଆ ହେଇଯାଉଚି ।

ସରୋଜ

-

ପଇସା ଦେଲେ ଯେକୌଣସି ଖବରକାଗଜରେ ବିଜ୍ଞାପନଟା ବାହାରିପଡ଼ିବ ।

ମହାଦେବ

-

(ଟିକିଏ ଚିନ୍ତାକରି, ତା’ପରେ ଆନନ୍ଦରେ ପ୍ରାୟ ଚିତ୍କାର କରି ) ହେଇଚି, ହେଇଚି, ପାଇଚି, ଯିବ କୁଆଡ଼େ ଏଥର ? ଛାଡ଼ିବି, ଛାଡ଼ିବି ବିଜ୍ଞାପନ, ଛାଡ଼ିବି, ‘ଛଳନାମୟୀ ମନୋରମାର ଛଳନା ପ୍ରତି ସାବଧାନ ! ଟ୍ରେଚେରୀ, ମାଇ ନେମ୍‌ ଇଜ୍‌ ଓମାନ; ବିଶ୍ଵାସ ନୈବ କର୍ତ୍ତବ୍ୟଂ ସ୍ତ୍ରୀଷୁ ରାଜକୁଳେଷୁ ଚ ।’ (କହି କହି ସବେଗେ ବାହାରିଗଲା)

 

 

(ଭିତର କବାଟ ଦେଇ ପ୍ରବେଶ କଲା ଇନ୍ଦୁ । ଜନ୍ମଦିନପାଇଁ ବେଶଭୁଷାରେ ସ୍ଵାତନ୍ତ୍ର୍ୟ ରହିଛି । ସରୋଜକୁ ଦେଖି ହସିଲା ।

ଇନ୍ଦୁ

-

ଏଯାଏଁ ଯାଇନାହାନ୍ତି ?

ସରୋଜ

-

କୁଆଡ଼େ ଆଉ ଯିବ ? ମୋ ଫେରିଲାବାଟକୁ ତ କେହି ଅନାଇଁ ବସି ନାହିଁ-କାହାପାଇଁ ଯିବି ।

ଇନ୍ଦୁ

-

ବାଃ, ତା’ବୋଲି ଆପଣ ନିଜ ଘରକୁ ଫେରିବେ ନାହିଁ ?

ସରୋଜ

-

ହଁ, ନିମନ୍ତ୍ରଣଟା ରକ୍ଷା ହୋଇଯାଇଚି ଯେତେବେଳେ, ଫେରିଯିବା ତ ଉଚିତ । କିନ୍ତୁ ନାଟକଟା ଯେ ଏଯାଏଁ ଶେଷ ହୋଇନାହିଁ ।

ଇନ୍ଦୁ

-

(ଆଗ୍ରହରେ) ନାଟକ ? କେଉଁ ନାଟକ ? ସରୋଜ ସେଇ ନାଟକ-ଯା’ର ଚରିତ୍ର ଅଜୟ, ଆପଣ ଆଉ ମୁଁ !

ଇନ୍ଦୁ

-

କିଛି କୁଆଡ଼ ନାହିଁ, ନାଟକଟାଏ ପୁଣି କେତେବେଳେ ଆରମ୍ଭ ହୋଇଗଲା ?

ଅଜୟ

-

ଆଇଡ଼ଲ୍‌ ବ୍ରେନ୍ ହେଲେ ଯାହା ହୁଏ-ଡେଭିଲ୍‌ସ୍‌ ୱାର୍କସପ୍‌

ସରୋଜ

-

(ହସି ଇନ୍ଦୁକୁ) ଶୁଣିଲେ ତ ? ସାର୍ଟିଫିକେଟ୍‌ଟା ସଙ୍ଗେ ସଙ୍ଗେ ମିଳିଗଲା ।

ଇନ୍ଦୁ

-

ନା, ନା, ମୋତେ ସେଇ ନାଟକ କଥା କହନ୍ତୁ ।

ସରୋଜ

-

କହିବି ? କହିବି କ’ଣ ? ମୁଁ ନିଜେ ତ ନାଟକ କରୁଚି ।

ଇନ୍ଦୁ

-

(ବିସ୍ମୟରେ) ନିଜେ ନାଟକ କରୁଚନ୍ତି ?

ସରୋଜ

-

ଖାଲି ମୁଁ ନିଜେ ନୁହଁ । ଅଜୟ, ଆପଣ, ଆଉ..... ଛାଡ଼ନ୍ତୁ, ଆପଣ ବରଂ ଭିତରକୁ ଯାଇ ବିଶ୍ରାମ ନିଅନ୍ତୁ । ମୋ’ପାଇଁ ମୋଟେ ବ୍ୟସ୍ତ ହେବେନାହିଁ ।

ଇନ୍ଦୁ

-

(ହଠାତ୍‌ ହାତତାଳି ଦେଇ) ନା, ନା, ମୁଁ ନାଟକ ଦେଖିବି ଦେଖାନ୍ତୁ’ନା !

ସରୋଜ

-

(ହସିଉଠି) ସେଇଟା କ’ଣ ମୋ ହାତ କଥା ? ମୁଁ କେବଳ ନାଟକର ଗୋଟାଏ ସାମାନ୍ୟ ଚରିତ୍ର ।

ଇନ୍ଦୁ

-

(ଉତ୍ସାହରେ) ଆପଣ ନାଟକର ଚରିତ୍ର ?

ଅଜୟ

-

(କୃତ୍ରିମ ଗାମ୍ଭୀର୍ଯ୍ୟରେ) ଅସତ ଚରିତ୍ର ।

ସରୋଜ

-

ହଁ, ଅଭିନୟ ଚାଲିଥିବା ପର୍ଯ୍ୟନ୍ତ । ତା’ପରେ, ଲାଇଟ୍‌ ଲିଭିଗଲେ, ଭିଡ଼ ଭାଙ୍ଗିଗଲେ, କିଏ ଯେ ସତ୍‌, କିଏ ଯେ ଅସତ୍‌ ବୁଝିବା ମୁସ୍କିଲ ।

ଅଜୟ

-

ବେଶ୍‌’ତ ବାବା, ଖିଆପିଆ କଲ, ଦି’ପ୍ୟାକେଟ୍‌ ଖଣ୍ଡେ ସିଗାରେଟ୍ ଫୁଙ୍କିଲ, ଏଥର ମଣିଷକୁ ଟିକିଏ ଶାନ୍ତି ଦିଅ ।

ସରୋଜ

-

ଧରିନିଆଯାଉ ଅଜୟ, ତୁ ନାଟକର ଗୋଟାଏ ସତ୍‌ ଚରିତ୍ର । କିନ୍ତୁ ସତ୍ ଚରିତ୍ର ହେଲୁବୋଲି ଯେ ତୋ ଇଚ୍ଛା ଅନୁସାରେ ନାଟକ ଶେଷ ହେଉଣୁ ପର୍ଦ୍ଦା ପକାଇଦେବୁ, ତା ମୁଁ ହେବାକୁ ଦେବି ନାହିଁ । ନାଟକର ଶେଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ିବ ।

ଇନ୍ଦୁ

-

(ଆନନ୍ଦରେ) ମୁଁ ତ ଅପେକ୍ଷା କରିଚି । ନାଟକ ଦେଖାନ୍ତୁ ।

ସରୋଜ

-

ପୁଣି ଆପଣ ଭୁଲ କରୁଚନ୍ତି, ମିସେସ୍‌ ମହାପାତ୍ର ! ନିଜେ ନାଟକର ଚରିତ୍ର ହୋଇ ଆପଣ ପୁଣି ନାଟକ ଦେଖିବେ କିମିତି ?

 

 

(ପ୍ରବେଶ କରିଚି ରାଜୁ । ହାତରେ ଗୋଟାଏ ଟ୍ରେ । ଟ୍ରେ’ରେ ଦୁଇ ଗ୍ଳାସ ସରବତ)

ରାଜୁ

-

(ଇନ୍ଦୁକୁ) ତୁମେ ଟିକିଏ ଅରେଞ୍ଜ ସ୍କ୍ୱାସ୍ ଖାଇବ ନାହିଁ, ନୂଆବୋଉ ?

ଇନ୍ଦୁ

-

(ଉତ୍ସାହରେ) ନା, ମୁଁ ନାଟକ ଦେଖୁଚି ।

ରାଜୁ

-

(ବିସ୍ମୟରେ) କ’ଣ ଦେଖୁଚି ?

ଇନ୍ଦୁ

-

ନାଟକ-ନାଟକ । ଏଇ ସରୋଜବାବୁ କହୁଚନ୍ତି, ଆମେ ସମସ୍ତେ ନାଟକ କରୁଚୁ ।

ରାଜୁ

-

(ମନକୁମନ) ଆମେ ସମସ୍ତେ ନାଟକ କରୁଚୁ ? (ସରୋଜକୁ) ମ୍ୟୁଜିକ୍ ଦରକାର ହେଲେ କହିବେ, ମୁଁ ମ୍ୟୁଜିକ୍ ଡାଇରେକ୍ଟର । (ତା’ପରେ ଅଜୟ ପାଖକୁ ଆସି) ସ୍ଵାମୀଜୀଙ୍କ ପାଖକୁ ଆଉଥରେ ଟେଲିଫୋନ କଲ୍ ନାହିଁ ଭାଇ, ଏତେବେଳଯାଏଁ ଆସିଲେ ନାହିଁ !

ଅଜୟ

-

କରିଥିଲି । ଘରେ ନାହାନ୍ତି ।

ସରୋଜ

-

ନାଟକର ପ୍ରଧାନ ଚରିତ୍ର ଏପର୍ଯ୍ୟନ୍ତ ଅନୁପସ୍ଥିତ । ନାଟକ ସରିବ କେମିତି ?

ଇନ୍ଦୁ

-

(କ’ଣ ଭାବି, ହଠାତ) ଆରେ ହଁ, ମନେପଡ଼ିଲା ବାବ୍‍ଲୁ କାହିଁ ? (ରାଜୁକୁ) ତମେ ଟିକିଏ ଯଦୁମଉସାଙ୍କ ଘରେ ଖବର ନିଅନ୍ତ ନାହିଁ, ବାବ୍‍ଲୁ ଗାଁରୁ ଫେରିଲାଣି ନା ନାହିଁ ।

ରାଜୁ

-

ବାବ୍‍ଲୁ ତ ଗାଁକୁ ଯାଇନାହିଁ । ସିଏତ .....

ଅଜୟ

-

(ରାଜୁକୁ ଅଟକାଇବାର ବ୍ୟର୍ଥ ଚେଷ୍ଟାକରି) ରାଜୁ !

ଇନ୍ଦୁ

-

(ସ୍ନିଗ୍‌ଧ ସ୍ଵରରେ) କ’ଣ ହେଇଚି ? ବାବ୍‍ଲୁ କେଉଁଠି ଅଛି ?

ଅଜୟ

-

ଆହା, ତମେ ମିଛରେ ସେଥିପାଇଁ କାହିଁକି ବ୍ୟସ୍ତ ହଉଚ ? ଗାଁକୁ ଯାଇଥିଲା-ଫେରିଲାଣି କି ନାହିଁ, ବୁଝିଲେ ଜଣାପଡ଼ିବ ।

ଇନ୍ଦୁ

-

ନା, ନା, ତମେସବୁ କ’ଣ ଲୁଚେଇବାକୁ ଚେଷ୍ଟା କରୁଚ ।

ଅଜୟ

-

ପାଗଳ, ଏଥିରେ ଲୁଚେଇବାର କ’ଣ ଅଛି ?

ଇନ୍ଦୁ

-

(ରାଜୁକୁ) ଯଦୁମଉସା କାହାନ୍ତି ? ତାଙ୍କୁ ଡାକିବାପାଇଁ ତୁମକୁ କହିଥିଲି’ନା ?

ରାଜୁ

-

(ଅପରାଧୀଙ୍କ ଭଳି) ହଁ, ଡାକିଥିଲି । ସେ ଆସିଲେ ନାହିଁ ।

ଇନ୍ଦୁ

-

ଆସିଲେ ନାହିଁ ? କାହିଁକି ଆସିଲେ ନାହିଁ ?

ଅଜୟ

-

ଓହୋ, ଏତେ କଥାରୁ କ’ଣ ମିଳିବ ଯଦୁବାବୁଙ୍କର ନିଶ୍ଚୟ କିଛି କାମ ପଡ଼ିଥିବ, ଆସିପାରିନାହାନ୍ତି ।

ସରୋଜ

-

ନାଟକର ଆଉ ଗୋଟାଏ ଚରିତ୍ରବି ତେବେ ଅନୁପସ୍ଥିତ । ଏ ନାଟକ ସରିବ କେମିତି ?

ଇନ୍ଦୁ

-

ନା, ନା, ନିଶ୍ଚେ କ’ଣ ଗୋଟାଏ ହେଇଚି । (ଅଜୟ ପାଖକୁ ଯାଇ) ମୋଟେ କହିବ ନାହିଁ ?

ଅଜୟ

-

ମୁଁ କିଛି ଜାଣି ନାହିଁ, ଇନ୍ଦୁ ! ଯଦୁବାବୁଙ୍କୁ ନିମନ୍ତ୍ରଣ କରାଯାଇଥିଲା, ସେ ଆସିନାହାନ୍ତି ।

ଇନ୍ଦୁ

-

କାହିଁକି ଆସିନାହାନ୍ତି ? କ’ଣ ତାଙ୍କର ହେଇଚି ? (ରାଜୁକୁ) ଏଇ ଦଶ ପନ୍ଦରଦିନ ହେଲା ବାବ୍‍ଲୁବି ଗାଁକୁ ଯାଇଚି ବୋଲି ତମେ ମୋତେ କହିଚ । ବାବ୍‍ଲୁ କ’ଣ ଆଜିପର୍ଯ୍ୟନ୍ତ ଗାଁରୁ ଫେରିନାହିଁ ?

ରାଜୁ

-

(ଇତସ୍ତତଃ ଭାବରେ) ଫେରିବାର ତ କଥା, ହେଲେ-

ଇନ୍ଦୁ

-

(ବିଶେଷ ସନ୍ଦିଗ୍‍ଧଭାବରେ) ହେଲେ ? ହେଲେ କ’ଣ ହେଇଚି ? କହୁନା କାହିଁକି ? (ରାଜୁ ନୀରବରେ ଅପରାଧୀଙ୍କ ଭଳି ମୁଣ୍ଡ ଆଉଁସିବାକୁ ଲାଗିଲା । ଅଜୟବି ଗମ୍ଭୀରଭାବରେ ଠିଆହୋଇ ରହିଲା)

ଇନ୍ଦୁ

-

(ଅଜୟକୁ) ଚୁପ୍‍ହେଇ ରହିଗଲା କାହିଁକି ? କୁହ, କୁଆଡ଼େ ଗଲେ ଯଦୁମଉସା ଆଉ ବାବ୍‍ଲୁ ? (ଅଜୟ କୌଣସି ଉତ୍ତର ନଦେବାର ଦେଖି ରାଜୁକୁ) ରଜୁ-ଭାଇ –ସୁନାଭାଇଟା ପରା ! କ’ଣ ହେଇଚି ? (ରାଜୁ) ଅସହାୟଭାବରେ ଅଜୟଆଡ଼କୁ ଅନାଇଲା) କେହି କିଛି କହିବ ନାହିଁ ? ତେବେ ନିଶ୍ଚେ କିଛି ଗୋଟାଏ ହେଇଚି । ତମେମାନେ ମୋତେ ଲୁଚାଉଚ । (ସରୋଜ ପାଖକୁ ଆସି) ସରୋଜବାବୁ, ଆପଣ ଠିକ୍ କହିଚନ୍ତି, ଏଠି ଗୋଟାଏ ନାଟକ ଚାଲିଚି ।

ରାଜୁ

-

ଡ୍ୟାମିଟ୍‌, ଭାଇ ଏସବୁ ମୋତେ କିଛି ଭଲ ଲାଗୁନାହିଁ । ମୁଁ ନୂଆବୋଉଙ୍କୁ କହିଦେଉଚି ।

ଅଜୟ

-

ତୁ ଚୁପ୍‌କର, ରାଜୁ !

ରାଜୁ

-

ଯଦୁମଉସା ଘରେ ଅଛନ୍ତି, ବାବ୍‍ଲୁ ପାଖରେ । ବାବ୍‌ଲୁକୁ ବହୁତଦିନ ହେଲା ଜର ।

ଇନ୍ଦୁ

-

(ସ୍ତମ୍ଭିତ ହୋଇ, ତା’ପରେ ପ୍ରକୃତିସ୍ଥ ହେଲା) ବାବ୍‍ଲୁକୁ ଜର ? ତମେ କେହି ମୋତେ କିଛି କହିନା ? ଯଦୁମଉସା କିଛି କହିନାହାନ୍ତି ? ବାବ୍‍ଲୁକୁ ଜର, ତମେ ସବୁ ମୋତେ କହିଚ ଯେ ଗାଁକୁ ଯାଇଚି ବୋଲି ! (ଅସହ୍ୟଭାବରେ, ଅଜୟକୁ ଇଙ୍ଗିତ କରି) ତମେ ମୋତେ ମିଛ କହିଲ ?

ଅଜୟ

-

(ହସିବାକୁ ଚେଷ୍ଟାକରି) ଆଜିଭଳିଆ ଦିନରେ ଫେର୍ ତମର ପାଗଳାମି ବାହାରିଲା ?

ଇନ୍ଦୁ

-

ହଁ, ମୁଁ ପାଗଳ । ହେଲା

ସରୋଜା

-

(ଉଠିଆସି ଉନ୍ଦୁକୁ ସାନ୍ତ୍ଵନା ଦେବାର ଚେଷ୍ଟାକରି) ଆପଣ ଓଭର ଆକଟିଂ କରୁଚନ୍ତି, ମିସେସ୍‌ ମହାପାତ୍ର ! ଆପଣ ପାଗଳ ନୁହନ୍ତି, ଅଜୟ’ବି ନୁହେଁ । ମୋଟ ଉପରେ ଆମେ ସମସ୍ତେ ନାଟକର ଗୋଟାଏ ଗୋଟାଏ ଚରିତ୍ର । ହସିବାକୁ ପଡ଼ିଲେ ହସୁଚୁ, କାନ୍ଦିବାକୁ ପଡ଼ିଲେ କାନ୍ଦିବୁ ।

ଇନ୍ଦୁ

-

(ରାଜୁକୁ) ରାଜୁଭାଇ, ଅନେଇଚ କ’ଣ ? ମୁଁ ଯିବି, ମୁଁ ଯିବି, ମୁଁ ବାବ୍‍ଲୁକୁ ଦେଖିଆସିବି ।

 

 

(କହି କହି ଘରଭିତରକୁ ଗଲା । ଅନୁସରଣ କଲା ରାଜୁ)

ସରୋଜ

-

ନା, ଶ୍ରୀ ନିରାକାରଙ୍କରବି ଦେଖାନାହିଁ । ସେ ଆସିଲେ ଅନ୍ତତଃ କ୍ଲାଇମାକ୍‌ସଟା ଟିକିଏ ଭଲଭାବରେ ଜମିଯାନ୍ତା ।

ଅଜୟ

-

(ବିସ୍ମୟ ବୋଧକରି) ଶ୍ରୀ ନିରାକାର ? ମାନେ, ଉପେନ୍ଦ୍ରବାବୁ?

ସରୋଜ

-

ହଁ, ବିରାଟ ନ୍ୟାସନାଲ ଏଜେନସିର ମ୍ୟାନେଜିଂ ଡାଇରେକ୍ଟର, ଶ୍ରୀ ଉପେନ୍ଦ୍ର ସାହୁ । ଆଚ୍ଛା, ତାଙ୍କର ପହଞ୍ଚିବାରେ କାହିଁକି ଏତେ ଡେରି ହେଉଚି, କହିପାରିବୁ ?

ଅଜୟ

-

ଆଲ୍ଲାଦ୍ଦିନର ମ୍ୟାଜିକ ଲ୍ୟାମ୍ପ୍‍ଟା ଥିଲେ ସଙ୍ଗେ ସଙ୍ଗେ କହିଦେଇ ପାରିଥାନ୍ତି ।

ସରୋଜ

-

ମୁଁ ଟିକିଏ ଚେଷ୍ଟାକରିବି ? (କୃତ୍ରିମ ଚିନ୍ତାର ଅଭିନୟ କରି) ହୁଁ, ଦେଖିପାରୁଚି, ତାଙ୍କର ଆମ୍ବାସାଡ଼ର କାର୍‍ଟା ମାର୍କେଟବିଲଡ଼ିଂ ସାମନାରେ ଠିଆହୋଇଚି । ଉପେନ୍ଦ୍ରବାବୁ ବ୍ୟସ୍ତଭାବରେ ଗୋଟାଏ ଦୋକାନରୁ ଆଉ ଗୋଟାଏ ଦୋକାନ ଘୂରି ବୁଲୁଚନ୍ତି । ମନମୁତାବକ ପ୍ରେଜେଷ୍ଟେସନ୍ ଗୋଟାଏ ଦରକାର । ଏମିତି ଗୋଟାଏ ବାର୍ଥଡ଼େ ପ୍ରେଜେଣ୍ଟେସନ, ଯେଉଁଟା ‘ଦୈନିକ ଜନତାର ପ୍ରତିନିଧି ଅଜୟ ମହାପାତ୍ର କଳ୍ପନା’ବି କରିପାରିବ ନାହଁ ।

ଅଜୟ

-

ସରୋଜା, ଥଟ୍ଟା କରିବାର ଗୋଟାଏ ସୀମା ଅଛି ।

ସରୋଜା

-

ଅଛି, ମୁଁ ଜାଣେ । କିନ୍ତୁ ଦୁର୍ଭିକ୍ଷ ଅଞ୍ଚଳରେ ପାଣି ପମ୍ପ୍ ଯୋଗାଇ ଦେବାପାଇଁ ଶ୍ରୀ ନିରାକାରଙ୍କର ଯେଉଁ ଲେଖାଟା ତମ ‘ଦୈନିକ ଜନତା’ରେ କିଛିଦିନ ତଳେ ବାହାରିଲା, ମନେଅଛି ? ଅନ୍ୟ କୌଣସି କାଗଜରେ ଲେଖାଟା ବାହାର କରିନପାରି ଶେଷରେ ‘ଶ୍ରୀ ନିରାକାର’ ଛଦ୍ମନାମ ନେଇ ତମରି ସାହାଯ୍ୟରେ କୌଣସିମତେ ଲେଖାଟା ‘ଦୈନିକ ଜନତା’ରେ ବାହାର କରିପାରିଲେ, ମନେଅଛି ?

ଅଜୟ

-

ହଁ, ଲେଖାଟା ଆମ କାଗଜରେ ବାହାରିଥିଲା ।

ସରୋଜ

-

‘ଜନତା ଜାଗିଉଠ’ – ଲେଖକ ଶ୍ରୀ ନିରାକାର । ଦୁର୍ଭିକ୍ଷ ଅଞ୍ଚଳର କ୍ଷୁଧିତ ଜନତାଙ୍କୁ ବଞ୍ଚାଇବାକୁ ପଡ଼ିବ ଓ କୃତ୍ରିମ ଜଳସେଚନର ବ୍ୟବସ୍ଥା କରାଯିବ । ମୁହୂର୍ତ୍ତେ ବିଳମ୍ବନକରି ଦୁର୍ଭିକ୍ଷ ଅଞ୍ଚଳକୁ ଅପର୍ଯ୍ୟାପ୍ତ ସଂଖ୍ୟାରେ ପାଣିପମ୍ପ ଯୋଗାଇ ଦିଆଯାଉ । ମନେଅଛି ?

ଅଜୟ

-

(ସନ୍ଦିଗ୍‍ଧ ସ୍ଵରରେ) ହଁ ।

ସରୋଜା

-

ଇଣ୍ଟରେଷ୍ଟିଙ୍ଗ୍‌ ଲେଖାଟା ପଢ଼ି ଇଡ଼ିୟଟଙ୍କ ପରି ମୁଁ ହସିଥିଲି, ମନେଅଛି ? ମନେଅଛି, ତୁ ମୋତେ କହିଥିଲୁ, ଯେଉଁଠି ଦୁର୍ନୀତି ଅଛି, ଯେଉଁଠି ଅନ୍ୟାୟ ଅଛି, ଯେଉଁଠି ଅବିଚାର ଅଛି, ‘ଦୈନିକ ଜନତା’ ତା’ର ମୁଖା ନିଶ୍ଚୟ ଖୋଲିଦେବ ? (ଅଜୟ କିଛି ବୁଝିନପାରି ଅନାଇଥିବାର ଦେଖି) ମୁଖା ଖୋଲିଯାଇଚି, ଅଜୟ ! ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ଦୁର୍ଭିକ୍ଷ ଅଞ୍ଚଳକୁ ହଜାର ହଜାର ପାଣିପମ୍ପ ପଠାଇଚନ୍ତି-ଜମିରେ ପାଣି ମାଡ଼ିବ, ଫସଲ ହେବ, ଲୋକେ ବଞ୍ଚିବେ । ବୋକା ଲୋକଗୁଡ଼ାକ ! ପାଣିପମ୍ପ ପାଇଲେ, ହେଲେ ପାଣି ପାଇଲେ ନାହିଁ । ତିନିକୋଟି ଟଙ୍କାର ନୂଆ ପାଣିପମ୍ପ, ସବୁ ପୁରୁଣା, ଅକାମୀ, ଅଚଳ ।

ଅଜୟ

-

ତୁ କ’ଣ କହୁଚୁ ସରୋଜ ?

ସରୋଜ

-

ଆଜିକାର ଏତେ ବଡ଼ ଖବର ତୋ ନଜରରେ ପଡ଼ିନାହିଁ ? କାଲି ସକାଳୁ ସବୁ ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ବାହାରିଯିବ-ଦୁର୍ଭିକ୍ଷ କମିଟିର ମିଟିଙ୍ଗରେ ଏଇ ଘଟଣାକୁ ନେଇ ଗୋଟାଏ ଝଡ଼ ବୋହିଯାଇଚି ।

ଅଜୟ

-

ୟା କ’ଣ କେବେ ହୋଇପାରେ ? ଏତେବଡ଼ ଦୁର୍ନୀତି ସମ୍ଭବ ହେଲା କେମିତି-? କିଏ ଏଥିପାଇଁ ଦାୟୀ ?

ସରୋଜ

-

କ’ଣ ଲାଭ ସେଥିରେ ମୁଣ୍ଡ ଖେଳାଇ ? ସେ’ବି ସେଇ ଛଳନାମୟୀ ମନୋରମାର ଛଳନା । (ତା’ପରେ ଚିନ୍ତାମଗ୍ନ ଭାବରେ) ଆମ୍ବାସାଡ଼ର ଗାଡ଼ିଟା ଯେଉଁଠି ସେଇଠି, ଉପେନ୍ଦ୍ରବାବୁ ବିଚରା ଏ ଦୋକାନରୁ ସେ ଦୋକାନ ହୋଇ ହୋଇ ବ୍ୟତିବ୍ୟସ୍ତ ହୋଇପଡ଼ିଚନ୍ତି ।

ଅଜୟ

-

ସରୋଜ, କାଲି ଆମ କାଗଜରେ ବାହାରିବ । ହାତରେ ମୋର ଯଥେଷ୍ଟ ସମୟ ଅଛି । ଏ କଥା ଯଦି ସତ ହୋଇଥାଏ, ‘ଦୈନିକ ଜନତା’ ଛାଡ଼ିବ ନାହିଁ-। ମୁଁ ନିଜେ ତା’ର ଅନୁସନ୍ଧାନ କରିବି । ମୁଁ ଖାଲି ଜାଣିବାକୁ ଚାହୁଁଚି, ଏ ଚକ୍ରାନ୍ତ କାହାର, ଦାୟୀ କିଏ ?

ସରୋଜ

-

ଦାୟୀ ଦୁର୍ଭିକ୍ଷ ଅଞ୍ଚଳରେ ଯୋଉ ଲୋକମାନେ ଭୋକ ଉପାସରେ ମରୁଚନ୍ତି, ସେଇମାନେ ।

ଅଜୟ

-

ନା, ନା, ଏତେବଡ଼ ଗୋଟାଏ କଥାକୁ ଏମିତି ଥଟ୍ଟା ପରିହାସରେ ଉଡ଼ାଇଦେଲେ ଚଳିବ ନାହିଁ । ଇଏ ହେଉଚି ଲୋକଙ୍କ ଜୀବନ ମରଣର ପ୍ରଶ୍ନ-

ସରୋଜା

-

ସେକଥା ଲୋକେ ବୁଝନ୍ତୁ; ତୋ ମୁଣ୍ଡ କାହିଁକି ଏତେ ବଥାଉଚି ?

ଅଜୟ

-

(ବିରକ୍ତ ହୋଇଉଠି) ମୋ ମୁଣ୍ଡ କାହିଁକି ବଥାଉଚି, ହ୍ଵାଟ୍‌ ଡୁ ୟୁ ମିନ୍‌ ? ମୁଁ ‘ଦୈନିକ ଜନତା’ର ପ୍ରତିନିଧି ! ଦୁର୍ନୀତି, ଅନ୍ୟାୟ, ଅବିଚାର ବିରୁଦ୍ଧରେ ଆମ କାଗଜ ଯୁଦ୍ଧ କରୁଚି ! ଅଥଚ ଏତେବଡ଼ ଗୋଟାଏ ଦୁର୍ନୀତି ଆଖି ଆଗରେ ଦେଖି ମୁଁ ଚୁପ୍‌ ରହିଯିବି ? ଇମ୍‌ପସିବ୍ଲୁ !

ସରୋଜ

-

(ହାତ ତାଳି ଦେଇ) ହିଅର, ହିଅର ! ଅଜୟ ମହାପାତ୍ର ଜିନ୍ଦାବାଦ୍‌ ! ମୁଁ ତୋତେ ଅଭିନନ୍ଦନ ଜଣାଉଚି ଅଜୟ, ଇୟୁ ଆର୍‌ ରିୟଲି ଗ୍ରେଟ୍‌ ।

ଅଜୟ

-

(ଚିନ୍ତାକରି ସନ୍ଦିଗ୍‌ଧ ସ୍ଵରରେ) କିନ୍ତୁ ଏସବୁ ସାଙ୍ଗରେ ଉପେନ୍ଦ୍ରବାବୁଙ୍କ ଲେଖାଟାର କ’ଣ ସମ୍ପର୍କ ଥାଇପାରେ ?

ସରୋଜ

-

ଶ୍ରୀ ନିରାକାରଙ୍କର ‘ଜନତା ଜାଗିଉଠ’ ? ଯେଉଁଟା ତମ ‘ଦୈନିକ ଜନତା’ରେ ବାହାରିଥିଲା ? ଯେଉଁ ଲେଖାକୁ ସମର୍ଥନ କରି ତମ କାଗଜରେ ସମ୍ପାଦକୀୟ ଲେଖାଯାଇଥିଲା ? ପ୍ଳିଜ୍‌, ଅଜୟ, ଆଜି ତୋ ସ୍ତ୍ରୀର ଜନ୍ମଦିନ । ଏସବୁ ବାଜେକଥା ନେଇ ମୁଣ୍ଡ ଗରମ କରି କିଛି ଲାଭ ନାହିଁ ।

ଅଜୟ

-

(ଦୃଢ଼ ସ୍ଵରରେ) ସରୋଜ, ମୁଁ ଛୋଟ ପିଲା ନୁହେଁ । ତୋତେ କହିବାକୁ ପଡ଼ିବ-

ସରୋଜା

-

ଷ୍ଟେଡ଼ି, ଅଜୟ, ଷ୍ଟେଡ଼ି ! ଶ୍ରୀ ନିରାକାର ନିଜେ ଆସୁଚନ୍ତି । ତାଙ୍କର ପହଞ୍ଚିବାରେ ଆଉ ବୋଧହୁଏ ବେଶି ଡେରି ହେବନାହିଁ ।

ଅଜୟ

-

ଶ୍ରୀ ନିରାକାର ! ନା, ମୁଁ କିଛି ବୁଝିପାରୁ ନାହିଁ । ଶ୍ରୀ ନିରାକାର ସାଙ୍ଗରେ ଏସବୁ କଥାର ସମ୍ପର୍କ କ’ଣ ?

ସରୋଜ

-

ପାଣି ପମ୍ପ୍ କିଣାଗଲେ ବିପଦ, କିଣାନଗଲେ’ବି ବିପଦ । ଲୋକେ ବଞ୍ଚିଲେ ବିପଦ, ମରିଲେ’ବି ବିପଦ । ଏଥିରେ’ବି ଦୁର୍ନୀତି, ସେଥିରେ’ବି ଦୁର୍ନୀତି ।

ଅଜୟ

-

କ’ଣ କହିବାକୁ ଚାହୁଁଚୁ, ସରୋଜ ?

ସରୋଜ

-

ଦୁର୍ଭିକ୍ଷ ଅଞ୍ଚଳପାଇଁ ହଜାର ହଜାର ସଂଖ୍ୟାରେ ପାଣିପମ୍ପ ଦରକାର । ସାତଦିନ ଭିତରେ ପାଣିପମ୍ପ ନ ପଠାଇଲେ ଅବସ୍ଥା ଅସମ୍ଭାଳ ହୋଇଯିବ । ଟେଣ୍ଡର କୋଟେସନ୍‌ ମାଗି ପମ୍ପ୍ କିଣିବାର ବେଳ ନାହିଁ । କିଏ ଦେଇପାରିବ ସାତଦିନ ଭିତରେ ଏତେଗୁଡ଼ାଏ ପାଣିପମ୍ପ ? କେହି ଦେଇପାରିବ ନାହିଁ, କେବଳ ଜଣକୁ ଛାଡ଼ି-କେବଳ ତାଙ୍କରି ପାଖରେ ଅଛି ପାଣିପମ୍ପ । ସାତଦିନ ଭିତରେ କେବଳ ସେଇ ଯୋଗାଇ ଦେଇପାରିବେ ଏତେଗୁଡ଼ାଏ ପାଣିପମ୍ପ

ଅଜୟ

-

କିଏ, କିଏ ? କାହା କଥା ତୁ କହୁଚୁ ?

ସରୋଜ

-

ସରକାର ରକ୍ଷା ପାଇଗଲେ –ପାଣିପମ୍ପ ମିଳିଗଲା । ଗୋଦାମଘରୁ ଟ୍ରକ୍‌ରେ ବୋଝାଇହୋଇ ସିଧା ଚାଲିଲା ଦୁର୍ଭିକ୍ଷ ଅଞ୍ଚଳକୁ । ଆଉ ମୁହୂର୍ତ୍ତେବି ଡେରି ନୁହେଁ । ଜମିରେ ପାଣି ମାଡ଼ିବ, ଫସଲ ହେବ, ଲୋକେ ବଞ୍ଚିବେ । ଗୋଟାକ ପରେ ଗୋଟାଏ ସବୁତକ ପୁରୁଣା ବଞ୍ଚିବେ ରଦ୍ଦି ପାଣିପମ୍ପ ଗୋଦାମରୁ ଖଲାସ ହୋଇଗଲା । ତା’ ସଙ୍ଗେ ସଙ୍ଗେ ମିଳିଗଲା ତିନିକୋଟି ଟଙ୍କାର ବ୍ୟାଙ୍କ ଡ୍ରାଫ୍‌ଟ୍‌ ।

ଅଜୟ

-

ମୁଁ ପଚାରୁଚି, ତୁ କା’କଥା କହୁଚୁ ?

ସରୋଜ

-

ଲଙ୍ଗ୍‌ ଲିଭ୍‌ ଶ୍ରୀ ନିରାକାର ! ଥ୍ରୀ ଚିୟର୍ସ ଫର୍ ଶ୍ରୀ ନିରାକାର ! ହିପ୍‌ ହିପ୍‌ ହୁର୍‌ରେ –

ଅଜୟ

-

(ସ୍ତମ୍ଭିତ ହୋଇ) ନା, ନା, ଇଟସ୍ ଇମ୍ପସିବ୍ଲ, ଇମ୍ପସିବ୍ଲ ! ୟା’ କେବେ ହୋଇପାରେନା-

ସରୋଜ

-

ରିୟଲି, ଶ୍ରୀ ନିରାକାର ପୁଣି ଦୁର୍ନୀତି କରିବେ କେମିତି ? ଦୁର୍ନୀତି କରିବେ ତମର ଯଦୁବାବୁ, କିରାଣୀ ଯଦୁ ଚୌଧୁରୀ । ଅଜୟ, ତୁ କ’ଣ ଅନ୍ଧ ? ତୁ କ’ଣ କିଛି ଦେଖିପାରୁନାହୁଁ, କିଛି ବୁଝିପାରୁନାହୁଁ ? ମୁଁ ପଚାରୁଚି, କାହାପାଇଁ ତମର ‘ଦୈନିକ ଜନତା’ ?

ଅଜୟ

-

ମୁଁ ତ କିଛି ଅପରାଧ କରିନାହିଁ ! ଜାଣିଶୁଣି ମୁଁ ତ ଦୁର୍ନୀତିକୁ ପ୍ରଶ୍ରୟ ଦେଇନାହିଁ-। ମୁଁ ତ ସ୍ଵାମୀଜୀଙ୍କ ଆଦର୍ଶରେ ...........

ସରୋଜା

-

ସ୍ଵାମୀଜୀଙ୍କ ଆଦର୍ଶ ? (ହସିଉଠିଲା) ତୁ ଆଉ ସ୍ଵାମୀଜୀଙ୍କ ଆଦର୍ଶ ? ତୁ ଚାକିରି କରିଚୁ, ଅଜୟ, ଖବରକାଗଜରେ ଚାକିରି ନିଜେ ବଞ୍ଚିବାପାଇଁ, ନିଜର ପରିବାରକୁ ବଞ୍ଚାଇବାପାଇଁ ତୁ ଚାକିରି କରିଚୁ ।

ଅଜୟ

-

ଅଛି, ମୋର ଆଦର୍ଶ ଅଛି । ମୁଁ ମରିଗଲେ’ବି ଦୁର୍ନୀତିକୁ ପ୍ରଶ୍ରୟ ଦେବି ନାହିଁ ।

ସରୋଜ

-

ଶ୍ରୀ ନିରାକାରଙ୍କ ‘ଜନତା ଜାଗିଉଠ’ କ’ଣ ତେବେ ବିଫଳ ହୋଇଯିବ ?

ଅଜୟ

-

(ଅସହ୍ୟ କ୍ରୋଧରେ) ମୁଁ-ମୁଁ ତାକୁ, ମୁଁ ତାକୁ ଛାଡ଼ିବି ନାହିଁ । ମୁଁ ତା’ର ମୁଖା ଖୋଲିଦେବି । ମୋତେ ଚିହ୍ନିନାହିଁ !

ସରୋଜ

-

ସେମାନେ ତୋତେ ଠିକ୍ ଚିହ୍ନିଚନ୍ତି, ଅଜୟ ! ତୁଇ ସେମାନଙ୍କୁ ଚିହ୍ନି ପାରିନାହୁଁ । ଚିହ୍ନିପାରିଥିଲେ କେଉଁଟା ନୀତି ଆଉ କେଉଁଟା ଦୁର୍ନୀତି; ବୁଝିବାରେ ତୋ’ର ଅସୁବିଧା ହୋଇନଥାନ୍ତା । ସବୁ ନୀତି, ନୀତି ନୁହେଁ, ଅଜୟ, ସବୁ ଦୁର୍ନୀତି, ଦୁର୍ନୀତି ନୁହେଁ । ନୀତି ଅନୀତି ବାହାରେ ଆଉ ଗୋଟାଏ ଦୁନିଆ ଅଛି, ଯେଉଁଠି ଦୁଃଖକଷ୍ଟ ଅଭାବ ଅନାଟନ ଭିତରେ ମଣିଷ କାନ୍ଦୁଚି, ମଣିଷ –ନିର୍ଜଳା ମଣିଷ, ସେଇମାନେ ହେଲେ ଆମର ଜନତା, ସେଇମାନଙ୍କୁ ନେଇ ତମର ‘ଦୈନିକ ଜନତା’

 

 

(ପ୍ରବେଶ କାଲେ ଉପେନ୍ଦ୍ର ସାହୁ । ହାତରେ ଗୋଟିଏ କାଗଜରେ ସୁଦୃଶ୍ୟ ପ୍ୟାକେଟ୍, ସମ୍ଭବତଃ ଜନ୍ମଦିନର ଉପହାର । ସହାସ୍ୟ ମୁଖରେ ଆଗେଇଆସିଲେ ଅଜୟଆଡ଼କୁ)

ଉପେନ୍ଦ୍ର

-

ନମସ୍କାର, ଆଜ୍ଞା କି ଦୁର୍ଯୋଗ, କହିଲେ, ସନ୍ଧ୍ୟାବେଳୁ ବାହାରିଚି ଏଠିକି ଆସିବି ବୋଲି, ହୋଇପାରିଲା ନାହିଁ । ମିସେସ୍ ମାହାପାତ୍ରଙ୍କ ଜନ୍ମଦିନ ଯେତେବେଳେ, ଖାଲିହାତରେ ତ ଆସିହେବ ନାହିଁ ! ସେଇଥିଲାଗି- (ଅଜୟ ଓ ସରୋଜଙ୍କ ଭବାନ୍ତର ଲକ୍ଷ୍ୟ କରିବି ସ୍ମିତହୋଇ) କ’ଣ ହେଇଚି, କହିଲେ ? ଆପଣମାନେ ଏମିତି.........

(ଅଜୟକୁ) କ’ଣ ହେଇଚି, ଆଜ୍ଞା ? (ଅଜୟକୁ ରୁକ୍ଷଭାବରେ ମୁହଁ ଫେରାଇ ନେବାର ଦେଖି, ସରୋଜ ପାଖକୁଯାଇ) କ’ଣ ହେଇଚି, କହିଲେ, ସରୋଜବାବୁ ?

ସରୋଜା

-

(ଉପେନ୍ଦ୍ର ଧରିଥିବା ପ୍ୟାକେଟକୁ ଲକ୍ଷ୍ୟକରି) ଆପଣଙ୍କ ହାତରେ ସେଇଟା କ’ଣ, ଉପେନ୍ଦ୍ରବାବୁ ?

ଉପେନ୍ଦ୍ର

-

ସିଏ କିଛି ନୁହେଁ, ମିସେସ୍‌ ମହାପାତ୍ରଙ୍କ ଜନ୍ମଦିନପାଇଁ ସାମାନ୍ୟ ଗୋଟାଏ-ଇଏ-ଉପହାର ।

ସରୋଜ

-

ଖୁବ୍ ଦାମିକା ଜିନିଷ ନିଶ୍ଚୟ ?

ଉପେନ୍ଦ୍ର

-

ନା ନା, ସେମିତି ଦାମିକା କିଛି ନୁହେଁ, ଏଇ ତିନିଶ’ ଚାରିଶ’ ଟଙ୍କା ଭିତରେ ଗୋଟାଏ ହାର । ଆଉ ତ କିଛି ମିଳିଲା ନାହିଁ । ସେଇଥିଲାଗି ଭାବିଲି- (ତା’ପରେ ଅଜୟଆଡ଼କୁ ଆଗେଇଯାଇ) ମିସେସ୍‌ ମହାପାତ୍ର କ’ଣ ଭିତରେ ଅଛନ୍ତି ?

 

 

(ଅଜୟ ବୁଲି ତୀବ୍ର ଦୃଷ୍ଟିରେ ଉପେନ୍ଦ୍ରଆଡ଼କୁ ଅନାଇଲା । ଉପେନ୍ଦ୍ର କିଛି ବୁଝିନପାରି ଗୋଟାଏ ମୁହୂର୍ତ୍ତ ନିର୍ବାକ ହୋଇ ଠିଆହୋଇ ରହିଲା)

ଉପେନ୍ଦ୍ର

-

କ’ଣ ହେଇଚି, ଆଜ୍ଞା ?

ଅଜୟ

-

(ଉତ୍ତେଜନାକୁ ଚାପି ରଖିବାର ଚେଷ୍ଟାକରି) ଆପଣ ଚାରିଶ’ ଟଙ୍କାର ହାରଧରି ଏଠିକି ଆସଚିନ୍ତି’ନା ?

ଉପେନ୍ଦ୍ର

-

ହଁ, ମାନେ, ତା’ଠୁଁ ବେଶି ଦାମ୍‍ର ଜିନିଷ ତ ଭୁବନେଶ୍ଵରରେ...

ଅଜୟ

-

ମିଳିବ ନାହିଁ, ମୁଁ ଜାଣିଚି । ମିଳିଥିରେ ନିଶ୍ଚେ ଦେଇଥାନ୍ତେ ?

ଉପେନ୍ଦ୍ର

-

ଦେବା’ତ ଉଚିତ । ତେବେ ....

ଅଜୟ

-

ମିଳିଥିଲେ ଆହୁରି ବେଶି ଦାମିକା ଜିନିଷ ଦେଇଥାନ୍ତେ, ନା ? (ଉପେନ୍ଦ୍ର ବିସ୍ମୟରେ ହୃତବାକ୍ ହୋଇ ଅନାଇଥିବାର ଦେଖି) କେତେ ଟଙ୍କାର ଜିନିଷ ଆପଣ ଦେଇପାରିଥାନ୍ତେ, ଉପେନ୍ଦ୍ରବାବୁ ? ହଜାରେ ଦି’ହଜାର ?

ଉପେନ୍ଦ୍ର

-

(ଇତସ୍ତତଃ ଭାବରେ) ହଁ, ସେଥିରେ କ’ଣ ଅଛି ? ହଜାରେ ଦି’ହଜାର ଟଙ୍କା କ’ଣ ବଡ଼ ହୋଇଗଲା ?

ଅଜୟ

-

ପାଞ୍ଚ ହଜାର, ଦଶ ହଜାର ? ଲକ୍ଷେ, ଦି’ଲକ୍ଷ କି କୋଟିଏ, ଦି’କୋଟି, ତିନି କୋଟି ?

ଉପେନ୍ଦ୍ର

-

(ବିଶେଷଭାବରେ ଶଙ୍କିତ ହୋଇ) ଦି’ ତିନି କୋଟି ? ମାନେ, ଇଏ-(ଇତସ୍ତତଃ ଭାବରେ ପକେଟରୁ ରୁମାଲ କାଢ଼ି ମୁହଁ ପୋଛିବାକୁ ଲାଗିଲା)

ସରୋଜ

-

(ଉପେନ୍ଦ୍ର ପାଖକୁ ଆସି, ଉପେନ୍ଦ୍ର କାନ୍ଧରେ ହାତଦେଇ) ଫେର୍ ‘ଇଏ’ ? ଆପଣ ଚାହିଁଲେ ତିନି କୋଟି ଟଙ୍କାର ଗୋଟାଏ ପ୍ରେଜେଣ୍ଟେସନ୍ ଦେଇପାରିବେ ନାହିଁ ? କ’ଣ କହୁଚନ୍ତି, ଉପେନ୍ଦ୍ରବାବୁ ?

ଉପେନ୍ଦ୍ର

-

(ସରୋଜକୁ) ଆପଣଙ୍କ ଥଟ୍ଟା ମୁଁ ବୁଝିପାରୁନାହିଁ, ସରୋଜବାବୁ !

ଅଜୟ

-

ଥଟ୍ଟା ଆପଣ କରିଚନ୍ତି, ଉପେନ୍ଦ୍ରବାବୁ ! ଖାଲି ମୋତେ ନୁହେଁ, ଖାଲି ‘ଦୈନିକ ଜନତା’କୁ ନୁହେଁ, ସାରା ଓଡ଼ିଶାର ଦରିଦ୍ର ଜନତାକୁ ଆପଣ ଥଟ୍ଟା କରିଚନ୍ତି । ଆପଣ ଭାବିଚନ୍ତି, ଏଇ ଚାରିଶ ଟଙ୍କାର ହାରରେ ମୋତେ ସନ୍ତୁଷ୍ଟ କରି ନିଜର ପାପକୁ ଆପଣ ଢାଙ୍କିଦେଇପାରିବେ ? ତା’ମୁଁ ହେବାକୁ ଦେବିନାହିଁ ।

ଉପେନ୍ଦ୍ର

-

(ଉଠି ଠିଆହୋଇ) କ’ଣ କହିବାକୁ ଚାହାନ୍ତି ଆପଣ ?

ଅଜୟ

-

ଦୁର୍ଭିକ୍ଷ ଅଞ୍ଚଳର ଲୋକଙ୍କପାଇଁ ଆପଣଙ୍କ ଦରଦ ଏତିକିରେ ସରିଗଲା । ମାତ୍ର ତିନିକୋଟି ଟଙ୍କାର ପାଣି ପମ୍ପରେ ? ‘ଦୈନିକ ଜନତା’ରେ ଛାପାଇବାପାଇଁ ଆଉ କିଛି ସଜେସନ୍ ନାହିଁ ?

ଉପେନ୍ଦ୍ର

-

ମୋତେ ନିମନ୍ତ୍ରଣ କରି ଏମିତିଭାବରେ ଅପମାନ ଦେବାଟା....

ଅଜୟ

-

(ଅସହ୍ୟ କ୍ରୋଧରେ କ’ଣ କହିବାକୁ ଯାଇ, ନ କହିପାରି) ଯା’ନ୍ତୁ, ବାହାରିଯାନ୍ତୁ ମୋ ଘରୁ, ବାହାରିଯାନ୍ତୁ । କ’ଣ ଭାବିଚନ୍ତି ମୋତେ ? ଆପଣଙ୍କ ‘ନ୍ୟାସନାଲ’ ଏଜେନ୍‌ସି’ର ଦଲାଲ ? କମିଶନ୍ ଦେବାକୁ ଆସିଚନ୍ତି ମୋତେ ?

ଉପେନ୍ଦ୍ର

-

କମିଶନ ନୁହେଁ, ଉପହାର । ମିସେସ୍‌ ମହାପାତ୍ରଙ୍କ ଜନ୍ମଦିନପାଇଁ ଉପହାର ।

ଅଜୟ

-

ଏତେ ସାହସ ଆପଣଙ୍କର, ଉପହାର ଦେବେ ? ଆଉ ମୁଁ ସବୁ ଜାଣିଶୁଣି ଆପଣଙ୍କ ଉପହାର ଗ୍ରହଣ କରିନେବି ?

ଉପେନ୍ଦ୍ର

-

କ’ଣ ଜାଣିଚନ୍ତି ଆପଣ ?

ଅଜୟ

-

ଉପେନ୍ଦ୍ର ବାବୁ, ଆପଣଙ୍କୁ ମଣିଷ ବୋଲି ଭାବିଥିଲି । ବେପାରୀ ବୋଲି ମୁଁ ଆପଣଙ୍କୁ ଘୃଣା କରିନଥିଲି । ଭୋକିଲା ଲୋକଙ୍କପାଇଁ ଆପଣଙ୍କ ଦରଦ ଦେଖି ମୁଁ ଆପଣଙ୍କୁ ସାହାଯ୍ୟ କରିବାକୁ ଚାହିଁଥିଲି । ମୋର ଅନୁରୋଧରେ ‘ଦୈନିକ ଜନତା’ର ସମ୍ପାଦକ ଆପଣଙ୍କ ଲେଖା ଛପାଇବାକୁ ରାଜିହେଲେ । ଶେଷରେ ସେଇ ଲେଖାର ସୁଯୋଗନେଇ ତିନିକୋଟି ଟଙ୍କାର ପୁରୁଣା ରଦ୍ଦି ପାଣିକମ୍ପ ସରକାରଙ୍କୁ ବିକି ଲୋକଙ୍କର ସର୍ବନାଶ କରି ଆଜି ଆସିଚନ୍ତି ମୋତେ ଚାରିଶ’ ଟଙ୍କାର ହାର ଉପହାର ଦେବାକୁ ? କୋଉ ସାହସରେ ଆସିଚନ୍ତି ଆପଣ ?

ଉପେନ୍ଦ୍ର

-

ଆପଣ ତୁଚ୍ଚାଟାରେ ରାଗିଯାଉଚନ୍ତି, ଅଜୟବାବୁ ! କଥାଟା ନ ବୁଝି ନ ସୁଝି ମୋ ସାଙ୍ଗରେ ଏମିତି କରିବାଟା ....

ସରୋଜ

-

ଆଉ କିଛି ବୁଝିବାକୁ ବାକି ନାହିଁ, ଉପେନ୍ଦ୍ର ବାବୁ ! ଆପଣଙ୍କ ପାଣିପମ୍ପ କାରବାର ସବୁ ଆଜି ପଦାରେ ପଡ଼ିଯାଇଚି । ମୁଁ ଆପଣଙ୍କୁ ପଚାରୁଚି, ‘ଜନତା ଜାଗିଉଠ’ ଲେଖା ଆପଣ କାହିଁକି ଲେଖିଥିଲେ ? ଜନତାର ଦୁଃଖ ଦୁର୍ଦ୍ଦଶା ଘୁଞ୍ଚେଇବାପାଇଁ ନା ନିଜର ବ୍ୟାଙ୍କ ବାଲାନ୍‌ସ ଫୁଲେଇବାପାଇଁ ? ନିଜର ଲାଭପାଇଁ ଆପଣ ଜନତାକୁ ଠକେଇଲେ, ସରକାରଙ୍କୁ ଠକେଇଲେ, ସ୍ଵୟଂ ଭଗବାନଙ୍କୁ’ବି ଠକେଇଲେ । କିନ୍ତୁ ଅଜୟ କି ଅପରାଧ କରିଥିଲା, ‘ଦୈନିକ ଜନତା’ର ପ୍ରତିନିଧି ଅଜୟ ମହାପାତ୍ର ?

ଉପେନ୍ଦ୍ର

-

ମୁଁ କିଛି ଅପରାଧ କରିନାହିଁ । ବ୍ୟବସାୟୀ ହିସାବରେ ଯାହା ମୋର କରିବାର କଥା, କରିଚି । (ଏଇ ସମୟରେ ସମ୍ପୂର୍ଣ୍ଣ ଉଦ୍‌ଭ୍ରାନ୍ତ ଅବସ୍ଥାରେ ଭିତରକୁ ଆସି ଠିଆହେଲେ ଯଦୁବାବୁ) ସାତଦିନ ଭିତରେ ପାଣିପମ୍ପ ଯୋଗାଇଚି । ପାଣିପମ୍ପଗୁଡ଼ାକ ସବୁଯାକ ପୁରୁଣା ରଦ୍ଦି ବୋଲି କହିଦେଲେ’ତ ଚଳିବ ନାହିଁ । ପ୍ରମାଣ କରିବା ଦରକାର । ହାଇକୋର୍ଟ ଅଛି, ସୁପ୍ରିମ କୋର୍ଟ ଅଛି, ଯା’ନ୍ତୁ, ପ୍ରମାଣ କରନ୍ତୁ । ମୁଁ ଖାଲି ସମସ୍ତଙ୍କୁ ଠକାଇ ଦେଇଚି, ନା ? ଯୋଉମାନେ ଲୋକଙ୍କ ଖାଇବା ଜିନିଷରେ ଭେଜାଲ ମିଶାଉଚନ୍ତି, ଯୋଉମାନଙ୍କ ଦାଉରେ ପିଲାଏ ଟୋପାଏ କ୍ଷୀର ପାଉନାହାନ୍ତି, ଯୋଉମାନଙ୍କ କାରସାଦିରେ ଜିନିଷପତ୍ର କଳାବଜାର ଚାଲିଚି, ଦରଦାମ ଆଖିପିଛୁଡ଼ାକେ ହୁ ହୁ ହୋଇ ବଢ଼ିଚାଲିଚି, ସେମାନଙ୍କ ବିରୁଦ୍ଧରେ ଆପଣମାନେ କରିଚନ୍ତି କ’ଣ ? ଖାଲି ଲମ୍ବାଚୌଡ଼ା ବିବୃତି, ବକ୍ତୃତା, ପ୍ରେସ୍ କନଫରେନସ୍ ! ଝୁଲାନ୍ତୁ, ଝୁଲାନ୍ତୁ ମୋତେ ଫାଶୀରେ । ଝୁଲେଇ ପାରିବେ ? ସାହସ ଅଛି ?

 

 

(ଯଦୁବାବୁ ଘରର ଉତ୍ତେଜନାପୂର୍ଣ୍ଣ ବାତାବରଣରେ ହତବାକ୍‌ ହୋଇ ଠିଆହୋଇ ରହିଲେ ।)

ଉପେନ୍ଦ୍ର

-

ମୁଁ ଜାଣେ, ପାରିବେ ନାହିଁ । ସେ ଶକ୍ତି ଆପଣଙ୍କର ନାହିଁ । ଆପଣମାନେ ଖାଲି ନିଜର ମାନସମ୍ମାନ, ନୀତିନିୟମ, ଆଇନ୍‍କାନୁନ୍ ନେଇ ବ୍ୟସ୍ତ । ମୁଁ ଚାଲେଞ୍ଜ କରୁଚି, ଆସନ୍ତୁ, ମୋତେ ଧରନ୍ତୁ, ମୁଁ ଦୁର୍ଭିକ୍ଷ ଅଞ୍ଚଳକୁ ପୁରୁଣା ରଦ୍ଦି ପାଣିପମ୍ପ ଯୋଗାଇଚି । ଲେଖନ୍ତୁ ଆପଣଙ୍କ ଖବରକାଗଜରେ, ବକ୍ତୃତା ଦିଅନ୍ତୁ ସ୍ଵାମୀଜୀ ତାଙ୍କ ସାମ୍ବାଦିକ ସମ୍ମିଳନୀରେ, ବାହାର କରନ୍ତୁ ଭୋକିଲା ଲୋକଙ୍କ ପଟୁଆର ! ହାତତାଳି ପାଇବେ, ବାହାବା ପାଇବେ, ହେଲେ ମୋତେ ଧରିପାରିବେ ନାହିଁ । ମୁଁ ସଭ୍ୟ ସ୍ଵାଧୀନ ଦେଶର ନାଗରିକ । ମୋର ନାଗରିକ ଅଧିକାର ଅଛି । ମୋ’ପାଇଁ ହାଇକୋର୍ଟ ଅଛି, ସୁପ୍ରିମ କୋର୍ଟ ଅଛି, ସମ୍ବିଧାନ ଅଛି । ବିନା ପ୍ରମାଣରେ ମୋର ଦେହ ସୁଦ୍ଧା ଆପଣମାନେ ସ୍ପର୍ଶ କରିପାରିବେ ନାହିଁ ।

 

 

(ଉତ୍ତେଜନାରେ ଉପେନ୍ଦ୍ରବାବୁ ନିଶ୍ଵାସ ନେବାକୁ ଲାଗିଲେ)

ଅଜୟ

-

ପ୍ରମାଣ ନାହିଁ ? ଆପଣଙ୍କ ଦୁର୍ନୀତିର ପ୍ରମାଣ ନାହିଁ ? ତେବେ ମୁଁ କ’ଣ କରୁଚି-? ‘ଦୈନିକ ଜନତା’ କ’ଣ କରୁଚି ? ମଣିଷର ବୁଦ୍ଧି ବିବେକ ଆଦର୍ଶ କ’ଣ କରୁଚି ?

ଉପେନ୍ଦ୍ର

-

ଖାଲି ‘ଜନତା ଜାଗିଉଠ’, ମାସପରେ ମାସ, ବର୍ଷପରେ, ବର୍ଷ, ଯୁଗପରେ ଯୁଗ ଖାଲି ‘ଜନତା ଜାଗି ଉଠ’ ବୋଲି ଆପଣମାନେ ଚିତ୍କାର କରିଆସିଚନ୍ତି । ଆପଣଙ୍କ ‘ଦୈନିକ ଜନତା’ ସ୍ଵାମୀଜୀ ଚିତ୍କାର କରିଆସିଚନ୍ତି ଆପଣଙ୍କ ‘ଦୈନିକ ଜନତା’ ଚିତ୍କାର କରିଆସିଚି । ଆଉ ଆପଣମାନଙ୍କ ସାଙ୍ଗରେ ସ୍ଵର ମିଳାଇ ମୁଁ ଚିତ୍କାର କରିଚି –‘ଜନତା ଜାଗିଉଠ’ ଅନ୍ୟାୟ କରିଚି ? ଅପରାଧ କରିଚି ?

 

 

(ଦ୍ରୁତ ଗତିରେ ବାହାରିଗଲେ)

ଅଜୟ

-

ହଁ, ଜନତା ଜାଗିଉଠିବ । ଜନତା ନିଶ୍ଚୟ ଜାଗିଉଠିବ । (ସରୋଜ ପାଖକୁ ଆଗେଇଯାଇ) କେବେ, ସରୋଜ, କେବେ ଜନତା ଜାଗିବ ? କହିପାରିବୁ କେବେ ସେଇଦିନ ଆସିବ ?

 

 

(ଉଦ୍‌ଭ୍ରାନ୍ତ ଭାବରେ ଯଦୁନାଥ ଆଗେଇ ଆସିଲେ)

ଯଦୁନାଥ

-

ଆସିବ ନାହିଁ, ସେଦିନ ଆଉ ଆସିବ ନାହିଁ । ଜନତା ମରିଯାଇଚି, ଜନତାକୁ ମାରିଦିଆଯାଇଚି ।

ଅଜୟ

-

କିଏ, କିଏ ଜନତାକୁ ମାରିଦେଇଚି ?

ଯଦୁନାଥ

-

ଆପଣମାନେ, ଆପଣମାନଙ୍କ ‘ଦୈନିକ ଜନତା’ ମୋ’ଆଡ଼କୁ ଅନେଇ ଦେଖନ୍ତୁ, ମୁଁ ବଞ୍ଚିଚି ? (ସରୋଜକୁ) ମୁଁ ବଞ୍ଚିଚି ?

ସରୋଜ

-

ଆପଣ ବଞ୍ଚିଛନ୍ତି, ଯଦୁନାଥ !

ଯଦୁନାଥ

-

ନା, ନା, ମୁଁ ବଞ୍ଚିନାହିଁ, ମୁଁ ବଞ୍ଚିନାହିଁ । ବଞ୍ଚିଚନ୍ତି ଆପଣମାନେ । ବଞ୍ଚିଚନ୍ତି ଉପେନ୍ଦ୍ରବାବୁ, ମୁଁ ବଞ୍ଚିନାହିଁ

ଅଜୟ

-

(ଅନୁତାପରେ କଣ୍ଠରୋଧ ହୋଇ) ଯଦୁନାଥ । ମୁଁ ଆପଣଙ୍କପାଇଁ କିଛି କରିପାରିଲି ନାହିଁ ।

ଯଦୁନାଥ

-

କିଛି କରିପାରିଲେ ନାହିଁ, ନା, କରିବାକୁ ଚାହିଁଲେ ନାହିଁ ? ଦି’ଦିସ୍ତା କାଗଜ ଚୋରିକରି ମୋର ଚାକିରି ଗଲା, ଆପଣମାନେ କେହି ମୋତେ ବଞ୍ଚେଇପାରିଲେ ନାହିଁ । ମୋର ସବୁ ସରିଯାଇଚି । ବାବ୍‍ଲୁ ଆଉ ନାହିଁ । ମୁଁ ଯାଉଚି, ଏକୁଟିଆ ଚୁପ୍‌ଚାପ୍‌ ତାକୁ ମଶାଣିରେ .... (ଆଉ କହିନପାରି ପାଗଳପରି ଚିତ୍କାର କରି କରି ବାହାରିଗଲେ) ବାବ୍‍ଲୁ, ବାବ୍‍ଲୁ-(କହି କହି ଚାଲିଗଲେ । ପର ମୁହୂର୍ତ୍ତରେ ଭିତରୁ ତର ତର ହୋଇ ଆସିଚି ଇନ୍ଦୁ ହାତରେ ଗୋଟାଏ ବ୍ୟାଗ୍‍ରେ କିଛି ଖେଳନା, ବିସ୍କୁଟ ପ୍ୟାକେଟ୍ ଇତ୍ୟାଦି । ଦେହରେ ଗୋଟାଏ ଚାଦର । ଅନୁସରଣ କରିଚି ରାଜୁ)

ଇନ୍ଦୁ

-

କିଏ, କିଏ ବାବ୍‍ଲୁ ନାଁଧରି ଡାକୁଥିଲା ?

ସରୋଜ

-

ଆପଣ ବସନ୍ତୁ ମିସେସ୍‌ ମହାପାତ୍ର, ପ୍ଳିଜ୍‌ !

ଇନ୍ଦୁ

-

ବାବ୍‍ଲୁକୁ ଜର, ମୁଁ ଏଠି ବସି ବସି ଆପଣଙ୍କ ନାଟକ ଦେଖିବି ? ନା, ନା, ମୁଁ ଯିବି ।

ଅଜୟ

-

(ଇନ୍ଦୁକୁ ଅଟକାଇବାର ଚେଷ୍ଟାକରି) ଶୁଣ ଇନ୍ଦୁ, ମୋ କଥା ଶୁଣ ।

ଇନ୍ଦୁ

-

କ’ଣ ହେଇଚି ?

ଅଜୟ

-

(ନିଜର ସ୍ଵରକୁ ଯଥାସମ୍ଭବ ସଂଯତ କରିବାକୁ ଚେଷ୍ଟାକରି) ବାବ୍‍ଲୁ ଆଉ ନାହିଁ-

ଇନ୍ଦୁ

-

(ବିହ୍ଵଳ ଭାବରେ) ବାବ୍‍ଲୁ ଆଉ ନାହିଁ ? ରାଜୁ, ବାବ୍‍ଲୁ ନାହିଁ ?

ରାଜୁ

-

(ବ୍ୟାଗ୍ ସଜାଡ଼ିସାରି ଇନ୍ଦୁ ପାଖରେ ଥୋଇଦେଇ ନୂଆବୋଉ)

ଇନ୍ଦୁ

-

(ଆଖିବୁଜି ବିହ୍ଵଳ ଭାବରେ) ବାବ୍‍ଲୁ ନାହିଁ ! କୁଆଡ଼େ ଗଲା ? କିଏ ନେଇଗଲା ତାକୁ ? (ଅବଶଭାବରେ ନିଶ୍ଵାସ ନେବାକୁ ଲାଗିଲା)

ରାଜୁ

-

(ଇନ୍ଦୁ ଦେହକୁ ହଲାଇଦେଇ) ନୂଆବୋଉ ।

ଇନ୍ଦୁ

-

ଆଜି ମୋର ଜନ୍ମଦିନ, ଆଉ ଆଜି ସିଏ ଚାଲିଗଲା ? ତା’ପାଇଁ –ତା’ପାଇଁ ମୁଁ କେତେ ଜିନିଷ ସାଇତି ରଖିଥିଲି, କେତେ ଖେଳଣା, କେତେ କଣ୍ଢେଇ ! ପାଖରେ ବସିଥାନ୍ତା, କେତେ ହସିଥାନ୍ତା, କେତେ ଗପ କହିଥାନ୍ତା –

ରାଜୁ

-

ନୂଆବୋଉ !

ଇନ୍ଦୁ

-

ଗୋଟାଏ ମସ୍ତବଡ଼ ଜଙ୍ଗଲ ଥିଲା । ସେଥିରେ ଗୋଟାଏ ଛୋଟ ଭାଲୁ ଥିଲା । ଭାଲୁକୁ ଜର ହେଲା । ଡାକ୍ତର ଇଞ୍ଜେକ୍‌ସନ୍‌ ଦେଲା । ଭାଲୁ ଦେହରୁ ରକ୍ତ ବୋହିଲା ଭାଲୁଟା –ଭାଲୁଟା-ମରିଗଲା ।

 

 

(ଉଚ୍ଚ୍ୱସ୍ଥିତ କ୍ରନ୍ଦନରେ ଭାଙ୍ଗିପଡ଼ିଲା ଇନ୍ଦୁ । ଅଜୟ ବିଚଳିତଭାବରେ ଆଗେଇଆସିଲା ହଠାତ କାନ୍ଦିବା ବନ୍ଦକରି ଅଜୟଆଡ଼କୁ ତୀବ୍ର ଦୃଷ୍ଟିରେ ଅନାଇରହିଲା)

ଇନ୍ଦୁ

-

ହେଲା’ତ ? ତମ ମନ ଶାନ୍ତି ହେଲା’ତ ? ଆଉ ଏ ଘରକୁ ବାବ୍‍ଲୁ ଆସିବ ନାହିଁ-। ତମର କିଛି ଚିନ୍ତା ନାହିଁ । ଲେଖ, ତମେ ଶାନ୍ତିରେ ବସି ତମର ନିଉଜ୍‌ ଲେଖ

ଅଜୟ

-

(କଣ୍ଠରୁଦ୍ଧ ଅବସ୍ଥାରେ) ମୁଁ-

ଇନ୍ଦୁ

-

ହଁ, ତୁମେ କ’ଣ କରିପାରିଲ ତମେ ? ସମସ୍ତଙ୍କପାଇଁ ବାହାରିଥିଲା, କାହାରିବାପାଇଁ କିଛି କରିପାରିଲ ନାହିଁ । ତମେ ମଣିଷ ନୁହଁ, ତମ ଦିହରେ ଜୀବନ ନାହିଁ, ତମେ ମେସିନ୍‌ ।

 

 

(ଉତ୍ତେଜନାରେ ଦ୍ରୁତଗତିରେ ଭିତରକୁ ଚାଲିଗଲା । )

ଅଜୟ

-

ଇଏ କ’ଣ ମୋ ହାତଗୋଡ଼ ଏମିତି ଥରୁଚି କାହିଁକି ? ମୁଁ କ’ଣ କରିଚି ? ମୁଁ ତ କିଛି କରିନାହିଁ । ନା, ନା, ମୁଁ ତ କିଛି କରିନାହିଁ । ମୁଁ ତ ଦୁର୍ନୀତି, ଅନ୍ୟାୟ ଅବିଚାର ବିରୁଦ୍ଧରେ । ତେବେ ମୋ ହାତଗୋଡ଼ ଏମିତି ଥରୁଚି କାହିଁକି ?

(ମଞ୍ଚ ଅନ୍ଧକାର ହେଲା)

***